
ପୁରୀ : ଜମ୍ମୁ-କଶ୍ମୀର ପାଇଁ ଦୀର୍ଘ ୭୦ ବର୍ଷ ଧରି ଲାଗୁ ହୋଇ ଆସିଥିବା ଧାରା-୩୭୦କୁ ଉଚ୍ଛେଦ କରି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ସ୍ବାଗତ କରିଛନ୍ତି। ଏହି ନିଷ୍ପତ୍ତି କେବଳ ମାନବାଧିକାରକୁ ସମ୍ମାନ ଦେବନି, ଜମ୍ମୁ-କଶ୍ମୀର ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ବୋଲି ସେ କହିଛନ୍ତି। ଏହାଦ୍ବାରା ହିନ୍ଦୁମାନଙ୍କୁ ବିଭାଜନ କରିବାର ବହୁବର୍ଷର ଷଡ଼ଯନ୍ତ୍ର ବନ୍ଦ ହୋଇଯାଇଛି ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି।
ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ କହିଥିଲେ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ-୩୭୦ର ପ୍ରଣୟନ ଏଠାରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ବିଭାଜନ କରିବାର ଷଡ଼ଯନ୍ତ୍ର ଥିଲା। ଇଂରେଜମାନେ ଏହି ଷଡ଼ଯନ୍ତ୍ର ରଚିଥିଲେ, ଯାହାକୁ ପରବର୍ତୀ ସମୟରେ ଆଇନ୍ର ମାନ୍ୟତା ମିଳିଲା। ଏହି ଆଇନ୍ ବଳରେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ବିଭେଦ ସୃଷ୍ଟି କରି ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଇଛି। ନେହେରୁଙ୍କ ଅମଳରୁ ଲାଗୁ ହୋଇଥିବା ଅନୁଚ୍ଛେଦ-୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ ତଥା ନିରସ୍ତ୍ର କରିବା ନିଷ୍ପତ୍ତିକୁ ମୁଁ ସ୍ବାଗତ ଜଣାଉଛି। ଏହି ନିଷ୍ପତ୍ତି ରାଷ୍ଟ୍ରର ହିତ ପାଇଁ ଉଦ୍ଦିଷ୍ଟ। କିନ୍ତୁ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ତାକୁ ଜଗିରଖି ପାଳନ କରିବାକୁ ହେବ। ମନୋବଳ ଦୃଢ଼ କରି, ପରିସ୍ଥିତିକୁ ଦେଖି ଏବଂ ବୁଝି ବିଚାରି କାମ କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ତଥା ଲକ୍ଷ୍ୟକୁ ହାସଲ ପାଇଁ ଶଙ୍କରଚାର୍ଯ୍ୟ ଚାରିଟିକିଆ ମନ୍ତ୍ର ଦେଇଛନ୍ତି। କହିଛନ୍ତି, ଏଥିପାଇଁ ପ୍ରଥମେ ନିୟତ ତଥା ଭାବନା ଶୁଦ୍ଧ କରିବାକୁ ହେବ। ଦ୍ବିତୀୟରେ ନୀତି ଶୁଦ୍ଧ କରିବାକୁ ହେବ। ତୃତୀୟରେ ନୀତିକୁ କ୍ରିୟାନ୍ବିତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା ବି ଶୁଦ୍ଧ ହେବା ଆବଶ୍ୟକ। ଚତୁର୍ଥରେ ଯେଉଁମାନେ ଏହି ଦାୟିତ୍ବ ନେଇଛନ୍ତି, ସେମାନେ ବି ଶୁଦ୍ଧ ହେବା ଦରକାର। ଯଦି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସଫଳ ହେଲା, ଏହା ପୂରା ବିଶ୍ବ ପାଇଁ ବରଦାନ ସଦୃଶ ହେବ। ହିନ୍ଦୁମାନେ ବିଶ୍ବବାସୀଙ୍କ ପାଇଁ ଆଦର୍ଶ ପାଲଟିଯିବେ। ସରକାର ଏ ଦିଗରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ଆଜିର ଏହି ନିଷ୍ପତ୍ତିକୁ ମୁଁ ଯଥେଷ୍ଟ ସମ୍ମାନ ଜଣାଉଛି। ସାମ୍ବାଦିକ ସମ୍ମିଳନୀରେ ଗୋବର୍ଦ୍ଧନ ପୀଠର ମୁଖପାତ୍ର ମନୋଜ କୁମାର ରଥଙ୍କ ସମେତ ଶିଷ୍ୟମାନେ ଉପସ୍ଥିତ ଥିଲେ।
from ଜିଲ୍ଲା – Sambad https://ift.tt/2M3UywI