
ପୁରୀ : ଗରିବ, ବାସହୀନ ବସ୍ତିବାସିନ୍ଦାଙ୍କୁ ଘରପଟ୍ଟା ସାଙ୍ଗକୁ ମାଗଣାରେ ବାସଗୃହ ଓ ଅନ୍ୟାନ୍ୟ ସୁବିଧା ମିଳିବ। ରାସ୍ତାକଡ଼ରେ ବର୍ଷ ବର୍ଷ ଧରି ବସବାସ କରି ଆସୁଥିବା ଗରିବ ବାସହୀନମାନେ ଛାତ ଘରେ ମୁଣ୍ଡ ଗୁଞ୍ଜିବେ। ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଜାଗା ମିସନ୍ ଆରମ୍ଭ କରିଛନ୍ତି। ପୁରୀ ଜିଲ୍ଲା ସମେତ ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ନିଜେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରୁ ଏହି ଯୋଜନାର ଆରମ୍ଭ କରିଛନ୍ତି। କିନ୍ତୁ କିଛି ଦୁର୍ନୀତିଖୋର ରାଜନେତା, ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଜାଣିଶୁଣି ଯୋଗ୍ୟଙ୍କୁ ବାଦ୍ ଦେଇ ଅଯୋଗ୍ୟମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। ଯାହାର ପ୍ରତିଫଳନ ତାଳବଣିଆ ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି। ପେଣ୍ଠକଟା, ତାଳବଣିଆ, ପିକେଆରଆଇଟି, ଭୂଦାନ ଆଦି ଅଞ୍ଚଳରେ ଜବରଦଖଲ ବଢ଼ିବାରେ ଲାଗିଛି।

ଏହାର ଉଦାହରଣ ହେଉଛି ବ୍ୟାଙ୍କ କଲୋନି ସମ୍ମୁଖରେ ଥିବା ସରକାରୀ ଜାଗା। କେନ୍ଦ୍ରୀୟ ବିଦ୍ୟାଳୟରୁ ବ୍ୟାଙ୍କ କଲୋନି ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ଏବେ ୫୦ରୁ ଅଧିକ ଲୋକ ସରକାରୀ ଜାଗାକୁ ଜବରଦଖଲ କରି ରଖିଛନ୍ତି। କିଏ କେଉଁଠି ବାଉଁଶ ବୁଲାଇ ଜବରଦଖଲ କରି ରଖିଛି ତ’ କିଏ କେଉଁଠି ମାଟି ଘର ଅବା ଇଟା ଘର ତିଆରି ସାରିଲାଣି। କେଉଁଠି ପଥର ଘର ଏବଂ ଆଉ କେଉଁଠି କ୍ୟାବିନ୍ ପକାଯାଇ ସାରିଲାଣି। ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ଚୁପ୍ ରହୁଥିବାରୁ ଜଣକ ପରେ ଜଣେ ଏହି ଅଞ୍ଚଳକୁ ଜବରଦଖଲ କରିବା ଆରମ୍ଭ କରି ଦେଇଛନ୍ତି। ବାସହୀନମାନେ ଦଖଲ କଲେ ଚଳିବ, କିନ୍ତୁ ସ୍ବଚ୍ଛଳ ବର୍ଗମାନେ ଜାଗା ମିସନରେ ପଟ୍ଟା ଆଶାରେ ଜବରଦଖଲ କରି ରଖିବା ସାଂଘାତିକ କଥା। ଯେଉଁଠି କିଛି ମାସ ପୂର୍ବରୁ ସରକାରୀ ଜାଗା ସଂପୂର୍ଣ୍ଣ ଖାଲିଥିଲା ଏବେ ଉକ୍ତ ଜାଗା ଜବରଦଖଲକୁ ଚାଲିଗଲାଣି। ପରିସ୍ଥିତି ଏପରି ହୋଇଛି ଯେ ଯାଆସ ରାସ୍ତା ବି ସଂକୁଚିତ ହେବାରେ ଲାଗିଲାଣି। ବଡ଼ କଥା ହେଲା, ଏହି ଆଳରେ ଅସାମାଜିକମାନେ ବ୍ୟବସାୟ କରିବା ଆରମ୍ଭ କରି ଦେଇଛନ୍ତି। ଜାଗା ଦଖଲ ଆଳରେ ଟଙ୍କା ଆଦାୟ କରୁଛନ୍ତି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ ବି ପ୍ରଶାସନିକ ସ୍ଥାଣୁତା ଏଥିରେ ବାଧକ ସାଜିଛି।
from ଜିଲ୍ଲା – Sambad https://ift.tt/2TzMaWB