ନୂଆ ଜର୍ସି ପିନ୍ଧିବ ଭାରତୀୟ ଦଳ

zisanmohammad
0

ଲଣ୍ଡନ୍:ସପ୍ତାହକ ପରେ ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ ଦଳ କିଛି ମ୍ୟାଚ୍‌ରେ ନିଜ ମୂଳ ଜର୍ସିରେ ପରିବର୍ତନ କରି ଖେଳିବ। ଫୁଟବଲ୍ ଭଳି କୌଣସି ଦଳ ବାହାରେ ଖେଳୁଥିବା ବେଳେ ଏହା ପ୍ରତିଦ୍ବନ୍ଦ୍ବୀ ଦଳର ରଙ୍ଗ ସହ ସମାନ ଥିଲେ ଜର୍ସି ରଙ୍ଗ ପରିବର୍ତନ କରି ଖେଳିବ ବୋଲି ଆଇସିସି ନିଷ୍ପତ୍ତି ନେଇଛି। ଆଗାମୀ ବିଶ୍ବକପ୍‌ରେ ହିଁ ଏହା ଲାଗୁ ହେବ। ଏଥର ବିଶ୍ବକପ୍‌ରେ ୪ଟି ଦେଶ ଇଂଲଣ୍ଡ, ଭାରତ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଅଂଶଗ୍ରହଣ କରୁଛନ୍ତି‌ ଯେଉଁମାନଙ୍କ ମୂଳ ରଙ୍ଗ ନୀଳ। ଏଥର ବିଶ୍ବକପ୍‌ରେ ପ୍ରତି ଦଳ ପରସ୍ପରକୁ ଭେଟିବାକୁ ଥିବାରୁ ଖେଳିବା ବେଳେ ଏହା ଦ୍ବନ୍ଦ୍ବ ସୃଷ୍ଟି କରିବା ଆଶଙ୍କା ରଖିଛି। ଏହାକୁ ଏଡ଼ାଇବାକୁ ରଙ୍ଗ ପରିବର୍ତନ ଆବଶ୍ୟକ ପଡ଼ିଛି। ଇଂଲଣ୍ଡ ଆୟୋଜକ ଥିବାରୁ ଅନ୍ୟ ୩ ଦଳ ଯେତେ‌‌ବେଳେ ଇଅନ୍ ମୋର୍ଗାନଙ୍କ ଦଳକୁ‌ ଭେଟିବେ ରଙ୍ଗ ପରିବର୍ତନ କରିବେ। ଭାରତ ନିଜର ବିଶ୍ବକପ୍‌ ଜର୍ସି ଉନ୍ମୋଚନ କରିନଥିଲେ ମଧ୍ୟ ଏହାର ଆଗପଟ ଗାଢ଼ ନୀଳ, ହାତ ଓ ପିଠି କମଳା ରଙ୍ଗ ରହିବ ବୋଲି ସୂଚନା ମିଳିଛି। ଭାରତ ଜୁନ୍ ୨୨ ତାରିଖରେ ଆଫଗାନିସ୍ତାନ ଏବଂ ଜୁନ୍‌ ୩୦ ତାରିଖରେ ଇଂଲଣ୍ଡ୍ ସହ ଖେଳିବା ବେଳେ ଏହି ନୂଆ ଜର୍ସି ପରିଧାନ କରିବେ। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ କିନ୍ତୁ ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ନିଜର ପାରମ୍ପରିକ ନୀଳ ଜର୍ସି ପରିଧାନ କରି ଖେଳିବେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଘରୋଇ ଦଳ ଭାବେ ପରିଗଣିତ କରାଯାଇଥିବାରୁ କୋହଲିଙ୍କ ଦଳକୁ ପରିବର୍ତିତ ନୂଆ ଜର୍ସି ପରିଧାନ କରିବାକୁ ପଡ଼ିବ ନାହିଁ।
ଅନ୍ୟପକ୍ଷରେ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ପାଖାପାଖି ସମାନ ସବୁଜ ରଙ୍ଗର ଜର୍ସି ରଖିଥିବାରୁ କିଛି ମ୍ୟାଚ୍‌ରେ ସେମାନଙ୍କୁ ମଧ୍ୟ ପରିବର୍ତିତ ଜର୍ସିରେ ଖେଳିବାକୁ ପଡ଼ିବ। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ୍‌କୁ କିନ୍ତୁ ଏଭଳି ବାହ୍ୟ ଜର୍ସି ବ୍ୟବହାର ଲାଗି ଆବଶ୍ୟକତା ପଡ଼ିବ ନାହିଁ। ଏହି ୩ ଦଳ ନିଜ ନିଜ ପାରମ୍ପରିକ ପସନ୍ଦର ଜର୍ସି ପରିଧାନ କରି ସମସ୍ତ ମ୍ୟାଚ୍‌ ଖେଳିବେ।



from ଖେଳ – Sambad http://bit.ly/2JzdGS1

Post a Comment

0Comments
Post a Comment (0)