ଆଇପିଏଲ୍‌ରେ ପାଞ୍ଚ ଓଭର ରୋମାଞ୍ଚ ସହ ବାଙ୍ଗାଲୋର୍ ବିଦା

zisanmohammad
0

ବେଙ୍ଗାଲୁରୁ: ଆଇପିଏଲ୍‌ରେ ମଙ୍ଗଳବାର ବର୍ଷାବାଧାପ୍ରାପ୍ତ ୪୯ତମ ମ୍ୟାଚ୍‌ରେ ୫ ଓଭରିଆ ରୋମାଞ୍ଚ ଦେଖିବାକୁ ମିଳିଛି। କିନ୍ତୁ ପୁନର୍ବାର ବର୍ଷା ହେବାରୁ ଫଳାଫଳ ବାହାରିପାରିନଥିଲା। ଏଥି ସହିତ ବାଙ୍ଗାଲୋର୍ ଆନୁଷ୍ଠାନିକ ଭାବେ ବିଦାୟ ନିଶ୍ଚିତ ହୋଇଥିବା ବେଳେ ରାଜସ୍ଥାନ ଆଶା ସୂତା ଖିଅରେ ଝୁଲିରହିଛି।
ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଏହି ୩୦ ବଲ୍‌ ଭିତରେ ୭ ୱିକେଟ୍‌ ହରାଇଥିଲେ ମଧ୍ୟ ୬୨ ରନ୍ ସଂଗ୍ରହ କରି ନେଇଥିଲା। ବିରାଟ କୋହଲି (୨୫, ୬ ବଲ୍‌, ୩ ଛକା, ୧ ‌ଚୌକା) ଏବଂ ଏବି ଡି’ଭିଲିୟର୍ସ (୧୦, ୪ ବଲ୍‌, ୨ ଚୌକା)ଙ୍କ ପରେ ଆଉ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ବରୁଣ ଆରୋନଙ୍କ ପ୍ରଥମ ଓଭରରୁ ଏହି ଯୋଡ଼ି ୨୩ ରନ୍ (୬, ୬, ୧, ୪, ୨, ୪) ଆଦାୟ କରିଥ‌ିଲେ। ଦ୍ବିତୀୟ ଓଭର ପ୍ରଥମ ୩ ବଲ୍‌ରେ ଶ୍ରେୟସ ଗୋପାଳ ୧୨ ନେଇଥିଲେ ମଧ୍ୟ ପରବର୍ତୀ ୩ ବଲ୍‌ରେ ବିରାଟ କୋହଲି, ଏବି ଡି’ଭିଲିୟର୍ସ ଏବଂ ମାର୍କସ ଷ୍ଟୋଇନିସ୍‌ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଚଳିତ ଋତୁରେ ଏହା ଥିଲା ଦ୍ବିତୀୟ ହ୍ୟାଟ୍ରିକ୍‌। ଏହା ପରେ ବାଙ୍ଗାଲୋର୍ ବ୍ୟାଟସମ୍ୟାନ ପ୍ରତି ଓଭରରେ ଆଉଟ୍ ହୋଇଥିଲେ। ‌ଷ୍ଟୋଇନିସ୍ (୦), କ୍ଲାସେଁ (୬), ଗୁରକିରଟ୍‌ (୬), ପାର୍ଥିବ (୮) ତିଷ୍ଠିନଥିଲେ। ବାଙ୍ଗାଲୋର୍ ପାଳିର କ୍ରମ ୨୩/୦, ୧୨/୩, ୧୦/୧, ୯/୧, ୮/୨ ସହିତ ୬୨/୭ରେ ପହଞ୍ଚିଥିଲା।
ଜବାବରେ ରାଜସ୍ଥାନ ରୟାଲ୍‌ସ ପାଇଁ ସଂଜୁ ସାମସନ୍‌ ଏବଂ ଲିଆମ୍‌ ଲିଭିଙ୍ଗଷ୍ଟୋନ୍ ପାଳି ଆରମ୍ଭ କରିଥିଲେ। ଉମେଶ ଯାଦବ (୧୦), ନଭଦୀପ ସଇନି (୧୨) କିନ୍ତୁ ପ୍ରଥମ ଦୁଇ ଓଭରରେ ମାତ୍ର ୨୨ ରନ୍ ଦେଇଥିଲେ। ସଂଜୁ ସାମସନ୍‌ (୨୮, ୧୩ ବଲ୍‌, ୨‌ ଚୌକା, ୩ ଛକା)ଙ୍କୁ ୟୁଜବେନ୍ଦ୍ର ଚହଲ ଆଉଟ୍ କରିବା ମାତ୍ରେ ବର୍ଷା ପୁଣି ଖେଳ ଆରମ୍ଭ କରିଥିଲା। ସେତେବେଳକୁ ୩.୨ ଓଭରରେ ରାଜସ୍ଥାନ ୧ ୱିକେଟ୍‌ରେ ୪୧ ରନ୍ ସଂଗ୍ରହ କରିବା ସହିତ ୧୦ ବଲରୁ ସମ୍ଭାବ୍ୟ ୨୨ ରନ୍‌ ଦୂରରେ ରହିଯାଇଥିଲା। ୫ ଓଭରିଆ ଶେଷ ବିକଳ୍ପ ଥିବାରୁ ମ୍ୟାଚ୍‌କୁ ତୁରନ୍ତ ବାତିଲ ଘୋଷଣା କରାଯାଇଥିଲା ଏବଂ ଚଳିତ ଋତୁର ପ୍ରଥମ ଦୁଇ ଦଳ ପଏଣ୍ଟ୍‌ ବାଣ୍ଟିଥିଲେ।



from ଖେଳ – Sambad http://bit.ly/2WlCe3G

Post a Comment

0Comments
Post a Comment (0)