
ମୁମ୍ବାଇ: ଭାରତୀୟ କ୍ରିକେଟର ତଥା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ୩୨ ବର୍ଷରେ ପାଦ ଥାପିଛନ୍ତି। ଏଥିନେଇ ଆଇସିସିଠାରୁ ଆରମ୍ଭ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସଚିନ ଟ୍ବିଟ୍ କରିଥିଲେ ଯେ ଜନ୍ମ ଦିନର ଶୁଭେଚ୍ଛା ରୋହିତ, ସମାଇରା ଆସିବା ପରେ ଏହି ଜନ୍ମଦିନ ତୁମ ପାଇଁ ଆହୁରି ସ୍ବତନ୍ତ୍ର ଓ ସୁଖଦ। ବିସିସିଆଇ ତା’ ଟ୍ବିଟରେ ଲେଖିଥିଲା ଜନ୍ମ ଦିନର ଶୁଭେଚ୍ଛା ହିଟମ୍ୟାନ୍। ତେବେ ସବୁଠାରୁ ମଜାଦାର ଟ୍ବିଟ୍ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ କରିଥିଲେ। ସେ ଲେଖିଥିଲେ ହିଟ୍ ଥା, ହିଟ୍ ହେ, ହିଟ୍ ରହେଗା, ଦେଶ ହିତ୍ ମେ, ଜନ୍ମଦିନର ଶୁଭେଚ୍ଛା ରୋହିତ ଶର୍ମା। ରୋହିତଙ୍କୁ ଶୁଭେଚ୍ଛା ଜଣାଇଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଥିଲେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ମହମ୍ମଦ କୈଫ, ସୁରେଶ ରାଇନ, ଆକାଶ ଚୋପ୍ରା, ଭିଭିଏସ୍ ଲକ୍ଷ୍ମଣ ପ୍ରମୁଖ। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଏହି ଦଳର ଖେଳାଳିମାନେ ମଧ୍ୟ ରୋହିତଙ୍କ ଉତ୍ତରୋତର କାମନା କରିଥିଲେ। ରୋହିତ ଦିନିକିଆରେ ତିନିଟି ଦ୍ବିଶତକ ଅର୍ଜନ କରିଛନ୍ତି। ଦିନିକିଆର ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଙ୍କ ନାଁରେ ରହିଛି। ଆସନ୍ତା ବିଶ୍ବକପ୍ରେ ସେ ଆଉ ଏକ ଦ୍ବିଶତକ ମାରି ପାରିବେ କି? ଜନ୍ମ ଦିନର ଅଭିନନ୍ଦନ ବୋଲି ଆଇସିସି ତା’ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲା।
from ଖେଳ – Sambad http://bit.ly/2DRXdUz