କାଦୁଅ ସରସର ରାସ୍ତା, ଲୋକେ ଭୋଗୁଛନ୍ତି ହୀନସ୍ତା

zisanmohammad
0

ଚାନ୍ଦୋଳ: ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତ ଅନ୍ତର୍ଗତ ରଜାଙ୍ଗ ଗ୍ରାମବାସୀ ତିନିଦିନ ହେଲାଣି କାଦୁଅବନ୍ଦୀ ଅବସ୍ଥାରେ ରହିଛନ୍ତି। ରାସ୍ତା କାଦୁଅରେ ଭରି ରହିଛି। ଲୋକେ ଦହଗଂଜ ହେଉଛନ୍ତି। ଠିକାଦାରଙ୍କ ମନମାନୀ କାର୍ଯ୍ୟଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଉଠିଛି। ରାସ୍ତା ଅବସ୍ଥା ଏପରି ହୋଇଛି ଗାଁକୁ ଗାଡ଼ିମଟର ଯିବା ତ ଦୂରର କଥା ଚାଲିକରି ଯାଇ ହେଉନାହିଁ।
ସୂଚନାରୁ ପ୍ରକାଶ ଯେ, ୨୦୧୮ ଡିସେମ୍ବର ୧୨ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧କୋଟି ୩୯ ଲକ୍ଷ ଟଙ୍କା ବ୍ୟୟରେ ସଲାର ମଠ ପାଖରୁ ରଜାଙ୍ଗ ଦେଇ କେଶରପୁର ଯାଏ ୩ କିମି ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ ତତ୍କାଳୀନ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ଦ୍ବାରା କରାଯାଇଥିଲା। ଠିକାଦାର ଜଣକ ପ୍ରଥମେ ଅଳ୍ପ କିଛି କାମ କରି କାମ ବନ୍ଦ କରି ଦେଇଥିଲେ। ବର୍ଷାଋତୁ ଆରମ୍ଭର କିଛି ଦିନ ପୂର୍ବରୁ ନିକଟସ୍ଥ ଦଣ୍ତା ଓ ଗୋଚରରୁ ମାଟି ତାଡ଼ି ରାସ୍ତାରେ ପକାଇ ପୁନର୍ବାର କାମ ଆରମ୍ଭ କରିଥିଲେ। କାର୍ଯ୍ୟ ଆରମ୍ଭ କରି ବନ୍ଦ କରିବା, ପୁନର୍ବାର ଆରମ୍ଭ କରି ମନ୍ଥର ଗତିରେ କାମ କରିବା ଯୋଗୁ ପ୍ରାକ୍ ମୌସୁମୀ ବର୍ଷାରେ ରାସ୍ତା ଉପରେ ପଡ଼ିଥିବା ମାଟି ଧୋଇଯାଇ କର୍ଦ୍ଦମାକ୍ତ ହୋଇପଡ଼ିଛି। ସେହି ରାସ୍ତାରେ ଗାଡ଼ିମଟର ଯିବାତ ଦୂରର କଥା ଚାଲିକରି ଯିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଶିଳାନ୍ୟାସର ଦୀର୍ଘ ୬ ମାସ ପରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ବଦଳରେ ଆରମ୍ଭ ହେଉଥିବାରୁ, ଠିକାଦାରଙ୍କର ଏହି ମନମାନୀ କାର୍ଯ୍ୟରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷାଋତୁରେ ସହଜ ଚଳପ୍ରଚଳ ପାଇଁ ବ୍ୟବସ୍ଥା କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ଏହି କାଦୁଅ ରାସ୍ତାକୁ ଯଦି ତୁରନ୍ତ ଯାତାୟତ ଉପଯୋଗୀ ନ କରାଗଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।



from ଜିଲ୍ଲା – Sambad http://bit.ly/2ZNXdxj

Post a Comment

0Comments
Post a Comment (0)