ମଣିଆକୋଟ ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା : କର୍ମଚାରୀଙ୍କ ଅଣଦେଖା ଯୋଗୁଁ ଆଦିବାସୀ ଶିଶୁ ଅପପୁଷ୍ଟିର ଶିକାର

zisanmohammad
0

ନୂଆଗାଁ : ସରକାର ଶିଶୁମାନଙ୍କୁ ସୁସ୍ଥ ରଖିବାକୁ କାହିଁ କେତେ ଯୋଜନା କରି ଆସୁଛନ୍ତି। ଶିଶୁମାନେ ପୁଷ୍ଟ ହୋଇ ବଢ଼ିବା ପାଇଁ ଦୈନିକ ରନ୍ଧାଖାଦ୍ୟଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ, ଭିଟାମିନ୍ ମେଡିସିନ୍ ଆଦି ଯୋଗାଇ ଦିଆଯାଉଛି। କିନ୍ତୁ ସରକାରୀ କର୍ମଚାରୀଙ୍କ ଅଣଦେଖା ପାଇଁ ଶିଶୁମାନେ ଆଜି ରୋଗଗ୍ରସ୍ତ ହୋଇପଡ଼ୁଛନ୍ତି। ଏହାର ନିଛକ ଉଦାହରଣ ନୂଆଗାଁ ବ୍ଲକ୍ ଗୁମୀ ପଞ୍ଚାୟତ ମଣିଆକୋଟ ଆଦିବାସୀ ଗାଁରେ ଦେଖିବାକୁ ମିଳିଛି। ଗାଁର ଏକକାଳୀନ ୧୦ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଶିଶୁ ବିକାଶ ଅଧିକାରୀ, ଘଟଣା ନଜରକୁ ଆସିଲେ ଆମେ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଉପଯୁକ୍ତ ଦାୟିତ୍ବ ନିର୍ବାହ କରିବୁ ବୋଲି କହିଛନ୍ତି।

ଘଟଣାରୁ ପ୍ରକାଶ, ସରକାରଙ୍କ ନିୟମାବଳୀ ଅନୁଯାୟୀ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଯୋଗେ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଶିଶୁକୁ ପ୍ରତି ମାସରେ ଥରେ ଓଜନ କରାଯାଇ ଭିଟାମିନଯୁକ୍ତ ଖାଦ୍ୟ ଏବଂ ମେଡିସିନ୍ ଦିଆଯିବାର ବ୍ୟବସ୍ଥା ରହିଛି। କିନ୍ତୁ ମଣିଆକୋଟ ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ଗାଁରେ ମୋଟ ୨୪ ଜଣ ଶିଶୁ ଥିଲା ବେଳେ ୧୦ ଜଣ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏଠାରେ ଶିଶୁମାନେ ଏବେ ଅପପୁଷ୍ଟିର ଶିକାର ହୋଇ ବ୍ୟାଧୀଗ୍ରସ୍ତ ହୋଇପଡ଼ିଥିବା ଜଣାପଡ଼ିଛି। ଗତବର୍ଷ ଅକ୍ଟୋବର ମାସରେ ଅଙ୍ଗନବାଡ଼ି କର୍ମୀ ସବିତା ଯାନୀଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡ଼ିଥିଲା। ୧୧ ମାସ ହେବ ମଣିଆକୋଟ ଗାଁର ଶିଶୁମାନଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଶିଶୁମାନଙ୍କୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ଦିଆଯାଇ ନଥିଲା। ଏବେ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ବିଭିନ୍ନ ପ୍ରକାର ରୋଗବ୍ୟାଧୀରେ ଶଢୁଛନ୍ତି।

ଗାଁର କୈଳାସ ଯାନୀଙ୍କ ପୁଅ ଶିବୁ, ବ୍ରଜବନ୍ଧୁ ଯାନୀଙ୍କ ପୁଅ ଜିତୁ, ସୁଶାନ୍ତ ଯାନୀଙ୍କ ପୁଅ ଜନକ ଆଦି ଦଶ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଗ୍ରାମବାସୀଙ୍କ କହିବା କଥା ବର୍ଷ ବର୍ଷ ଧରି ଗାଁକୁ କୌଣସି ସରକାରୀ କର୍ମଚାରୀଙ୍କ ପାଦ ପଡ଼େନି। ଗାଁଟି ଅପାନ୍ତିଆ ସ୍ଥାନରେ ଥିବାରୁ ସରକାରୀ ବାବୁମାନେ ଯିବାକୁ ଅନିଚ୍ଛା ପ୍ରକାଶ କରନ୍ତି। ଏଠାରେ ସଚେତନତା ଏବଂ ସରକାରୀ ଯୋଜନା ଧୂଆଁବାଣ ବୋଲି ସେମାନେ କହିଛନ୍ତି। କେବଳ ଜନ୍ମରୁ ୫ ବର୍ଷ ବୟସର ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଛନ୍ତି, ତାହା ନୁହେଁ; ସାତରୁ ଆଠ ବର୍ଷ ବୟସର ପିଲାଙ୍କ ଅବସ୍ଥା ଗାଁରେ ଏବେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ମଣିଆକୋଟ ଗାଁ ନୁହେଁ ଗୁମୀ, ଜାକେଡ଼ା, କାପ୍ତାପଲ୍ଲୀ, ସିଙ୍ଗାରପଲ୍ଲୀ ଆଦି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ଗାଁଗୁଡ଼ିକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇ ଶିଶୁମାନଙ୍କୁ ଚିହ୍ନଟ କରି ଚିକିତ୍ସା କରିବାକୁ ସାଧାରଣରେ ଦାବି ହୋଇଛି। ଏବେ ୧୫ ଦିନ ହେବ ମାଣିଆକୋଟ ଅଙ୍ଗନବାଡ଼ି କେନ୍ଦ୍ରରେ ସବିତା ଯାନୀଙ୍କ ସ୍ଥାନରେ ପ୍ରଭାତି ମଲ୍ଲିକଙ୍କୁ ନିଯୁକ୍ତି ଦିଆଯିବା ପରେ ରନ୍ଧାଖାଦ୍ୟ ଦିଆଯାଉଥିବା ଗ୍ରାମବାସୀମାନେ କହିଛନ୍ତି। ଏହି ଘଟଣାରେ ଶିଶୁ ବିକାଶ ଅଧିକାରୀ ଆରତୀ ତ୍ରିପାଠୀ ଜନ୍ମରୁ ୫ ବର୍ଷ ବୟସର ଶିଶୁମାନଙ୍କୁ ଆମେ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରିବୁ ବୋଲି କହିଛନ୍ତି। ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମନୋଜ କୁମାର ସାହୁଙ୍କୁ ପଚାରିବାରୁ, ଅଭିଯୋଗ ଆସିଲେ ଆମେ ଶିଶୁମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିବୁ ବୋଲି ପ୍ରକାଶ କରିଛନ୍ତି।



from ଜିଲ୍ଲା – Sambad https://ift.tt/2KzXBe0

Post a Comment

0Comments
Post a Comment (0)