
ପୁରୀ : ଶୋଭା ହରାଉଛି ଶ୍ରୀକ୍ଷେତ୍ର ପୁରୀ। ଗୋଟିଏ ପଟେ ପୁରୀକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ ଅନ୍ୟପଟେ ପୁରୀର ପ୍ରମୁଖ ଆକର୍ଷଣ ଶୋଭା କୁହାଯାଉଥିବା ପ୍ରାଚୀନ ପୀଠସ୍ଥଳୀ, ପଞ୍ଚତୀର୍ଥ, ପ୍ରାଚୀନ ମଠ ଓ ମନ୍ଦିରଗୁଡ଼ିକୁ ହତାଦର କରାଯାଉଛି। ବିକାଶ ତ ଦୂର କଥା, ରାଜାରାଜୁଡ଼ା ଅମଳରୁ ଥିବା ଏହି ପ୍ରାଚୀନ ମଠ, ମନ୍ଦିରଗୁଡ଼ିକୁ ଆଡ଼ ଆଖିରେ ବି ଚାହୁଁନି ପ୍ରଶାସନ। ରକ୍ଷଣାବେକ୍ଷଣ ଅଭାବରୁ ତୀର୍ଥ ପୁଷ୍କରିଣୀଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଆଗ ଭଳି ପର୍ଯ୍ୟଟକ, ତୀର୍ଥଯାତ୍ରୀମାନେ କେହି ମଧ୍ୟ ତୀର୍ଥ ପୁଷ୍କରିଣୀକୁ ବୁଲିବାକୁ ଆସୁନାହାନ୍ତି। ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଏ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥକି ଗଲେଣି।

ମାର୍କଣ୍ଡ ପୁଷ୍କରିଣୀ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ଗୋଟିଏ ପାର୍ଶ୍ବ ପାଚେରି ଭୁଶୁଡି ପଡିଥିବା ବେଳେ ଅନ୍ୟପଟ ପାଚେରିରେ ଶହ ଶହ ସଂଖ୍ୟାରେ ଗଛ ଉଠି କାନ୍ଥକୁ ଫଟାଇ ଦେଲାଣି। ସବୁଠୁ ବଡ଼କଥା ହେଲା, ଏଠାରେ ପାଚେରି ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ବରାଦ ହୋଇଥିଲେ ବି ବିବାଦ ଯୋଗୁ ନିର୍ମାଣ କାମ ଅଧାରୁ ଅଟକି ରହିଛି। ୪ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ପୁଷ୍କରିଣୀରେ ବାହାର ଜଳ ମିଶି ଏହାକୁ ଦୂଷିତ କରୁଛି। ଏଠାରେ ଥିବା ପ୍ରାଚୀନ ମାର୍କଣ୍ଡେୟ ମନ୍ଦିରର ବିକାଶ ମଧ୍ୟ କରାଯାଉନାହିଁ। ପୁଷ୍କରିଣୀ ଅଞ୍ଚଳ ନିଶାଖୋରଙ୍କ ଆଡ୍ମାସ୍ଥଳୀ ପାଲଟିଛି। ସେହିପରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ ତଥା ପଞ୍ଚତୀର୍ଥ ମଧ୍ୟରୁ ପ୍ରମୁଖ ତୀର୍ଥ ପୁଷ୍କରିଣୀ ଇନ୍ଦ୍ରଦ୍ୟୁମ୍ନର ପାଚେରି ଭୁଶୁଡ଼ି ପଡିଛି। ବିକାଶ ତ ଦୂର କଥା ଏହାର ମରାମତି ମଧ୍ୟ କରାଯାଉନି। ପୁରୀର ପ୍ରାଚୀନ ତୀର୍ଥ ପୁଷ୍କରିଣୀ ଏବଂ ମଠ ମନ୍ଦିରର ବିକାଶ ନହେଲେ ବିଶ୍ବ ଐତିହ୍ୟ ସହର ପରିକଳ୍ପନା ଏକ ବୃଥା ଆସ୍ଫାଳନ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।
from ଜିଲ୍ଲା – Sambad https://ift.tt/33CzAdK
