୮ରେ ଆସିବେ ପଞ୍ଚଦଶ ଅର୍ଥ କମିସନ

zisanmohammad
0

ନୂଆଦିଲ୍ଲୀ : ଆସନ୍ତାମାସ ୮ ତାରିଖରେ ପଞ୍ଚଦଶ ଅର୍ଥ କମିସନ୍‌ ଓଡ଼ିଶା ଗସ୍ତ କରିବେ। ଗସ୍ତ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇସାରିଛି। ହେଲେ ରାଜ୍ୟ ସରକାରଙ୍କ ନିକଟରୁ ବର୍ତ୍ତମାନ ସୁଦ୍ଧା ପଞ୍ଚଦଶ ଅର୍ଥ କମିସନ୍‌ଙ୍କୁ ସ୍ମାରକପତ୍ର ପଠାଯାଇ ନଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସୂତ୍ର ଅନୁଯାୟୀ ଯେକୌଣସି ରାଜ୍ୟକୁ କମିସନ୍‌ଙ୍କ ଗସ୍ତର ଗୋଟିଏ ମାସ ନ‌ଚେତ ଦୁଇ ସପ୍ତାହ ପୂର୍ବରୁ ରାଜ୍ୟର ପ୍ରସ୍ତାବ ସମ୍ପର୍କିତ ସ୍ମାରକପତ୍ର ପଠାଯାଇଥାଏ। ପ୍ରସ୍ତାବରେ ରାଜ୍ୟ ସରକାର ଟିକସ ରାଶିର ଆବଣ୍ଟନ, ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ସମ୍ପର୍କିତ ତାଲିକା, ରାଜ୍ୟର ଆର୍ଥିକ ସ୍ଥିତି, ନଗଦ ଅର୍ଥ ସ୍ଥିତି, ବିତ୍ତିୟ ଶୃଙ୍ଖଳା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଲ୍ଳେଖ କରିଥାନ୍ତି। ଆସନ୍ତା ୫ ବର୍ଷ ପାଇଁ ରାଜ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ଆବଶ୍ୟକତା ନେଇ ରାଜ୍ୟ ସରକାର ସ୍ମାରକପତ୍ର ଦ୍ବାରା ଅବଗତ କରିଥାନ୍ତି। ରାଜ୍ୟ ସରକାରଙ୍କ ସ୍ମାରକପତ୍ର ଉପରେ ରାଜ୍ୟର ଅଡିଟର ଜେନେରାଲ କମିସନ୍‌ଙ୍କ ନିକଟରେ ସ୍ବତନ୍ତ୍ର ଉପସ୍ଥାପନ କରିବେ। ଏହାପରେ କମିସନ୍‌ ରାଜ୍ୟ ଗସ୍ତ କରିବେ। ତେବେ ଖୁବ୍‌ ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାରକପତ୍ର ପହଞ୍ଚିବ ବୋଲି କମିସନ୍‌ ଆଶାବାଦୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ପଞ୍ଚଦଶ ଅର୍ଥ କମିସନ୍‌ ସମୁଦାୟ ୧୫ଟି ରାଜ୍ୟ ଗସ୍ତ କରି ସାରିଛନ୍ତି। ଆସନ୍ତା ମାସ କମିସନ୍‌ ଓଡ଼ିଶା ଓ ଉତ୍ତରପ୍ରଦେଶ ଗସ୍ତ କରିବେ। ରାଜ୍ୟସଭାର ପୂର୍ବତନ ସାଂସଦ ଏନ୍‌କେ ସିଂହଙ୍କୁ କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିସନ୍‌ର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବାପରେ କମିସନ୍‌ ସମସ୍ତ ରାଜ୍ୟ ଗସ୍ତ କରି ଅକ୍ଟୋବର ୨୦୧୯ ସୁଦ୍ଧା ଚୁଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି। କମିସନ୍‌ଙ୍କ ନିକଟରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରାଗଲେ ଏନେଇ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ପାଇଁ କମିସନ୍‌ ସୁପାରିସ କରିବେ ବୋଲି ଜଣାପଡ଼ିଛି।



from ବାଣିଜ୍ୟ – Sambad http://bit.ly/2T8zggU

Post a Comment

0Comments
Post a Comment (0)