
ମୁମ୍ବାଇ: ଏନ୍ଡିଏ ପୁଣି ଥରେ ଦେଶରେ ସରକାର ଗଠନ କରିବାକୁ ଯାଉଥିବାର ସଙ୍କେତ ଏକ୍ଜିଟ୍ ପୋଲ୍ରୁ ମିଳିବା ପରେ ନିବେଶକମାନେ ବହୁତ ଖୁସି ହୋଇଯାଇଛନ୍ତି। ଏହାର ପ୍ରଭାବ ଆଜି ଷ୍ଟକ ବଜାର କାରବାରରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା। ଉଭୟ ବମ୍ବେ ଷ୍ଟକ ବଜାର ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ ନିବେଶକମାନେ ମନ ଖୋଲି କାରବାର କରିଛନ୍ତି।ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସରେ ଆଜି ୧୪୨୨ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ହୋଇଛି। ଏଥି ସହିତ ଗୋଟିଏ ଦିନରେ ଅଧିକ ପଏଣ୍ଟ୍ ବଢ଼ିବାରେ ସେନ୍ସେକ୍ସର ୧୦ ବର୍ଷ ଧରି ଯେଉଁ ରେକର୍ଡ ଥିଲା ଆଜି ତାହା ଭାଙ୍ଗିଯାଇଛି। ଆଜି ସେନ୍ସେକ୍ସ ୩୯,୩୫୩ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୪୨୧ ପଏଣ୍ଟ୍ ବୃଦ୍ଧି ପାଇ ୧୧,୮୨୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଗୋଟିଏ ଦିନରେ ନିବେଶକମାନେ ୫ ଲକ୍ଷ ୩୩ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି।
ନିବେଶକମାନେ ଆଜି ବ୍ୟାଙ୍କ, ଗାଡ଼ି କଂପାନି, ଆର୍ଥିକ ଅନୁଷ୍ଠାନ ଓ ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ କିଣିଥିଲେ। ବ୍ୟାଙ୍କ ସେୟାର ଅଧିକ ଚାହିଦାରେ ଥିଲା। ଜାତୀୟ ଷ୍ଟକ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ ଥିବା ଆଦାନି ପୋର୍ଟର ସେୟାର ଅଧିକ ବଢ଼ିଥିଲା। ଏହା ବ୍ୟତୀତ ଇଣ୍ଡିଆବୁଲସ୍ ହାଉସିଂ ଫାଇନାନ୍ସ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଟାଟା ମୋଟର୍ସ, ୟେସ୍ ବ୍ୟାଙ୍କ, ଗ୍ରାସିମ୍ ସିମେଣ୍ଟ୍, ଏଲ୍ଆଣ୍ଡ୍ଟି ଓ ଏଚ୍ଡିଏଫ୍ସି ଅଧିକ ଲାଭବାନ ହୋଇଛନ୍ତି। ଆଦାନିର ସେୟାର ମୂଲ୍ୟ ସର୍ବାଧିକ ୨୭% ବଢ଼ିଥିବା ବେଳେ ଷ୍ଟେଟ୍ ବ୍ୟାଙ୍କର ୮% ଓ ଭାରତୀ ଏୟାରଟେଲ୍ର ସେୟାର ମୂଲ୍ୟ ୪% ବଢ଼ିଛି।
ଡଲାର ଦାମ୍ କମିଲା
ନୂଆଦିଲ୍ଲୀ: ଏକ୍ଜିଟ୍ ପୋଲ୍ର ପ୍ରଭାବ କେବଳ ଷ୍ଟକ ବଜାର ନୁହେଁ ମୁଦ୍ରା ବିନିମୟ ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ବେଶ ଦୃଢ଼ ହୋଇଯାଇଛି। ଏକ ଡଲାର ମୂଲ୍ୟ ୬୯ ଟଙ୍କା ୩୬ ପଇସା ସ୍ତରକୁ ଖସିଆସିଛି। ପୂର୍ବରୁ ଗୋଟିଏ ଡଲାର କିଣିବାକୁ ଅଧିକ ୮୬ ପଇସା ଗଣିବାକୁ ପଡ଼ୁଥିଲା। ସରକାରୀ ବଣ୍ଡ୍ ବଜାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ୨ ମାସର ସବୁଠୁ ଉନ୍ନତ ସ୍ତରରେ ପହଞ୍ଚିଯାଇଛି। ଏହା ଦ୍ବାରା ଆମଦାନିକାରୀମାନେ ଲାଭବାନ ହେବେ।
from ବାଣିଜ୍ୟ – Sambad http://bit.ly/2Qd9WWI