
ଖଣ୍ଡଗିରି : ପୁଣି ଏକ ଚୋରି ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଭରତପୁରର କୁଖ୍ୟାତ ସମ୍ରାଟ ଦାସ(୨୪)କୁ ଗିରଫ କରିଛି। ତା ନିକଟରୁ ୧୦ଟି ଚୋରା ମୋବାଇଲ୍ ଜବତ କରାଯାଇଛି। ଏହି ମାମଲାରେ ସମ୍ରାଟ ସହ ତା’ର ସହଯୋଗୀ ପ୍ରଶାନ୍ତ ପ୍ରଧାନ(୨୮) ଓରଫ୍ ବୁଡ଼ୁକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନାନୁସାରେ ଗତ ଜୁନ୍ ମାସରେ ଖଣ୍ଡଗିରିବାରୀରେ ରହୁଥିବା ଇଲେକ୍ଟ୍ରିକାଲ ମିସ୍ତ୍ରୀ ବିଶ୍ବରଞ୍ଜନ ସାହୁ ଭରତପୁର ସତ୍ୟନଗରସ୍ଥିତ ଜନୈକ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ୍ ମରାମତି କାମ କରିବାକୁ ଯାଇଥିଲେ। ସେ କାମ କରୁଥିବା ବେଳେ ସେଠାରୁ ତାଙ୍କ ମୋବାଇଲ୍ ଫୋନ୍ଟି ଚୋରି ହୋଇଯାଇଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କାମ କରୁଥିବା ବେଳେ ସେଠାକୁ ବୁଡ଼ୁ ଯାଇଥିବାରୁ ସେ ତା’ ଉପରେ ସନ୍ଦେହ କରି ପୁଲିସକୁ ଜଣାଇଥିଲେ। ପୁଲିସ ବୁଡ଼ୁକୁ ପଚରାଉଚରା କରିଥିଲେ ବି ସେ ମନା କରିଦେଇଥିଲା। ଏବେ ସମ୍ରାଟ ନିକଟରୁ ଉକ୍ତ ମୋବାଇଲ୍ ମିଳିବା ପରେ ପୁଲିସ ୨ ଜଣଙ୍କୁ କୋର୍ଟଚାଲାଣ କରିଛି। ଉଲ୍ଲେଖଯୋଗ୍ୟ ଯେ ଭରତପୁର ହନୁମାନବସ୍ତିରେ ରହୁଥିବା କେନ୍ଦ୍ରାପଡ଼ା ଜମ୍ବୁଦ୍ବୀପର ସମ୍ରାଟ ଏମିତି ଚୋରି ଅଭିଯୋଗରେ ପୂର୍ବରୁ ଅନେକ ଥର ଜେଲ୍ ଯାଇଛି।
from ଅପରାଧ – Sambad https://ift.tt/31gCDGo