ପଞ୍ଜାବକୁ ପିଟିଲା ଦିଲ୍ଲୀ

zisanmohammad
0

ନୂଆଦିଲ୍ଲୀ: ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍‌ସ ୫ ୱିକେଟ୍‌ରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଛି। ଏଥି ସହିତ ଶ୍ରେୟସ ଆୟରଙ୍କ ଦଳ ଦଶମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହିତ ପ୍ଲେ ଅଫ୍ ସମ୍ଭାବନାକୁ ବଢ଼ାଇଛି। ଅନ୍ୟପକ୍ଷରେ ଆର୍ ଅଶ୍ବିନଙ୍କ ପଞ୍ଜାବ ଦଶମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ୬୧ ରନ୍‌ରେ ୩ ଜଣ ଶୀର୍ଷ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ତେବେ କ୍ରିସ୍ ଗେଲ୍ (୬୯ ରନ୍, ୩୭ ବଲ୍, ୬ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ସହ ମନଦୀପ ସିଂହଙ୍କ ଉପଯୋଗୀ ୩୦ ରନ୍‌ (୨୭ ବଲ୍, ୧ ଚୌକା, ୧ ଛକା) ଓ ହରପ୍ରୀତ ବ୍ରାର୍‌ଙ୍କ ଦ୍ରୁତ ୨୦* ରନ୍ (୧୨ ବଲ୍, ୨ ଚୌକା, ୧ ଛକା) ବଳରେ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍‌ କରି ନେଇଥିଲା। ମୟଙ୍କ ଅଗ୍ରୱାଲ (୨), ଡେଭିଡ୍ ମିଲର (୭) ଓ ସାମ୍ କରନ (୦)ଙ୍କ ବିଫଳତା ଦଳକୁ ସବୁଠୁ‌ ବେଶି ବାଧିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ (୧୨) ମଧ୍ୟ ବିଶେଷ କିଛି କରି ପାରି ନଥିଲେ। ଅନ୍ୟପଟୁ ୱିକେଟ୍ ପତନ ଧାରା ଜାରି ରହିବା କିନ୍ତୁ ଗେଲ୍‌ଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରି ନଥିଲା। ମାତ୍ର ୨୫ ବଲ୍‌ରୁ ୨୦୦ ଷ୍ଟ୍ରାଇକ୍ ରେଟ୍ ସହ ୬ ଚୌକା ଓ ୩ ଛକା ବଳରେ ସେ ଆଉ ଏକ ଆଇପିଏଲ୍ ଅଧର୍ଶତକ ହାସଲ କରି ନେଇଥିଲେ। ନେପାଳୀ ସ୍ପିନର ସନ୍ଦୀପ ଲାମିଚାନେଙ୍କୁ ଲଗାତାର ଛକା ମାରିବା ପ୍ରୟାସରେ ଅବଶ୍ୟ ସେ ତ୍ରୟୋଦଶ ଓଭର ଦ୍ବିତୀୟ ବଲ୍‌ରେ ସୀମାରେଖା ନିକଟରେ ଧରାପଡ଼ିଥିଲେ। କଲିନ୍ ଇନଗ୍ରାମ ଡିପ ମିଡ୍‌ୱିକେଟ୍ ସୀମାରେଖା ନିକଟରେ କ୍ୟାଚ୍‌ ନେଇଥିଲେ ମଧ୍ୟ ସନ୍ତୁଳନ ହରାଇବାରୁ ପ୍ରାୟ ୧୦ ଗଜ ଦୂରରେ ଥିବା ଅକ୍ଷର ପଟେଲଙ୍କୁ ବଲ୍‌ ଫିଙ୍ଗି ଆଉ ଏକ ଚମତ୍କାର ରିଲେ କ୍ୟାଚ୍‌ର ନିଦର୍ଶନ ଛାଡ଼ିଥିଲେ। ମାତ୍ର ୩ ବଲ୍ ପରେ କରନଙ୍କୁ କଟ୍ ଆଣ୍ଡ ବୋଲ୍ଡ କରି ଲାମିଚାନେ ପଞ୍ଜାବକୁ ଲଗାତାର ଝଟ୍‌କା ଦେଇଥିଲେ। ଗେଲ୍ ଗଲା ପରେ ରନ୍ ହାର ଯଥେଷ୍ଟ କମି ଯାଇଥିଲା। ଏହା ହିଁ ପଞ୍ଜାବ ୨୦୦ ରନ୍ ଛୁଇଁ ନପାରିବାର ପ୍ରମୁଖ କାରଣ ହୋଇଥିଲା। ଅଧିନାୟକ ଆର ଅଶ୍ବିନ (୧୬) ରନ୍‌ ହାର ବଢ଼ାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ଆଂଶିକ ସଫଳ ହୋଇ ନଥିଲେ। ଜବାବରେ ପୃଥ୍ବୀ ସ’ (୧୩) ରନ୍‌ ଆଉଟ୍ ହୋଇଯିବାରୁ ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଅଭିଜ୍ଞ ଶିଖର ଧାୱନ (୫୬, ୪୧ ବଲ, ୭ ଚୌକା, ୧ ଛକା) ଏବଂ ଅଧିନାୟକ ଶ୍ରେୟସ ଆୟର (୫୮*, ୪୯ ବଲ୍, ୫ ଚୌକା, ୧ ଛକା)ଙ୍କ ଅର୍ଧଶତକ ଦିଲ୍ଲୀ ପାଇଁ ଯଥେଷ୍ଟ ହୋଇଥିଲା। ଦ୍ବିତୀୟ ୱିକେଟ୍‌ ପାଇଁ ଉଭୟ ୮.୨ ଓଭରରେ ୯୨ ରନ୍‌ର ଭାଗୀଦାରି ପ୍ରତିଷ୍ଠା କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଶେଷ ଭାଗରେ କିଛି ୱିକେଟ୍‌ କାଢ଼ିଥିଲେ ମଧ୍ୟ ପଞ୍ଜାବକୁ ଏହା ବିଜୟ ଛଡ଼ାଇ‌ ନେବାର ସୁଯୋଗ ଦେଇନଥିଲା। ଆୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୬୩/୭ (କ୍ରିସ୍ ଗେଲ୍-୬୯, ମନଦୀପ ସିଂହ-୩୦, ହରପ୍ରୀତ ବ୍ରାର-୨୦*, ସନ୍ଦୀପ ଲାମିଚାନେ-୩/୪୦, ଅକ୍ଷର ପଟେଲ-୨/୨୨, କାଗିସୋ ରବାଦା-୨/୨୩)। ଦିଲ୍ଲୀ କ୍ୟାପିଟାଲ୍‌ସ ୧୯.୪ ଓଭରରେ ୧୬୬/୫ (ଶିଖର ଧାୱନ-୫୬, ଶ୍ରେୟସ ଆୟର-୫୮*, ହର୍ଦସ ଭିଲଜୋଏନ୍‌-୨/୩୯, ମହମ୍ମଦ ସାମି-୧/୨୧)।



from ଖେଳ – Sambad http://bit.ly/2Zn0PXA

Post a Comment

0Comments
Post a Comment (0)