
ହାଇଦ୍ରାବାଦ: ହାଇଦ୍ରାବାଦର ଗୋଟାଏ ହୋଟେଲ୍ରେ ୧୦୦ ଦିନରୁ ଅଧିକ କାଳ ରହିଥିବା ଜଣେ ବ୍ୟକ୍ତି ୧୨. ୩୪ ଲକ୍ଷ ଟଙ୍କାର ବିଲ୍ ପୈଠ ନ କରି ଫେରାର ହୋଇ ଯାଇଥିବା କଥା ଶନିବାର ଦିନ ପୁଲିସ କହିଛି।
ତାଜ୍ ବଞ୍ଜାରା ହୋଟେଲ୍ ମ୍ୟାନେଜ୍ମେଣ୍ଟ୍ ଦାଏର କରିଥିବା ଅଭିଯୋଗ ଆଧାରରେ ପୁଲିସ ବିଶାଖାପାଟଣାର ବ୍ୟବସାୟୀ ବୋଲି କୁହାଯାଉଥିବା ଏ. ଶଙ୍କର ନାରାୟଣ ନାମକ ସେ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଓ ବିଶ୍ୱାସଘାତ ମାମଲା ରୁଜୁ କରିଛି।
ହୋଟେଲ୍ ମ୍ୟାନେଜ୍ମେଣ୍ଟ୍ କହିବା ଅନୁସାରେ ଗୋଟାଏ ଲକ୍ଜୁରି ସୁଟ୍ରେ ଲୋକଜଣକ ୧୦୨ ଦିନ ରହିଥିଲେ। ସେ ବାବଦରେ ସମୁଦାୟ ୨୫. ୯୬ ଲକ୍ଷ ଟଙ୍କା ବିଲ୍ରୁ ସେ ୧୩. ୬୨ ଲକ୍ଷ ପୈଠ କରିବା ପରେ ଲୋକଟି ଏ ବର୍ଷ ଏପ୍ରିଲ୍ ମାସରେ କାହାକୁ କୌଣସି ସୂଚନା ନ ଦେଇ ହୋଟେଲ୍ ଛାଡ଼ି ପଳାଇଥିଲେ।
ତା’ପରେ ହୋଟେଲ୍ କର୍ମଚାରୀମାନେ ତାଙ୍କ ସହ ଯୋଗାଯୋଗ କରିବାରୁ ସେ ବିଲ୍ ବାବଦ ବାକି ଅର୍ଥ ପରିଶୋଧ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କିନ୍ତୁ, ପରେ ସେ ତାଙ୍କର ମୋବାଇଲ୍ ସୁଇଚ୍ ଅଫ୍ କରି ଦେଇଥିଲେ। ଏଥର ବାଧ୍ୟ ହୋଇ ହୋଟେଲ୍ ମ୍ୟାନେଜର୍ ବଞ୍ଜାରା ହିଲ୍ସ୍ ଥାନାରେ ଏତଲା ଦାଏର କଲେ।
ସବ୍-ଇନ୍ସ୍ପେକ୍ଟର୍ ପି ରବି କହିଛନ୍ତି, ହୋଟେଲ୍ ମ୍ୟାନେଜ୍ମେଣ୍ଟ୍ର ଅଭିଯୋଗ ଆଧାରରେ ଆମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ।
ବ୍ୟବସାୟୀଜଣକ ଦାବି କରୁଛନ୍ତି ଯେ ବିଲ୍ ବାବଦ ଅର୍ଥ ବୁଝାମଣା କରିବା ପରେ ହୋଟେଲ୍ ଛାଡ଼ିଥିଲେ। ତାଙ୍କୁ ବଦନାମ କରାଯାଉଥିବାରୁ ହୋଟେଲ୍ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।
from ଦେଶ- ବିଦେଶ – Sambad https://ift.tt/31xuduE
