ବିସିସିଆଇ ଆଞ୍ଚଳିକ ପ୍ରଶିକ୍ଷଣ ଏକାଡେମିର ଢାଞ୍ଚା ବଦଳିବ

zisanmohammad
0

ମୁମ୍ବାଇ: ଘରୋଇ କ୍ରିକେଟ୍ ପ୍ରଶିକ୍ଷଣ ପ୍ରଣାଳୀ ଓ ପାଠକ୍ରମରେ ଆମୂଳଚୁଳ ପରିବର୍ତନ ହେବ। ବିଶେଷ କରି ଜୋନାଲ କ୍ରିକେଟ୍ ଏକାଡେମି (ଜେଡ୍‌ସିଏ)ର ଢାଞ୍ଚାକୁ ଖୁବଶୀଘ୍ର ବଦଳାଇ ଦିଆଯିବ। ୧୯ ବର୍ଷରୁ କମ୍ କ୍ରିକେଟ୍‌ର ମାନକୁ ଆହୁରି ଉନ୍ନତ କରିବା ଲାଗି ବିସିସିଆଇ ଖୁବଶୀଘ୍ର ଏଭଳି ପଦକ୍ଷେପ ନେବ। ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କେବଳ ଯାହା ଆନୁଷ୍ଠାନିକ ଘୋଷଣା ବାକି ଅଛି। ବିଭିନ୍ନ ଏକାଡେମିର ପ୍ରଶିକ୍ଷକ ଓ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ବିସିସିଆଇ ମଧ୍ୟ ଏବେ ଜଣେ ଶିକ୍ଷା ମୁଖ୍ୟ ସଂନ୍ଧାନରେ ଥିବା ଜଣାପଡ଼ିଛି। ବିସିସିଆଇ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିସାରିଛି। ଘରୋଇ କ୍ରିକେଟରମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ପଦ୍ଧତି ଏବଂ ଏହାର ଭିତ୍ତିଭୂମି ବଦଳାଇବାକୁ ଦ୍ରାବିଡ଼ ହିଁ ପାଞ୍ଚ ବର୍ଷ ପୂର୍ବେ ବିସିସିଆଇକୁ ଆହ୍ବାନ କରିଥିଲେ। ଏବେ ବିସିସିଆଇର ଚେତା ଫେରିଛି। ଆସନ୍ତାବର୍ଷର ୧୯ ବର୍ଷରୁ କମ୍ ବିଶ୍ବକପ୍‌କୁ ଆଖି ଆଗରେ ରଖି ବିସିସିଆଇ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ୧୦୦ ଶ୍ରେଷ୍ଠ ୧୯ ବର୍ଷରୁ କମ୍ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛି। ଏହି ପିଲାମାନଙ୍କୁ ଚାରିଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପରେ ୨୫ ଖେଳାଳି ରହିବେ। ଯାହାକୁ ଏଲିଟ୍ ଗ୍ରୁପର ଆଖ୍ୟା ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ରଣଜୀ ଖେଳିଥିବା ୯ ରାଜ୍ୟର ଉଦୀୟମାନ କ୍ରିକେଟରଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ସେମାନଙ୍କୁ ପ୍ଲେଟ୍ ଗ୍ରୁପରେ ରଖାଯିବ। ଏଥିରେ ମଧ୍ୟ ୨୫ ଖେଳାଳି ସ୍ଥାନ ପାଇବେ। ନବାଗତ ୯ ରାଜ୍ୟରୁ ହିଁ ଏହି ଖେଳାଳିମାନଙ୍କୁ ବଛାଯିବ। ଦ୍ରାବିଡ଼ ଏବଂ କନିଷ୍ଠ ଚୟନ ସମିତି ସଦସ୍ୟଙ୍କ ପରାମର୍ଶକ୍ରମେ ଏଭଳି ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି। ପ୍ରତି ଏଲିଟ୍ ଗ୍ରୁପର ଶୀର୍ଷ ୧୯ ଜଣ ଖେଳାଳିଙ୍କ ନାଁ ଦକ୍ଷିଣ ଆଫ୍ରିକାରେ ଆସନ୍ତାବର୍ଷ ଜାନୁଆରି-ଫେବ୍ରୁଆରିରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ ପାଇଁ ବିଚାରକୁ ନିଆଯିବ। ପର୍ଯ୍ୟାୟକ୍ରମେ ପ୍ରଦର୍ଶନ ଆଧାରରେ ଶେଷ ୬ ଖେଳାଳି ଏହି ପ୍ରକ୍ରିୟାରୁ ବାଦ ପଡ଼ିବେ। ଏହା ପରେ ଏକ ୬ ଦଳୀୟ ଅନ୍ତଃଜୋନ୍ ପ୍ରତିଯୋଗିତା ଆୟୋଜନ କରାଯିବ। ସେଥିରେ ବିଶ୍ବକପ୍ ପାଇଁ ବିଚାରକୁ ନିଆଯାଉଥିବା ଚାରିଟି ଦଳର ଖେଳାଳି, ପ୍ଲେଟ୍ ଗ୍ରୁପ୍ ଏବଂ ବିଶ୍ବକପ୍ ବେଳକୁ ୧୯ ବର୍ଷ ବୟସ ଟପି ଯାଉଥିବା ଜଣେ ଖେଳାଳି ରହିବେ। ଏହି ପ୍ରତିଯୋଗିତାରୁ ଇଂଲଣ୍ଡ ଗସ୍ତ ପାଇଁ ଚୟନକର୍ତାମାନେ ଦଳ ବାଛିବେ।



from ଖେଳ – Sambad http://bit.ly/2WnfEaV

Post a Comment

0Comments
Post a Comment (0)