୪୮ ବର୍ଷ ପରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ତାଲିମପ୍ରାପ୍ତଙ୍କ ଦରମା ପ୍ରସଂଗ

zisanmohammad
0

କଟକ: ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ସ୍ନାତକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ କ୍ଷେତ୍ରରେ ‘ତାଲିମପ୍ରାପ୍ତ ଗ୍ରାଜୁଏଟ୍ ସ୍କେଲ ଅଫ୍ ପେ’ ଲାଗୁ କରିବାକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ କାଏମ ରହିଛି। ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ହାଇକୋର୍ଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟର କରିଥିବା ରିଟ୍ ଅପିଲକୁ ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.‌କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି। ଫଳରେ ଅଣତାଲିମପ୍ରାପ୍ତ ସ୍ନାତକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କ କ୍ଷେତ୍ରରେ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତଙ୍କ ଦରମା ଲାଗୁ ‌ପାଇଁ ବାଟ ଫିଟିଛି। ପ୍ରତିପକ୍ଷ ଶିକ୍ଷକଙ୍କ ତରଫରୁ ଆଇନଜୀବୀ ଜ୍ୟୋତିର୍ମୟ ଗୁପ୍ତା ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରଜୁଏଟ ସ୍କେଲ ଅଫ୍ ପେ ପ୍ରଦାନ ପାଇଁ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୬, ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ। ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନେ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଉଥିବା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାକୁ ଯୋଗ୍ୟ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଏପରି ପରିସ୍ଥିତିରେ ୪୮ ବର୍ଷ ବୟସ ପୂରିବା ଦିନ ଠାରୁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦରମା ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ପାଇଁ ଲାଗୁ କରି ତାଙ୍କୁ ନୂଆ ସଂଶୋଧିତ ଦରମା ଓ ଏ ବାବଦ ପୁରୁଣା ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୁଇ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ ହେବ। ଯଦି ଏଥିରେ ବିଳମ୍ବ କରାଯାଏ ତେବେ ଆବେଦନକାରୀ ଶିକ୍ଷକଙ୍କୁ ୯ ପ୍ରତିଶତ ସୁଧ ସହିତ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ସରକାରଙ୍କ ରିଟ୍ ଅପିଲର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ନଭେମ୍ବର ୨୪ର ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଅନ୍ୟପକ୍ଷରେ ୨୦୧୬ର ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଶିକ୍ଷକମାନେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଅଦାଲତ ଅବମାନନା ମାମଲା ବିଚାରାଧୀନ ଥିବା ବେଳେ ସରକାରଙ୍କ ରିଟ୍ ଅପିଲର ଶୁଣାଣି ଚାଲିଥିଲା। ଏହି ପ୍ରସଂଗ ନେଇ ହାଇକୋର୍ଟରେ ଶତାଧିକ ମାମଲା ଦାୟର ହୋଇଥିଲା।



from ଜିଲ୍ଲା – Sambad http://bit.ly/2Lf5MyI

Post a Comment

0Comments
Post a Comment (0)