
ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦ ମାମଲାର ଶୁଣାଣି ସେପ୍ଟେମ୍ବର ୨୮କୁ ଘୁଞ୍ଚିଯାଇଛି। ଆଜି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ହୋଇଥିବା ସଂକ୍ଷିପ୍ତ ଶୁଣାଣିରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଜବାବ ସୁଆଲ ଶେଷ ହୋଇଥିଲା ଏବଂ ଓଡ଼ିଶା ପକ୍ଷରୁ ମାମଲା ସମ୍ପର୍କିତ ଦାଖଲ କରାଯାଇଥିବା ସମସ୍ତ ପ୍ରକାର ନଥିପତ୍ର ଓ ଦସ୍ତାବିଜ୍କୁ ଟ୍ରିବ୍ୟୁନାଲ ରେକର୍ଟରେ ନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ ତାରିଖରେ ହେବ ।
ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲ୍ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ପିଟିସନ୍ ଉପରେ ଶୁଣାଣି କରିବେ। ଓଡ଼ିଶା ପକ୍ଷରୁ ଛତିଶଗଡ଼ର ଅଭିଯୋଗ ପିଟିସନ୍ ଶୁଣାଣି ପାଇଁ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଯିବାରୁ ଟ୍ରିବ୍ୟୁନାଲ୍ ଏନେଇ ଓଡ଼ିଶା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ସେମାନଙ୍କ ଆପତ୍ତି ଦାଖଲ କରି ନିଜ ପକ୍ଷ ରଖିବାକୁ କହିଥିଲେ। ସେପ୍ଟେମ୍ବର ୨୮ରେ ଉପରୋକ୍ତ ରାଜ୍ୟମାନଙ୍କ ଦ୍ବାରା ଚିଠା ପ୍ରସଙ୍ଗ ଗୁଡ଼ିକୁ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରାଯିବ। ଆଜି ଶୁଣାଣି ଆରମ୍ଭରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଓ ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବି ଏ କେ ଗାଙ୍ଗୁଲି ଖଣ୍ଡପୀଠଙ୍କର ପୂର୍ବ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକଳ୍ପ ଅଞ୍ଚଳର ପରିଦର୍ଶନ କରାଯାଇନଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରିଥିଲେ। ବର୍ଷା ଜାରି ରହିଥିବାରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିବା ଉଭୟ ପକ୍ଷଙ୍କ ଦ୍ବାରା ଟ୍ରିବ୍ୟୁନାଲ୍ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୌସୁମୀ ସମୟରେ ଜଳର ପରିମାଣକୁ ଉଚିତ୍ ରୂପେ ଆକଳନ କରାଯାଇ ପାରିବ ନାହିଁ ଏବଂ ବର୍ତ୍ତମାନ ସ୍ଥିତିରେ ଏହା ନିସ୍ଫଳ ପ୍ରୟାସ ହେବ ବୋଲି କୁହାଯାଇଛି। ଅଗଷ୍ଟ ଶେଷରେ ପ୍ରକଳ୍ପ ପରିଦର୍ଶନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯାଇ ସେ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ସେପ୍ଟେମ୍ବର ୨୮ରେ ଅବଗତ କରାଯିବ ବୋଲି ଉଭୟ ପକ୍ଷଙ୍କ ଦ୍ବାରା କୁହାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଟ୍ରିବ୍ୟୁନାଲରେ ଛତିଶଗଡ଼ର ପ୍ରତିଜବାବ ଉପରେ ଉତ୍ତର ଦାଖଲ କରାଯିବା ସହିତ ଅତିରିକ୍ତ ନଥିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।
from ଦେଶ- ବିଦେଶ – Sambad https://ift.tt/2Ku2oMW