
ପୁରୀ : ପୁରୀ ଜିଲ୍ଲା ହସ୍ପିଟାଲ୍ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆସନ୍ନ ପ୍ରସବାଙ୍କୁ ନେବା ପାଇଁ ମିଳିଲାନି ଷ୍ଟ୍ରେଚର୍। ଲିଫ୍ଟରେ ଅପରେଟର ନଥିବାରୁ ଲିଫ୍ଟ ବି ଚାଲିଲାନି। ଫଳରେ ସେ ଲିଫ୍ଟ ଦୁଆରମୁହଁରେ ପ୍ରସବ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସହଦେବପୁର ଅଞ୍ଚଳର ପ୍ରଦୀପ୍ତ ବରାଳଙ୍କ ପତ୍ନୀ ଲୋକନୀ ବରାଳ (୨୪) ପ୍ରସବ ପାଇଁ ପ୍ରଥମେ କରୋଣ୍ଡିଆ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ ତାଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲକୁ ପଠାଇ ଦିଆଯାଇଥିଲା।
ରାତି ପ୍ରାୟ ୯ଟା ୨୦ରେ ଆସନ୍ନ ପ୍ରସବା ଲୋକନୀଙ୍କୁ ଧରି ପରିବାର ଲୋକେ ପହଞ୍ଚିବା ପରେ କୁଆଡ଼େ ଯିବେ ବୁଝି ପାରିନଥିଲେ। ଉପର ମହଲା ଲେବର ରୁମ୍କୁ ପଳା କହି ଆମ୍ବୁଲାନ୍ସ ଚାଳକ ଲିଫ୍ଟ ଆଡକୁ ହାତ ଦେଖାଇ ଦେଇଥିଲେ। ପ୍ରସବ ବେଦନାରେ ଛଟପଟ ସତ୍ତ୍ବେ ଷ୍ଟ୍ରେଚର୍ଟିଏ ବି ତାଙ୍କୁ ମିଳିଲାନି। ପ୍ରାୟ ୨୦ରୁ ୨୫ ମିଟର ଚାଲି ଚାଲି ଲିଫ୍ଟ ପାଖରେ ପହଞ୍ଚିଥିଲେ ଲୋକନୀ ଓ ତାଙ୍କ ପରିବାର। ଲିଫ୍ଟ ଉପରକୁ ଯାଇଥିଲା। କେହି ଅପରେଟର ନଥିଲେ। ଲିଫ୍ଟ ସୁଇଜ୍ ମାରି ଅପେକ୍ଷା କଲେ। ହେଲେ ଆସିଲାନି ଲିଫ୍ଟ। କିଛି ସମୟ ଅପେକ୍ଷା କରିବା ପରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକନୀଙ୍କର ସେହିଠାରେ ପ୍ରସବ ହୋଇଗଲା। ପରିବାର ଲୋକେ ଡକାହକା କଲେ। ମାତ୍ର ଡାକ୍ତରଖାନାର କୌଣସି କର୍ମଚାରୀ ଶୁଣିଲେନି ବୋଲି ଲୋକନୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଡିଏମଓ ଡାକ୍ତର ରାମଚନ୍ଦ୍ର ରାଉତ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
from ଜିଲ୍ଲା – Sambad http://bit.ly/2VX1PQ9