ମହିଳାଙ୍କ ଦ୍ୱାରା ପରିଚାଳିତ ରେଳଷ୍ଟେସନକୁ ଜାତିସଂଘର ପ୍ରଶଂସା

zisanmohammad
0

ଗାନ୍ଧିନଗର: ମହିଳା ସଶକ୍ତିକରଣ ଦିଗରେ ଭାରତ ଆଉ ଏକ ପାଦ ଆଗକୁ ବଢାଇଛି। ରାଜସ୍ଥାନର ଗାନ୍ଧିନଗର ସ୍ଥିତ ରେଳଷ୍ଟେସନ୍‌ର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ ଭାବେ ମହିଳା କର୍ମଚାରୀଙ୍କୁ ନ୍ୟସ୍ତ କରାଯାଇ ଏହାର ଦକ୍ଷତା ବଢାଇବାରେ ସଫଳ ହୋଇଥିବାରୁ ଜାତିସଂଘ ଭାରତୀୟ ରେଳବାଇକୁ ପ୍ରଶଂସା କରିଛି। ଜାତିସଂଘ ଏକ ଟ୍ୱିଟ୍‌ ଜରିଆରେ ପ୍ରଶଂସା କରି ଉଲ୍ଲେଖ କରିଛି, ମହିଳାମାନେ ରେଳଷ୍ଟେସନ୍‌କୁ ପରିଚାଳନା କରିବା ପରେ ଅଧିକ ଅର୍ଥ ସଂଗ୍ରହ ହେଉଛି ଏବଂ ଯାତ୍ରୀଙ୍କୁ ଉନ୍ନତମାନର ସେବା ଯୋଗାଯାଉଛି। ଉତ୍ତର-ପଶ୍ଚିମ ରେଳ ମଣ୍ଡଳ ଅଧୀନରେ ଥିବା ଜୟପୁର ଜିଲ୍ଲାର ଗାନ୍ଧିନଗର ଷ୍ଟେସନ୍‌କୁ ଗତ ଫେବ୍ରୁଆରୀ ମାସରେ ସମ୍ପୂର୍ଣ ଭାବେ ମହିଳା କର୍ମଚାରୀଙ୍କ ଦାୟିତ୍ୱରେ ନ୍ୟସ୍ତ କରାଯାଇଥିଲା। ଏଠାରେ ନିୟୋଜିତ ୪୦ ଜଣ ମହିଳା କର୍ମଚାରୀ ଷ୍ଟେସନ୍‌ର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ନିଭାଉଛନ୍ତି। ଟିକଟ୍‌ ବିକ୍ରୟକାରୀ, ଟିକଟ୍‌ ସଂଗ୍ରହକାରୀ, ଷ୍ଟେସନ୍‌ ମାଷ୍ଟର୍‌ ଇତ୍ୟାଦି ସମସ୍ତ ପଦରେ ମହିଳାଙ୍କୁ ନିୟୋଜିତ କରାଯାଇଛି। ମହିଳା କର୍ମଚାରୀମାନେ ଦାୟିତ୍ୱ ନେବା ପରେ ୫୨୦ ଜଣକୁ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ବେଳେ ଧରାଯାଇଛି। ଏହା ଗତ ବର୍ଷ ମାତ୍ର ୬୪ ଥିଲା। ଏହି ଷ୍ଟେସନ୍‌ ଦେଇ ପ୍ରତି ଦିନ ୫୦ଟି ଟ୍ରେନ୍‌ ଯାତାୟାତ କରୁଥିବା ବେଳେ ଏଠାରେ ୨୪ଟି ଟ୍ରେନ୍‌ର ରହଣି ଅଛି। ଦୈନିକ ପ୍ରାୟ ୭ ହଜାର ଯାତ୍ରୀ ଏଠାରେ ଉପକୃତ ହେଉଛନ୍ତି। ମହିଳାମାନେ ଦାୟିତ୍ୱ ନେବା ପରେ ବିଭିନ୍ନ ସେବାରେ ଉନ୍ନତି ପରିଲକ୍ଷିତ ହୋଇଛି। ଷ୍ଟେସନ୍‌କୁ ପରିଚ୍ଛନ୍ନ ରଖିବା, ସିସିଟିଭି ବ୍ୟବସ୍ଥା କରାଯିବା ସହ ଯାତ୍ରୀସେବାରେ ମଧ୍ୟ ଅନେକ ସଂସ୍କାରମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି । ମହିଳାଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ଷ୍ଟେସନ୍‌ରେ ମହିଳା ଥାନା ମଧ୍ୟ ସ୍ଥାପନ କରାଯାଇଛି। ଭାରତରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ମାତ୍ର ୨୭ ପ୍ରତିଶତ ଥିବା ବେଳେ ଭାରତୀୟ ରେଳ ତରଫରୁ ମହିଳା ସଶକ୍ତିକରଣ ଦିଗରେ ଏହି ପଦକ୍ଷେପ ନିଆଯାଇ ଉଦାହରଣ ସୃଷ୍ଟି କରାଯାଇଛି। ମୁଖ୍ୟସ୍ରୋତରେ ଥିବା ଷ୍ଟେସନ୍‌ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କୁ ପରିଚାଳନା ଦାୟିତ୍ୱ ଦିଆଯିବାରେ ଏହା ପ୍ରଥମ।



from ଦେଶ- ବିଦେଶ – Sambad http://bit.ly/2HqsxeY

Post a Comment

0Comments
Post a Comment (0)