
ଭୁବନେଶ୍ବର : ନୂଆପଲ୍ଲୀ ଥାନା ଅଧୀନ ସିଆରପି ଛକରେ ଗତ କିଛି ଦିନ ହେବ କେତେକ ନିଶାସକ୍ତ ଯୁବକ ଉତ୍ପାତ କରୁଛନ୍ତି। ସକାଳୁ ସକାଳୁ ସିଆରପି ଛକ ବସ୍ଷ୍ଟପରେ ଠିଆ ହୋଇ ଯାତ୍ରୀଙ୍କୁ ଏକ ନିର୍ଦିଷ୍ଟ ବସ୍ରେ ଯିବାକୁ ବାଧ୍ୟ କରୁଛନ୍ତି। ଯାତ୍ରୀଟିଏ ଅନ୍ୟ ବସ୍ରେ ଯିବାକୁ ଚାହିଁଲେ ସେମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଭିଡ଼ା ଓଟରା କରୁଛନ୍ତି। ଆଜି ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା ସେହି ଛକରେ। ଜଣେ ବରିଷ୍ଠ ନାଗରିକ ନୂଆପଲ୍ଲୀରୁ କଟକ ଯାଉଥିବା ବେଳେ ତାଙ୍କୁ ଗାଳିଗୁଲଜ କରିବା ସହ ଟଣା ଓଟରା କରିଥିଲେ। ସାଙ୍ଗରେ ଥିବା ତାଙ୍କ ପୁଅ ଏହାର ପ୍ରତିବାଦ କରିବାକୁ ନିଶାସକ୍ତ ଯୁବକଜଣଙ୍କ ତାଙ୍କୁ ଧକ୍କା ମାରିବା ସହ ସେ ପିନ୍ଧିଥିବା ଏକ ମୁଦି ମଧ୍ୟ ଛଡ଼ାଇ ନେଇଥିଲା। ଏନେଇ ସଂପୃକ୍ତ ବରିଷ୍ଠ ନାଗରିକଙ୍କ ପୁଅ ନୂଆପଲ୍ଲୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛନ୍ତି।
କେବଳ ଆଜିର ଘଟଣା ନୁହେଁ, ସେଠାରେ କେତେକ ନିଶାସକ୍ତ ଯୁବକ ସକାଳୁ ସକାଳୁ ଠିଆ ହୋଇ ବରମୁଣ୍ଡା ବସଷ୍ଟାଣ୍ଡରୁ ବାହାରୁଥିବା ଏକ ନିର୍ଦିଷ୍ଟ ବସ୍ରେ ଯିବାକୁ ଯାତ୍ରୀଙ୍କୁ ବାଧ୍ୟ କରୁଛନ୍ତି। ଯିଏ ତାଙ୍କ କଥା ନ ମାନିଲା, ସେମାନେ ତାଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ମଧ୍ୟ ସେମାନେ ଛାଡ଼ୁ ନାହାନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମିସନରେଟ୍ ପୁଲିସ ପକ୍ଷରୁ ଏ ଦିଗରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
from ଅପରାଧ – Sambad http://bit.ly/2JzqBmE