ବର୍ଷା ଭୟ ନାହିଁ

zisanmohammad
0

ଲଣ୍ଡନ: ବିଶ୍ବକପ୍ ଆଉ ମାତ୍ର ୬ ଦିନ ଥିଲା ବେଳେ ଅଂଶଗ୍ରହଣକାରୀ ଦଳ ଇଂଲଣ୍ଡରେ ପହଞ୍ଚିବା ଆରମ୍ଭ କଲେଣି। କ୍ରିକେଟପ୍ରେମୀ ନିଜ ପ୍ରିୟ ତାରକାଙ୍କ ଖେଳକୁ ଉପଭୋଗ କରିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଆୟୋଜକମାନେ ମଧ୍ୟ ପାଣି ପାଗ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। କାରଣ ବିଶ୍ବକପ୍ ଭଳି ବୃହତ୍ ପ୍ରତିଯୋଗିତାରେ ବର୍ଷା ବ୍ୟାଘାତ ସୃଷ୍ଟି ହେଉ ବୋଲି କେହି ଚାହାଁନ୍ତି ନାହିଁ। ବର୍ଷା ହେଲେ କେବଳ ଖେଳ ବାଧାପ୍ରାପ୍ତ ହେବ ନାହିଁ, ଏଥିପାଇଁ ଉପଯୋଗ ହେବାକୁ ଥିବା ଡକୱର୍ଥ/ଲୁଇସ୍ ନିୟମ ଭଲ ଭଲ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ। ଇଂଲଣ୍ଡରେ ପାଗ ଅଚାନକ ଖରାପ ‌ହୋଇଯାଉଥିବାରୁ ଏକଥାକୁ ଆୟୋଜକ ଧ୍ୟାନରେ ରଖିଛନ୍ତି। ଭଲ କଥା ହେଲା ବିଶ୍ବକପ୍ ବେଳେ ଇଂଲଣ୍ଡରେ ପାଗ ଖରାପ ହେବା କିମ୍ବା ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ କହିଲେ ଚଳେ। ଇଂଲଣ୍ଡରେ ଆୟୋଜିତ ହୋଇଥିବା ୧୯୯୯ ବିଶ୍ବକପ୍ କିନ୍ତୁ ବର୍ଷା ଯୋଗୁଁ ଢେର ବାଧାପ୍ରାପ୍ତ ହୋଇଥିଲା। କେତେକ ମହତ୍ବପୂର୍ଣ୍ଣ ମ୍ୟାଚ୍ ମଧ୍ୟ ଏହି କାରଣରୁ ବାତିଲ ହୋଇଥିଲା। ଇଂଲଣ୍ଡରେ ଆୟୋଜିତ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ଦୁଇଟି ମ୍ୟାଚ୍‌କୁ ବି ବର୍ଷା ଧୋଇ ନେଇଥିଲା। ତେବେ ଗତ ବର୍ଷ ମେ-ଜୁଲାଇ ମଧ୍ୟରେ ଇଂଲଣ୍ଡରେ ଖେଳା ଯାଇଥିବା ୧୨୬ କାଉଣ୍ଟି ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ସେଥିପାଇଁ ବିଶ୍ବକପ୍ ବେଳେ ଇନ୍ଦ୍ର ଦେବତା ଅପେକ୍ଷାକୃତ ଶାନ୍ତ ରହିବେ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ଆସନ୍ତ ଦେଢ଼-ଦୁଇ ମାସ ମଧ୍ୟରେ ବର୍ଷା ହେବାର ଆଶଙ୍କା କମ୍ ଥିବା ଇଂଲଣ୍ଡ ପାଣିପାଗ ବିଭାଗ ପୂର୍ବାନୁମାନ ଲଗାଇବା ମଧ୍ୟ ଆୟୋଜକଙ୍କୁ ଆଶ୍ବସ୍ତ କରିଛି।



from ଖେଳ – Sambad http://bit.ly/2JZhvPD

Post a Comment

0Comments
Post a Comment (0)