ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ମାମଲା : କଠୋର ହେଲେ ସୁପ୍ରିମକୋର୍ଟ

zisanmohammad
0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବାପରେ ଏହି ମାମଲାକୁ ସୁପ୍ରିମ୍‌ କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି। ଆଜି ସୁପ୍ରିମ୍‌ କୋର୍ଟ ଉନ୍ନାଓ ଦୁଷ୍କର୍ମ ଏବଂ ଦୁର୍ଘଟଣା ସଂକ୍ରାନ୍ତ ସମସ୍ତ ୫ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସୁପ୍ରିମ୍‌ କୋର୍ଟ ମାମଲାର ନିୟମିତ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଶୁଣାଣି ପ୍ରକ୍ରିୟା ୪୫ ଦିନ ମଧ୍ୟରେ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି। ସଡ଼କ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ମଧ୍ୟ ସପ୍ତାହକ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦଶ ଦିଆଯାଇଛି।

ଏହାସହିତ ସୁପ୍ରିମ୍‌ କୋର୍ଟ ପୀଡ଼ିତାଙ୍କ ସଂପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା ଅନ୍ତରୀଣ ସହାୟତା ଆସନ୍ତାକାଲି ସୁଦ୍ଧା ପ୍ରଦାନ କରିବା ଲାଗି ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ପୀଡ଼ିତା ଏବଂ ତାଙ୍କ ଓକିଲଙ୍କୁ ଯଦି ଦିଲ୍ଲୀ ସ୍ଥାନାନ୍ତର କରିବା ସମ୍ଭବ ତା’ହେଲେ ଉଭୟଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିବାକୁ କୋର୍ଟ କହିଛନ୍ତି। ଏହା ସହିତ ପୀଡ଼ିତା ଏବଂ ମାମଲାର ସାକ୍ଷୀମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ତତ୍କାଳ କାର୍ଯ୍ୟକାରୀ କରି ପୀଡ଼ିତାଙ୍କ ପରିବାରକୁ ସିଆର୍‌ପିଏଫ୍‌ ଦ୍ବାରା ସୁରକ୍ଷା ଉପଲବ୍ଧ କରାଇବାକୁ କୁହାଯାଇଛି।

ରାୟବରେଲି ଜେଲ୍‌ରେ ଥିବା ପୀଡ଼ିତାଙ୍କ ଦାଦାଙ୍କୁ ସେଠାରୁ ତିହାର୍‌ ଜେଲ୍‌କୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଆଦେଶ ଦିଆଯାଇଛି ।

ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ବାସ୍ଥ୍ୟକୁ ନେଇ ଆଜି ସୁପ୍ରିମ୍‌ କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମାମଲାରେ ଶୁଣାଣି ଚାଲିଥିବା ବେଳେ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡିପୀଠ କହିଥିଲେ ଯେ ଏହି ମାମଲାରେ ଅଧିକ ବିଳମ୍ବ ନକରି ନ୍ୟାୟିକ ପ୍ରକ୍ରିୟା ଶେଷ କରିବାକୁ ହେବ। ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ସଂପତ ମୀନାଙ୍କୁ କୋର୍ଟ ତଲବ କରି ପୀଡ଼ିତାଙ୍କ ପିତାଙ୍କର କେଉଁ ପରିସ୍ଥିତିରେ ହାଜତ ମୃତ୍ୟୁ ଘଟିଥିଲା ସେ ନେଇ କଡ଼ା ପ୍ରଶ୍ନ କରିଥିଲେ। ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେଂଗରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେ ପୀଡ଼ିତାଙ୍କ ପରିବାର ଉପରେ ଚାପ ସୃଷ୍ଟି କରିବାକୁ ପୀଡ଼ିତାଙ୍କ ପିତାଙ୍କୁ ବେଆଇନ ଭାବେ ଅସ୍ତ୍ର ରଖିବା ମାମଲାରେ ଫସାଇ ଗିରଫ କରାଇଥିଲେ। ପରବର୍ତ୍ତୀ ସମୟରେ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ଘଟିଥିଲା। କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ଏ ବାବଦରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର ସମ୍ଭବ କି ନୁହେଁ ସେ ସଂକ୍ରାନ୍ତରେ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଲକ୍ଷ୍ନୌ କିଙ୍ଗ୍‌ ଜର୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟ ଅନୁଯାୟୀ ପୀଡ଼ିତା ଓ ତାଙ୍କ ଓକିଲଙ୍କୁ ବିମାନ ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯାଇ ପାରିବ ବୋଲି ମେହେଟା କହିଥିଲେ। ପରିବାର ସଦସ୍ୟ ଯଦି ଚାହିବେ, ତା’ହେଲେ ତୁରନ୍ତ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯିବାକୁ ସୁପ୍ରିମ୍‌ କୋର୍ଟ କହିଥିଲେ। ପୀଡ଼ିତା ଓ ତାଙ୍କ ଓକିଲଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସୁପ୍ରିମ୍‌ କୋର୍ଟ ସଂପୂର୍ଣ୍ଣ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2Kl22YB

Post a Comment

0Comments
Post a Comment (0)