ପାରାଦୀପରେ ବଟି ଆଦାୟ ଗ୍ୟାଙ୍ଗ୍

zisanmohammad
0

ଜଗତସିଂହପୁର: ବନ୍ଦର ନଗରୀ ପାରାଦୀପରେ କିଛିଦିନ ଧରି ବଟି ଆଦାୟ ଥମି ଯାଇଥିବା ବେଳେ ଏବେ ପୁଣି ଏକାଧିକ ବଟି ଆଦାୟ ଗ୍ୟାଙ୍ଗ୍ ମୁଣ୍ତ ଟେକିବା ଆରମ୍ଭ କଲେଣି। ଜଣେ ଯୁବ ବ୍ୟବସାୟୀଙ୍କୁ ଦୀର୍ଘଦିନ ଧରି ଧମକାଇବା ପରେ ଗତକାଲି ରାତିରେ ତାଙ୍କ ତେଲ ଟ୍ୟାଙ୍କଲର୍‌ ଛଡ଼ାଇ ନେବାକୁ ଉଦ୍ୟମ କରିବା ଅଭିଯୋଗରେ ଆଜି ପାରାଦୀପ ଆଦର୍ଶ ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗିରଫ ହୋଇଥିବା ଯୁବକମାନଙ୍କୁ ଅଭିଯୋଗକାରୀ ଜାଣିଥିଲେ ମଧ୍ୟ ପୁଲିସ ନିକଟରେ ସେମାନଙ୍କ ନାଁ ପ୍ରକାଶ କରିବା ପାଇଁ କୁଣ୍ଠାବୋଧ କରୁଥିଲେ। ବଟି ଆଦାୟ ଗ୍ୟାଙ୍ଗ୍‌ ଧୀରେ ଧୀରେ ସକ୍ରିୟ ହେଉଥିବା ଏଥିରୁ ସ୍ପଷ୍ଟ ବାରି ହେଉଛି।
ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଏହି ଯୁବକମାନେ ହେଲେ ସୁଶାନ୍ତ ସ୍ବାଇଁ, ସୌମ୍ୟରଂଜନ ମହାନ୍ତି ଓ ଅନିଲ କୁମାର ନାୟକ। ଏ ସମସ୍ତେ ପାରାଦୀପରେ ରୁହନ୍ତି। ଅଭିଯୋଗକାରୀ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଅଞ୍ଚଳର ଅନୁରାଗ ମିଶ୍ର ପାରାଦୀପରେ ରହି ଜାହାଜରୁ ବାହାରୁଥିବା ପୁରୁଣା ତେଲ ବ୍ୟବସାୟ କରନ୍ତି। ସୁଶାନ୍ତଙ୍କର ଆଖି ବହୁଦିନ ତଳୁ ଅନୁରାଗଙ୍କ ବ୍ୟବସାୟ ଉପରେ ପଡ଼ିଥିଲା। ସେ ଅନୁରାଗଙ୍କୁ ଉକ୍ତ ତେଲରୁ ଅଧା ଦେବା ପାଇଁ କହିଥିଲେ। ଏଥିପାଇଁ ଖୋଲାଖୋଲି ଧମକ ବି ଦେଇଥିଲେ। ସୁଶାନ୍ତ ଓ ତା’ ସହଯୋଗୀଙ୍କ ଧମକରେ ଅନୁରାଗ ଭୟଭୀତ ହୋଇଥିଲେ ବି ତେଲ ଦେବାକୁ ରାଜି ହୋଇ ନ ଥିଲେ। ଗତକାଲି ରାତିରେ ବନ୍ଦର ଗେଟ୍-୨ରୁ ଅନୁରାଗଙ୍କ ତେଲ ଭର୍ତ୍ତି ଟ୍ୟାଙ୍କଲର ଆସୁଥିବା ଖବର ପାଇଁ ସୁଶାନ୍ତ ଏବଂ ତା’ ସହଯୋଗୀମାନେ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ଟ୍ୟାଙ୍କଲର୍‌ ଚାଳକଙ୍କୁ ଧମକ ଦେବା ସହ ଟ୍ୟାଙ୍କଲର୍‌ ଚାବି ଛଡ଼ାଇ ନେଇଥିଲେ। ଏ ଖବର ପାଇବା ପରେ ଅନୁରାଗ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଯୁବକମାନଙ୍କୁ ଭଲ ଭାବେ ଚିହ୍ନିଥିଲେ ବି ଭୟରେ ଅନୁରାଗ ସେମାନଙ୍କ ନାଁ ପୁଲିସ ନିକଟରେ ପ୍ରକାଶ କରି ନ ଥିଲେ। ମାତ୍ର, ପୁଲିସ ତଦନ୍ତ କରି ଏହି ତିନିଜଣ ଯୁବକଙ୍କ ସମ୍ପର୍କରେ ଜାଣିଥିଲା ଓ ସେମାନଙ୍କୁ ଗିରଫ କରିଥିଲା। ଏମାନଙ୍କ ସହ ଆହୁରି କେତେଜଣ ଯୁବକ ଅଛନ୍ତି ଓ ସେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ରଜନୀକାନ୍ତ ସାମଲ କହିଛନ୍ତି।



from ଜିଲ୍ଲା – Sambad http://bit.ly/2NixQT0

Post a Comment

0Comments
Post a Comment (0)