କୋର୍ଟ ପରିସରରୁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ଘଟଣା : ନିଲମ୍ବିତ ହେଲେ ୫ ପୁଲିସ କର୍ମଚାରୀ

zisanmohammad
0

ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର କୋର୍ଟ ପରସରରୁ ଦୁଷ୍କର୍ମ ଅଭିଯୁକ୍ତ ତପନ କୁମାର ରାଉତ ଓରଫ୍ ବଣି ଚମ୍ପଟ ମାରିବା ଘଟଣାରେ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହାବିଲଦାର ଓ ୪ ଜଣ କନେଷ୍ଟବଳ ରହିଛନ୍ତି। ଏମାନେ ସମସ୍ତେ ରିଜର୍ଭ ପୁଲିସ ଅଧୀନ‌ରେ କାର୍ଯ୍ୟ କରୁଥିଲେ। ସେମା‌ନେ ହେଲେ ହାବିଲଦାର ବିଜୟଲକ୍ଷ୍ମୀ ପାତ୍ର, କନେଷ୍ଟବଳ ଅନାଥ ବେହେରା, ସୁଶାନ୍ତ ନାୟକ, ପ୍ରକାଶ ପ୍ରଧାନ ଓ ରେବତୀ ବେହେରା। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ସମସ୍ତଙ୍କୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାପୁର ବ୍ଲକ୍‌ ଅନ୍ତର୍ଗତ କରବର ଗ୍ରାମର ଦୁଷ୍କର୍ମ ଅଭିଯୁକ୍ତ ତପନ ଗତ ଜୁନ୍ ୯ ତାରିଖରେ ଗିରଫ ହୋଇ ଖଣ୍ଡପଡ଼ା ଉପ-କାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲା। ଚଳିତ ମାସ ୯ ତା‌ରିଖରେ ପୁଲିସ ତାକୁ ଭାପୁର କୋର୍ଟର ହାଜର କରାଇବା ପାଇଁ ନେଉଥିବା ବେଳେ ସେ ତୃତୀୟ ଥର ପାଇଁ ପୁଲିସ୍‌କୁ ଚକ୍‌ମା ଦେଇ ଖସିଯାଇଥିଲା। ପୂର୍ବରୁ ସେ ଦୁଇ ଥର ଫେରାର୍‌ ହୋଇଥିବା ବେଳେ ଖଣ୍ଡପଡ଼ା ଓ ଭାପୁର ପୁଲିସ ତାକୁ ଧରିଥିଲା। ଜୁନ୍ ୧୧ ତାରିଖରେ ଜେଲ୍ ଭିତରେ ଖାଇବାକୁ ଦିଆଯାଉଥିବା ସମୟରେ ତପନ ନିଜ ପିନ୍ଧା ଲୁଗା ଓ ପଥର ବ୍ୟବହାର କରି ୯ ଫୁଟ୍ ଉଚ୍ଚ ପାଚେରି ଡେଇଁ ଫେରାର୍‌ ହୋଇଯାଇଥିଲା। ଫେରାର୍‌ ହେବାର ଗୋଟିଏ ଦିନ ପରେ ପୁଲିସ ତାକୁ ଖୋଜି ତା’ ଗାଁ ନିକଟରୁ ଗିରଫ କରିଥିଲା ଏବଂ ‌ଖଣ୍ଡପଡ଼ା ଜେଲ୍‌ରେ ଭର୍ତ୍ତି କରିଥିଲା।

ତେବେ ଗତ ୩ ତାରିଖରେ ତପନ ‌ପୁନଶ୍ଚ ଜେଲ୍ ପାଚେରି ଡେଇଁ ଫେରାର ହେବାରେ ସକ୍ଷମ ହୋଇଥିଲା। ଏହି ଘଟଣାରେ ଜଣେ ୱାଡେନ୍‌ଙ୍କୁ ନିଲମ୍ବିତ କରାଯାଇଥିଲା। ‌ଏହି ଭଳି ତିନି ତିନି ଥର ତପନ ଖସିଯିବାରେ ସକ୍ଷମ ହୋଇଥିଲା। ଯାହା ଜେଲ୍ କର୍ମଚାରୀ ତଥା କୋର୍ଟକୁ ନେବା ସମୟରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ପାରିବାପଣିଆକୁ ପଦାରେ ପକାଇବା ସହ ପୁଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତୃତୀୟ ଥର ପାଇଁ ଫେରାର୍‌ ହୋଇଥିବା ତପନ ଏ ପର୍ଯ୍ୟନ୍ତ ଧରାପଡ଼ିନାହିଁ।



from ଜିଲ୍ଲା – Sambad https://ift.tt/33ooglf

Post a Comment

0Comments
Post a Comment (0)