ଟିକସ ଫାଙ୍କିରେ ବ୍ୟବସାୟୀ ଜେଲ୍‌ ଯିବା ମାମଲା : ଖଣି ଲିଙ୍କ୍‌କୁ ନେଇ ଚାଲିଛି ଖୋଳତାଡ଼

zisanmohammad
0

ବଲାଙ୍ଗୀର : ବଡ଼ ବେପାରୀଙ୍କ ବଡ଼ ଠକେଇ। କୋଟି କୋଟି ଟଙ୍କା ଟ୍ୟାକ୍ସ ଦେଉଥିବାର କାଗଜପତ୍ର ତିଆରି ହେଉଥିଲା। ଟିଟିଲାଗଡ଼ ସହରରେ ଏତେ ବଡ଼ ବେପାରୀ ଥିବା ଜାଣି ଖୋଳତାଡ଼ ଆରମ୍ଭ ହୋଇଥିଲା। ଶେଷରେ ଧରା ପଡ଼ିଥିଲେ ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଏଣ୍ଡ ମିନେରାଲ୍ସର ଏମ୍‌ଡି ତୀର୍ଥଙ୍କର ପଟେଲ। ତୀର୍ଥଙ୍କର ଧରାପଡ଼ିବା ପରେ ତାଙ୍କର ଖଣି ଲିଙ୍କ୍‌କୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟ କେଉଁମାନେ ତାଙ୍କ ସହିତ କାରବାର କରୁଥିଲେ ତାହାର ମଧ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ଗତ ଫେବ୍ରୁଆରି ମାସରେ ମୁଖ୍ୟ କାର୍ଯ୍ୟାଳୟରୁ ବଲାଙ୍ଗୀର ସେବା ଓ ଦ୍ରବ୍ୟକର କାର୍ଯ୍ୟାଳୟକୁ ଏକ ଖବର ଆସିଥିଲା। ବଲାଙ୍ଗୀରର ଜଣେ ଡିଲର ମାସକୁ ପାଞ୍ଚ କୋଟି ଟଙ୍କାର କାରବାର କରୁଛନ୍ତି। ସେଇଠୁ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ବିଭାଗ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ତୀର୍ଥଙ୍କର ଜିଏସ୍‌ଟି ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇଁ ଦର୍ଶାଇଥିବା ଗୋଦାମ ଘର ହେଉଛି ତାଙ୍କ ରହୁଥିବା ଘର। ତା’ ପରେ ସେ ୮୪ କୋଟି ୭୧ ଲକ୍ଷ ଟଙ୍କାର ସ୍କ୍ରାପ ରାୟପୁରରୁ କିଣିଥିବା ଦର୍ଶାଇଛନ୍ତି। କିନ୍ତୁ କୌଣସି ବିକ୍ରେତାଙ୍କଠାରୁ ଇ-ୱେ ବିଲରେ ସେ ସାମଗ୍ରୀ ଆଣିନାହାନ୍ତି। ଏହାର ଅର୍ଥ ହେଉଛି, ବାସ୍ତବିକ ସାମଗ୍ରୀ ତାଙ୍କ ପାଖକୁ ଆସି ନାହିଁ। ସେମିତି ଜାଲ କାଗଜପତ୍ର ଦେଇ ୧୨କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କାର ଜାଲ ଆଇଟିସି ତିଆରି କରି ସରକାରୀ ତହବିଲରୁ ନେଇଛନ୍ତି। ଏପରିକି ୨୦୧୭ ମସିହା ଜୁଲାଇ ୧ ତାରିଖରୁ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୧୨ କୋଟି ୫୨ ଲକ୍ଷ ଟଙ୍କାର ନକଲି ଆଇଟିସି ପଂଜାବ ଓ ଲୁଧିଆନାର ଦୁଇଟି ଡିଲରଙ୍କୁ ପାସ୍‌ କରିଛନ୍ତି। ଏହି ଆଇଟିସିକୁ ବ୍ୟବହାର କରି ସେମାନେ ମଧ୍ୟ ଟିକସ ଫାଙ୍କିଛନ୍ତି।

ଏପରିକି ଛତିଶଗଡ଼ ରାୟପୁରରୁ ସ୍କ୍ରାପ କିଣି ଟିଟିଲାଗଡ଼ ଆଣିଥିବା ଗାଡ଼ି ନମ୍ବର ଯାଞ୍ଚ ପରେ ଜଣାପଡ଼ିଛି, ସେଗୁଡ଼ିକ ଦୁଇଚକିଆ ଯାନ, ଇନୋଭା, କ୍ରେନ୍‌ ଓ ଯାତ୍ରୀବାହୀ ବସ୍‌ର ନମ୍ବର। କିଛି ନମ୍ବରର କୌଣସି ଯାନବାହନ ବି ନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କୌଣସି ଜିନିଷ କିଣାବିକା ନ କରି କେବଳ ନକଲି କାଗଜପତ୍ର ତିଆରି କରି ତୀର୍ଥଙ୍କର ଆର୍ଥିକ ହେରାଫେରି କରୁଥିଲେ। ଅନ୍ୟପଟେ ଏସବୁ କାଗଜପତ୍ର ଅନୁଧ୍ୟାନ ପରେ ଗିରଫ ତୀର୍ଥଙ୍କରଙ୍କ ଖଣି ଲିଙ୍କକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଟିକସ ଫାଙ୍କିର ଚେର ଟିଟିଲାଗଡ଼ରୁ ଯାଇ ଛତିଶଗଡ଼, ପଂଜାବ ଓ ହରିୟାଣା ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ଆଗକୁ ଅନେକ ଘଟଣା ସାମ୍ନାକୁ ଆସିବ ବୋଲି ତଦନ୍ତକାରୀ ଅଧିକାରୀ ଆଶିଷ ସାହୁ କହିଛନ୍ତି।
ପ୍ରକାଶଥାଉକି, ଗତ ୮ତାରିଖରେ ବାଣିଜ୍ୟ ଓ ଦ୍ରବ୍ୟସେବା କର ବିଭାଗର ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗୀରରର ମିଳିତ ଟିମ୍‌ ଟିଟିଲାଗଡ଼ରେ ତୀର୍ଥଙ୍କର ପଟେଲଙ୍କ ଘରେ ଚଢ଼ଉ କରିଥିଲେ। ପାଖାପାଖି ୧୩ କୋଟି ଟଙ୍କାର ଟିକସ ଫାଙ୍କିର ପ୍ରମାଣ ପାଇବା ପରେ ଶ୍ରୀ ପଟେଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।



from ଜିଲ୍ଲା – Sambad https://ift.tt/2YIAHtt

Post a Comment

0Comments
Post a Comment (0)