ମଉଳିଗଲା ପାକିସ୍ତାନର ଆଶା: ଆରବ ସାଗରରେ ମିଳିଲାନି ତୈଳ, ଗ୍ୟାସ୍‌ ଭଣ୍ଡାର

zisanmohammad
0

କରାଚୀ: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ପାକିସ୍ତାନର ଆଶା ମଉଳିଯାଇଛି। ଆରବ ସାଗରରେ କୌଣସି ତୈଳ ଏବଂ ଗ୍ୟାସ୍‌ର ଭଣ୍ଡାର ନଥିବା ସ୍ପଷ୍ଟ ହୋଇଛି। ଏଠାରେ ତୈଳ ଏବଂ ଗ୍ୟାସ୍‌ ଭଣ୍ଡାରକୁ ନେଇ ବଡ଼ ଆଶା ରଖିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ଏହି ଖବର ଦୁଃଖଦାୟକ ହୋଇଛି। ମାର୍ଚ୍ଚ ମାସରେ ଇମ୍ରାନ୍‌ କହିଥିଲେ, ପାକିସ୍ତାନକୁ ଆଉ ତୈଳ ଆମଦାନୀ କରିବାକୁ ପଡ଼ିବନି ଯଦି ଆରବ ସାଗରର କରାଚୀ ତଟରେ ତୈଳ ଏବଂ ଗ୍ୟାସ୍‌ ଭଣ୍ଡାର ମିଳେ। ଇମ୍ରାନ୍‌ କହିଥିଲେ, ଏହା ହେଲେ ପାକିସ୍ତାନର ଆର୍ଥିକ ସମସ୍ୟାର ସମାଧାନ ହେବା ସହିତ ଦେଶର ବିକାଶରେ କୌଣସି ବାଧା ହେବନି। ଏହା ପରେ ଇଟାଲୀର ଇଏନ୍‌ଆଇ ନାମକ କମ୍ପାନି ଆମେରିକାର ଏକ୍ସନ୍‌ ମୋବିଲ୍‌ ଏବଂ ପାକିସ୍ତାନର ଓଜିଡିସିଏଲ୍‌ ସହ ମିଳିତ ଭାବେ କରାଚୀ ସମୁଦ୍ରତଟ ଠାରୁ ପ୍ରାୟ ୨୮୦ କିଲୋମିଟର ଦୂରରେ ଥିବା କେକ୍‌ରା-୧ କୂପର ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। କେକ୍‌ରା-୧ ବା ଇଣ୍ଡସ୍‌ ଜି-ବ୍ଲକ୍‌ର ୫୫୦୦ ମିଟର ଗଭୀର ପର୍ଯ୍ୟନ୍ତ ସମୁଦ୍ରରେ ଡ୍ରିଲିଂ କରାଯାଇଥିଲା। ତେବେ ଅନୁସନ୍ଧାନ ପରେ ସେଠାରେ ତୈଳ ଏବଂ ଗ୍ୟାସ୍‌ର କୌଣସି ଭଣ୍ଡାର ନଥିବାରୁ ଏହାର ଖନନ କାର୍ଯ୍ୟ ବନ୍ଦ କରିଦିଆଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ତୈଳ ସହାୟକ ନଦିମ୍‌ ବାବର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ଦ କରିଦିଆଯାଇଥିବା ଏହି ଅନୁସନ୍ଧାନ କାର୍ଯ୍ୟ ପାଇଁ ୧୦ ମିଲିୟନ ଡଲାର ଖର୍ଚ୍ଚ ହୋଇଛି।

ତେବେ ଓଜିଡିସିଏଲ୍‌ ପ୍ରବକ୍ତା ଅହମଦ ଲାକ୍‌ କହିଛନ୍ତି, ଏହି ଖନନ କାର୍ଯ୍ୟ ଚାଲୁ ରହିବା ଉଚିତ କାରଣ ଏଠାରେ ହାଇଡ୍ରୋକାର୍ବନ୍‌ ଭଣ୍ଡାର ରହିଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ବିଶେଷଜ୍ଞମାନେ କରାଚୀ ତଟରେ ବମ୍ବେ ହାଇ ତୈଳଭଣ୍ଡାର ଭଳି ବ୍ଲକ୍‌ ଖୋଜିପାଇଥିଲେ। ଉଲ୍ଲେଖଯୋଗ୍ୟ, ୪୦ ଥର ଉଦ୍ୟମ ପରେ ‘ବମ୍ବେ ହାଇ ୱେଲ୍‌’ ଆବିଷ୍କାର ହୋଇଥିଲା।



from ଦେଶ- ବିଦେଶ – Sambad http://bit.ly/2JSwLh3

Post a Comment

0Comments
Post a Comment (0)