ଟିଟିଲାଗଡ଼ ପଣ୍ୟାଗାର ନିଗମ ଗୋଦାମରେ ମାରାତ୍ମକ କେଳେଙ୍କାରୀ : ବସ୍ତାରୁ ଚାଉଳ କଢ଼ାଯାଇ ପାଣି ଢଳାଯାଉଛି

zisanmohammad
0

ଟିଟିଲାଗଡ଼ : ଗରିବ ଲୋକ ଓ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳାଯାଉଛି ସାଂଘାତିକ ଖେଳ। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଚାଉଳର ବାଟମାରଣା ପାଇଁ କିଛି ଅସାଧୁ ବ୍ୟକ୍ତି ଅଭିନବ କୌଶଳ ଅବଲମ୍ବନ କରୁଥିବାର ଚାଞ୍ଚଲ୍ୟକର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି। ଚାଉଳ ପ୍ୟାକେଟ୍‌ ବିଭିନ୍ନ ପଞ୍ଚାୟତ ଓ ସ୍କୁଲକୁ ଯିବା ପୂର୍ବରୁ ସେଥିରୁ କାଢ଼ି ନିଆଯାଉଛି ନିର୍ଦ୍ଦିଷ୍ଟ ପରିମାଣର ଚାଉଳ। ବଦଳରେ ବସ୍ତାର ଓଜନ ପୂର୍ବବତ ରଖିବା ଲାଗି ସେଥିରେ ପାଣି ଡାଳି ଦିଆଯାଉଛି। ଚାଉଳ ଓଦା ହୋଇ ଫୁଲୁଛି ଓ ଓଜନ ବି ବଢ଼ୁଛି। ମାତ୍ର ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବେଳକୁ ଏହା ଖରାପ ହୋଇଯାଉଛି।

ଟିଟିଲାଗଡ଼ ସହର ନିକଟରେ ରହିଛି ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ ଗୃହ। ଟିଟିଲାଗଡ଼ ବ୍ଲକ ସହ ଜିଲ୍ଲାର ଅନ୍ୟ କେତେକ ବ୍ଲକକୁ ଏଠାରୁ ପିଡିଏସ୍‌ ଚାଉଳ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଯୋଗାଣ ହୋଇଥାଏ। ଅନେକ ସମୟରେ ଏହି ବଣ୍ଟନ ବ୍ୟବସ୍ଥାରେ କେଳେଙ୍କାରି ଦେଖିବାକୁ ମିଳୁଥିବା ବେଳେ କିଛି ଦିନ ଧରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କୁ ଓଦା ଓ ଗମରା ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ହେଉଥିଲା। ଚାଉଳରେ ପାଣି ମିଶାଯାଇ ଏହାର ଓଜନ ବଢ଼ାଯାଉଥିବା ସନ୍ଦେହ ଉଠିଥିଲା।

ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ଗୋଦାମରୁ ଯୋଗାଣ ପୂର୍ବରୁ ଚାଉଳ ବସ୍ତା ଗୁଡ଼ିକରୁ ନିର୍ଦ୍ଦିଷ୍ଟ ପରିମାଣରେ ଚାଉଳ କାଢ଼ି ନିଆଯାଇ ପୁଣି ଥରେ ବସ୍ତାକୁ ସିଲେଇ କରି ତା’ ଉପରେ ପାଣି ଢାଳି ଦିଆଯାଉଛି। ଯୋଗାଣ ପାଇଁ ଗାଡ଼ି ଲୋଡ୍‌ ହେବାର ଦିନେରୁ ଦୁଇଦିନ ଆଗରୁ ଏହି ପ୍ରକ୍ରିୟା କରା ଯାଉଥିବାରୁ ଓଦା ଚାଉଳ ଫୁଲି ଓଜନ ସମାନ ହେବା ସହ ବସ୍ତା ମଧ୍ୟ ଭର୍ତ୍ତି ଥିବା ପରି ଦେଖାଯାଉଛି। ଓଦା ବସ୍ତା ଟ୍ରକ୍‌ରେ ଲଦି ପଠାଇଦେବା ପରେ କାମ ଶେଷ। କେହି ଜାଣିବାର ସୁଯୋଗ ମିଳେ ନାହିଁ କିମ୍ବା ଓଜନରେ କୌଣସି ତଫାତ ହୁଏ ନାହିଁ। ଟିଟିଲାଗଡ଼ର ଗୋଦାମରେ ବହୁଦିନରୁ ଏପରି ହେଉଥିବା ସୂଚନା ମିଳିଥିଲେ ବି କିଛି ପ୍ରମାଣ ନଥିଲା। ଏମିତିକି ଏହି କାରବାରରେ କିଛି ସରକାରୀ କର୍ମଚାରୀଙ୍କର ବି ହାତ ଥିବା ଜାଣିବାକୁ ମିଳିଥିଲା। ଘଟଣାର ପ୍ରତ୍ୟକ୍ଷ ପ୍ରମାଣ ପାଇଁ ଆମ ପ୍ରତିନିଧି ହଠାତ ଗୋଦାମରେ ପହଞ୍ଚିଥିଲେ। ସେତେବେଳକୁ ସେଠାରେ କାର୍ଯ୍ୟରତ ଦୁଇଜଣ ମହିଳା ନଳକୂଅରୁ ପାଣି ଆଣି ଗୋଦାମରେ ଥିବା ଚାଉଳ ବସ୍ତାରେ ଢାଳୁଥିଲେ। ଦୁଇଜଣ କର୍ମଚାରୀ ବି ସେଠାରେ ଉପସ୍ଥିତ ଥିଲେ। ଆମକୁ ଦେଖି ମହିଳା ଦୁଇଜଣ ଇତଃସ୍ତତ ହୋଇ ଯାଇଥିବା ବେଳେ କର୍ମଚାରୀ ଦୁଇଜଣ ସେ ସ୍ଥାନ ଛାଡ଼ି ଦୌଡ଼ି ଦୌଡ଼ି ପଳାଇ ଯାଇଥିଲେ। ଏ ସଂକ୍ରାନ୍ତରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି ଯେ, ଏ ବିଷୟରେ ଜିଲ୍ଲାପାଳ ତଥା ବିଭାଗୀୟ ଉଚ୍ଚାଧିକାରୀଙ୍କୁ ଅବଗତ କରିବେ। ଏହାର ଯାଞ୍ଚ ପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।



from ଜିଲ୍ଲା – Sambad http://bit.ly/2Dn6mUE

Post a Comment

0Comments
Post a Comment (0)