
ଚମ୍ପୁଆ : ବିଜ୍ଞପ୍ତି ଜାରି ହେବା ପରେ ଚମ୍ପୁଆବାସୀ ଖୁସି ହୋଇଥିଲେ। ମାତ୍ର ଜଙ୍ଗଲ କିସମ ଜମି ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ବପ୍ନ ମଉଳି ଯାଇଛି। ଚଳିତବର୍ଷ ନାମ ଲେଖା ପ୍ରକ୍ରିୟା ବି ହୋଇପାରି ନାହିଁ। ଫଳରେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଖୁବଶୀଘ୍ର ନାମଲେଖା ଆରମ୍ଭ ହେବ ବୋଲି ଜଣାଯାଇଛି।
ଚଳିତ ଶିକ୍ଷାବର୍ଷଠାରୁ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ହେବା ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ଚଳିତ ବର୍ଷ ଦେଶର ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଆରମ୍ଭ ହେଉଥିବା ବେଳେ ଏଥିରେ ଚମ୍ପୁଆର ନାଁ ନାହିଁ। ତତ୍କାଳୀନ ସାଂସଦ ଶକୁନ୍ତଳା ଲାଗୁରୀଙ୍କ ଉଦ୍ୟମ କ୍ରମେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଓ ଆନନ୍ଦପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ତିନିବର୍ଷ ତଳୁ କ୍ୟାବିନେଟ ମଞ୍ଜୁରି ମିଳି ସାରିଛି। ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ଆନନ୍ଦପୁରରେ ଜମି ଯୋଗାଇ ଦିଆଯିବା ପରେ ଏଠାରେ ଚଳିତ ବର୍ଷ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶ ଦେଇଛି। ଅନ୍ୟପଟେ ଚମ୍ପୁଆରେ କଣ୍ଟା ସାଜିଛି ଜଙ୍ଗଲ ଜମି। ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚମ୍ପୁଆ ଏନ୍ଏସିର ରାମାଲା ଗ୍ରାମରେ ୮ ଏକର ଜମି ଚିହ୍ନଟ ହୋଇଥିଲା। ଜମିର କିସମ ପରିବର୍ତ୍ତନ ଦାୟିତ୍ବ ଏକ ଖଣି କମ୍ପାନିକୁ ଦିଆଯାଇଥିଲା। ଏଥିରୁ ମାତ୍ର ୨ ଏକର ୫୦ ଡିସିମିଲ ଜମିର କିସମ ପରିବର୍ତ୍ତନ ପାଇଁ ବନ ବିଭାଗ ଅନୁମତି ଦେଇଛି। ଅନ୍ୟ ଜମିର କିସମ ପରିବର୍ତ୍ତନ ହୋଇ ନଥିବାରୁ ଜମି ହସ୍ତାନ୍ତର କରିବା ସମ୍ଭବ ହେଉନି। ଯେଉଁଥିପାଇଁ ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇପାରୁନି। ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହୋଇଥିବା ବେଳେ ଚମ୍ପୁଆ ବାଦ୍ ପଡ଼ିଥିବାରୁ ଅଞ୍ଚଳବାସୀ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଚମ୍ପୁଆ ବିକାଶ ପରିଷଦର ଅନୁରୋଧ କ୍ରମେ ତହସିଲଦାର ଆଲୋକ କୁମାର ପଟେଲ ପ୍ରସ୍ତାବିତ ଜମି ବୁଲି ଦେଖିଛନ୍ତି।
ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ କରିବା ପାଇଁ ସ୍ଥାନୀୟ ଚନ୍ଦ୍ରଶେଖର କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଜମି ହସ୍ତାନ୍ତର ପ୍ରକ୍ରିୟା ସରି ନଥିବାରୁ ଚଳିତବର୍ଷ ଚମ୍ପୁଆଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇପାରିନାହିଁ। ଏ ସମ୍ପର୍କରେ ତହସିଲଦାର ଆଲୋକ କୁମାର ପଟେଲଙ୍କୁ ପଚାରିବାରୁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।
from ଜିଲ୍ଲା – Sambad https://ift.tt/31vLYdw