ମତଦାନ ଶେଷ, ପେଟ୍ରୋଲ୍ ଦର ବୃଦ୍ଧି ଆରମ୍ଭ

zisanmohammad
0

ନୂଆଦିଲ୍ଲୀ: ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନ ସମୟରେ ତେଲ କଂପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧିକୁ ଏକପ୍ରକାର ଅଟକାଇ ଦେଇଥିଲେ। ମତଦାନ ପ୍ରକ୍ରିୟା ଶେଷ ହେବା ସହିତ ଆଜିଠାରୁ ସର୍ବଭାରତୀୟ ସ୍ତରରେ ପେଟ୍ରୋଲ୍ ଓ ଡିଜେଲ ଦରରେ ବୃଦ୍ଧି ଆରମ୍ଭ ହୋଇଯାଇଛି। ସୋମବାର ଦିନ ପେଟ୍ରୋଲ୍‌ ଦର ୯ ପଇସା ବଢ଼ିଥିବା ବେଳେ ଡିଜେଲ ମୂଲ୍ୟ ୧୫ ପଇସା ବଢ଼ିଛି। ଏବେ ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୧ ଟଙ୍କା ୧୨ ପଇସା ଓ ଡିଜେଲ ଦର ୬୬ ଟଙ୍କା ୧୧ ପଇସା ରହିଛି। ସେଠାରେ ବିଗତ ୧୫ ଦିନ ଭିତରେ ଏହି ଦୁଇ ପ୍ରକାର ତେଲ ଦରରେ କୌଣସି ପ୍ରକାର ବୃଦ୍ଧି ହୋଇନଥିଲା।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୨ ଡଲାର ଭଳି ସ୍ତରରେ ପହଞ୍ଚିଯିବା ଏବଂ ଡଲାର ମୂଲ୍ୟ ୭୦ ଟଙ୍କାରୁ ଅଧିକ ରହିବା ସତ୍ତ୍ବେ ମେ’ ମାସର ଅଧିକାଂଶ ଦିନରେ ପେଟ୍ରୋଲ୍ ଓ ଡିଜେଲ ଦର ହ୍ରାସ ପାଇଥିଲା। ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଲେ ଓ ଡଲାର ମହଙ୍ଗା ହେଲେ ତାହାର ସିଧାସଳଖ ପ୍ରତିଫଳନ ପେଟ୍ରୋଲ୍ ଓ ଡିଜେଲ ଦରରେ ଦେଖିବାକୁ ମିଳିଥାଏ। କିନ୍ତୁ ମେ’ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ନିର୍ବାଚନ ସମୟରେ କମ୍ ଦାମ୍‌ରେ ତେଲ ବିକ୍ରି କରିବା ଯୋଗୁ ଯେଉଁ କ୍ଷତି ‌ହୋଇଛି ତାହାକୁ ଭରଣା କରିବା ପାଇଁ ତେଲ କଂପାନିଗୁଡ଼ିକ ଏବେ ତେଲ ଦରକୁ ଆହୁରି ବଢ଼ାଇବେ। ନୂଆ ସରକାର ଗଠନ ହେବା ବେଳକୁ ଦେଶବାସୀଙ୍କୁ ମହଙ୍ଗା ତେଲ ଭାବେ ପ୍ରଥମ ଝଟ୍‌କା ଲାଗିବ। ଇରାନ ଓ ଭେନେଜୁଏଲାରୁ ତେଲ ଆମଦାନି ଏକ ପ୍ରକାର ବନ୍ଦ ହୋଇଯିବା ଏବଂ ଉପସାଗରୀୟ ଦେଶରେ ସଙ୍କଟ ଭଳି ସ୍ଥିତି ଯୋଗୁ ଆଗାମୀ ଦିନରେ ଅଶୋଧିତ ତେଲ ଆହୁରି ମହଙ୍ଗା ହେବ ବୋଲି କୁହାଯାଉଛି। ଯଦି ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଲଗାଇଥିବା ଉଚ୍ଚ ହାରର ଟିକସ ହ୍ରାସ ନକରିବେ ତେବେ ତେଲ କିଣିବା ବେଳେ ଗ୍ରାହକମାନଙ୍କୁ ମୋଟା ଅଙ୍କର ଖର୍ଚ କରିବାକୁ ପଡ଼ିବ।

ତେଲ କଂପାନିଗୁଡ଼ିକ ଗତ ମାର୍ଚ ଓ ଏପ୍ରିଲ ମାସରେ ପେଟ୍ରୋଲ୍‌ ଲିଟର ପିଛା ୫ ଟଙ୍କା ଓ ଡିଜେଲରେ ୩ ଟଙ୍କାର କ୍ଷତି ସହୁଥିଲେ। ମେ’ ମାସରେ ମଧ୍ୟ ସେହି ଧାରା ବଜାୟ ରହିଥିଲା। ଏହି କ୍ଷତିକୁ ଭରଣା କରିବା ପାଇଁ ତେଲ କଂପାନିଗୁଡ଼ିକ ପର୍ଯ୍ୟାୟକ୍ରମେ ପେଟ୍ରୋଲ୍ ଦରରେ ୫ ଟଙ୍କା ଓ ଡିଜେଲ ମୂଲ୍ୟ ୩ ଟଙ୍କା ବଢ଼ାଇପାରନ୍ତି। ୨୦୧୮ରେ ଯେତେବେଳେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୮ ଡଲାର ଥିଲା ସେତେବେଳେ ପେଟ୍ରୋଲ୍ ମୂଲ୍ୟ ୭୮ ଟଙ୍କା ଓ ଡିଜେଲ ଦର ୭୦ ଟଙ୍କା ଥିଲା। ଏକ ହିସାବାରୁ ଜଣାପଡ଼ିଛି ଯେ‌, ବଜାର ଦର ଠାରୁ ୧ ଟଙ୍କା କମ୍ ଦାମ୍‌ରେ ପେଟ୍ରୋଲ୍‌ ଓ ଡିଜେଲ ବିକ୍ରି କଲେ ତେଲ କଂପାନିଗୁଡ଼ିକ ଦୈନିକ ୧୫୦ କୋଟି ଟଙ୍କାର କ୍ଷତି ସହିଥାନ୍ତି। ସେହି ଅନୁଯାୟୀ ଯଦି ହିସାବ କରାଯିବ ତେବେ ଗତ ମାର୍ଚ, ଏପ୍ରିଲ୍ ଓ ଚଳିତ ମେ’ରେ ତେଲ କଂପାନିଗୁଡ଼ିକର କ୍ଷତି କେତେ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବ। ନିର୍ବାଚନ ସମୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ବ୍ରେକ୍ ଲାଗିବା କିଛି ନୂଆ କଥା ନୁହେଁ। ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ତେଲ ଦର ୧୯ ଦିନ ପର୍ଯ୍ୟନ୍ତ ବଢ଼ିନଥିଲା। ନିର୍ବାଚନ ଶେଷ ହେବା ପରେ କ୍ରମାଗତ ୧୬ ଦିନ ପର୍ଯ୍ୟନ୍ତ ତେଲ ଦର ବଢ଼ିଥିଲା। ୨୦୧୭ର ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ୧୪ ଦିନ ପର୍ଯ୍ୟନ୍ତ ତେଲ ଦର ବଢ଼ିନଥିଲା।



from ବାଣିଜ୍ୟ – Sambad http://bit.ly/2wbilRb

Post a Comment

0Comments
Post a Comment (0)