
କଟକ : ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ଅଦାଲତ ଅବମାନନା ମାମଲାର ଶୁଣାଣି କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଅଗଷ୍ଟ ୩୦ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନାର ଚାର୍ଜ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯଦି ଅବହେଳା ହୁଏ ତେବେ ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରାଯିବ ବୋଲି ସ୍ୟାଟଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସ୍ୟାଟ୍ କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନ ରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଶର୍ମିଷ୍ଠା ପାଢୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ତିନୋଟି ବଡ଼ ମେଡ଼ିକାଲରେ ୧୧ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବି ପୂରଣ ନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ୨୦୧୫-୧୬ରେ ପ୍ରଥମେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ସୁପର ସ୍ପେଶାଲିଟି, ସ୍ପେଶାଲିଟି ଓ ଡେଣ୍ଟିଷ୍ଟ ସର୍ଜନ ପଦବି ପୂରଣ ପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ଏହାପରେ ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ ସଂଶୋଧନ କରାଯାଇ ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଏସସିବି, ଏମକେସିଜେ ପାଇଁ ୮ ପଦବି ଓ ବୁର୍ଲା ମେଡ଼ିକାଲ ପାଇଁ ୩ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଓପିଏସସି ଫଳ ପ୍ରକାଶ କରି କୃତକାର୍ଯ୍ୟ ହୋଇଥିବା ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୮ଜଣଙ୍କ ଏସସିବି, ବ୍ରହ୍ମପୁର ଓ ସମ୍ବଲପୁର ନିମନ୍ତେ ୩ଜଣଙ୍କ ନାଁ ସରକାରଙ୍କୁ ସୁପାରିଶ କରିଥିଲା। ଯେହେତୁ ୩ ପ୍ରାର୍ଥୀ ଉଭୟ ବିଜ୍ଞପ୍ତି ଅନୁଯାୟୀ କୃତକାର୍ଯ୍ୟ ହୋଇଛନ୍ତି; ତେଣୁ ଏହି ପଦବି ପୂରଣ ନିମନ୍ତେ ବିଚାରକୁ ନିଆଯାଇ ନିଯୁକ୍ତି ଦିଆଯାଉ ବୋଲି ପ୍ରାର୍ଥନା କରି ଡାକ୍ତର ଶର୍ମିଷ୍ଠା ପାଢୀ ସ୍ୟାଟରେ ଏକ ମାମଲା ଦାୟର କରିଥିଲେ। ସ୍ୟାଟ୍ ଏହି ପ୍ରସଙ୍ଗରେ ଶୁଣାଣି କରି ମାସକ ମଧ୍ୟରେ ଖାଲି ଥିବା ପଦବି ପୂରଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ୟାଟଙ୍କ ଆଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗ ୨୦୧୭, ସେପ୍ଟେମ୍ବର ୧୨ରେ ଓପିଏସସିକୁ ଏକ ଚିଠି ଲେଖି ନାଁ ସୁପାରିଶ ପାଇଁ ଅନୁରୋଧ କରିଥିଲା। କିନ୍ତୁ ଆବେଦନକାରୀଙ୍କୁ ନିଯୁକ୍ତି ଦିଆଯାଇ ନଥିଲା। ଆବେଦନକାରୀ ସ୍ୟାଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।
from ଜିଲ୍ଲା – Sambad https://ift.tt/2LYblkC