ଭୋଗରାଇରେ ପତ୍ନୀଙ୍କୁ ତିନି ତଲାକ୍‌ ଦେଲେ ସ୍ବାମୀ

zisanmohammad
0

ଭୋଗରାଇ : ଭାରତୀୟ ପାର୍ଲାମେଣ୍ଟର ଉଭୟ ଗୃହରେ ତିନି ତଲାକ୍‌ ଆଇନର ଉଚ୍ଛେଦକୁ ସ୍ୱୀକୃତି ମିଳିସାରିଛି। ଏହା ଏବେ ଆଇନରେ ପରିଣତ ହୋଇ ସାରିଥିଲେ ମଧ୍ୟ କିଛି ଲୋକ ଏବେ ବି ସାଧାରଣ ଜୀବନରେ ଏହି ପ୍ରଥାକୁ ଛାଡ଼ି ପାରୁନାହାନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ସୁନାଧରବସାଣ ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ତଲାକ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମହିଳା ଜଣକ ଭୋଗରାଇ ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତ ୨୦୧୭ ଜୁନ୍‌ ୨ ତାରିଖରେ ଏହି ଗ୍ରାମର ଶେଖ ଜାହିରଙ୍କ ପୁଅ ସେଖ ସାହିର ଓରଫ ସାନୁ ଅଭିଯୋଗକାରିଣୀ ନୀଲଫର ବିବିଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ନୀଲଫରଙ୍କ ପିତା ସମସ୍ତ ଯୌତୁକ ପ୍ରଦାନ କରିଥିଲେ। କିନ୍ତୁ ଅଧିକ ଯୌତୁକ ଦାବି କରି ସେଖ ସାହିର ନୀଲଫରଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ଏପରିକି ଜୀବନରୁ ମାରିଦେବାକୁ ନୀଲଫରଙ୍କ ଖାଦ୍ୟରେ ବିଷ ମିଶାଇବା ସହ ନିଆଁରେ ପୋଡ଼ି ମାରିଦେବାକୁ ଧମକ ଦେଉଥିଲେ। ନୀଲଫରଙ୍କ ଗର୍ଭ ନଷ୍ଟ କରିବାକୁ ମଧ୍ୟ ଜୋରଜବରଦସ୍ତ ଗର୍ଭ ନିରୋଧକ ବଟିକା ଖୁଆଇଥିଲେ। ତେବେ ସୌଭାଗ୍ୟବଶତଃ ଗର୍ଭ ନଷ୍ଟ ନହୋଇ ଏପ୍ରିଲ ୨୦୧୯ରେ ନୀଲଫର କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ବାରମ୍ବାର ସ୍ବାମୀଙ୍କ ସହ ଗଣ୍ତଗୋଳ ହେବାରୁ ନୀଲଫରଙ୍କ ପିତା ଶେଖ ହାଇଦର ଅଲ୍ଲୀ ଗ୍ରାମ ମୁଖିଆଙ୍କ ମାଧ୍ୟମରେ ବୈଠକ ଡକାଇ ସମାଧାନ କରିବାକୁ ବସିଥିଲେ। ଏହି ସମୟରେ ହଠାତ ସେଖ ସାହିର ନୀଲଫରଙ୍କୁ ତିନି ଥର ତଲାକ୍‌ ତଲାକ୍‌ ତଲାକ୍‌ ବୋଲି କହିସାରିବା ପରେ ତିନିଥର ମା’ ମା’ ମା’ ବୋଲି କହିଥିଲେ ଏବଂ ସେ ତାଙ୍କ ସ୍ତ୍ରୀ ନୁହନ୍ତି ବୋଲି ସମସ୍ତଙ୍କ ସାମ୍ନାରେ କହିଥିଲେ। ଏପରିକି ଗାଁର କେତେକ ମୁରବି ଏହି ଘଟଣାର ସମାଧାନ କରିବା ପାଇଁ ନୀଲଫରଙ୍କ ପିତାଙ୍କଠାରୁ ଏକ ସାଦା କାଗଜରେ ଦସ୍ତଖତ କରାଇ ନେଇଥିଲେ। ଆଜି ପର୍ଯ୍ୟନ୍ତ କିଛି ନ ବୁଝିବାରୁ ନୀଲଫର ବାଧ୍ୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି କରିଥିବା ଆଇଆଇସି ଏନ୍‌କେ ଦାସ ସୂଚନା ଦେଇଛନ୍ତି।



from ଜିଲ୍ଲା – Sambad https://ift.tt/2H1pGZl

Post a Comment

0Comments
Post a Comment (0)