ଜୟପୁର: ଅଧିନାୟକ ବଦଳିବା ସହ ରାଜସ୍ଥାନ ରୟାଲ୍ସର ଭାଗ୍ୟ ଉଜ୍ଜୀବିତ ହୋଇଛି। ଅଜିଙ୍କ୍ୟ ରାହାଣେଙ୍କ ବଦଳରେ ଷ୍ଟିଭେନ୍ ସ୍ମିଥ୍ ନେତୃତ୍ବ ନେବା ପରେ ଦଳ ନୂଆ ଆଶା ପାଇଛି। ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍କୁ ରାଜସ୍ଥାନ ରୟାଲ୍ସ ଶନିବାର ୫ ୱିକେଟ୍ରେ ଜିତିବା ସହିତ ଏହି ଦଳ ବିପକ୍ଷରେ ମଧ୍ୟ ଯୁଗଳ ସଫଳତା ଅର୍ଜନ କରିଛି। ଗତ ସପ୍ତାହରେ ମୁମ୍ବାଇକୁ ମୁମ୍ବାଇରେ ହରାଇଥିବା ରାଜସ୍ଥାନ ଶନିବାର ନବମ ମ୍ୟାଚ୍ରୁ ତୃତୀୟ ବିଜୟ ପାଇଛି। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ଦଳ ଦଶମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି।
ଶନିବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା (୫)ଙ୍କୁ ସଅଳ ହରାଇଥିଲେ ମଧ୍ୟ କ୍ବିଣ୍ଟନ୍ ଡି’କକ୍ (୬୫, ୪୭ ବଲ୍, ୬ ଚୌକା, ୨ ଛକା) ଏବଂ ସୂର୍ଯ୍ୟ କୁମାର ଯାଦବ (୩୪, ୩୩ ବଲ୍, ୧ ଚୌକା, ୧ ଛକା) ଭଲ ମୁଳଦୁଆ ପକାଇଥିଲେ। ହାର୍ଦିକ ପାଣ୍ଡ୍ୟା (୨୩, ୧୫ ବଲ୍), କିରଣ ପୋଲାର୍ଡ (୧୦) ପ୍ରମୁଖ ପ୍ରଭାବହୀନ ରହିବା ମୁମ୍ବାଇକୁ ଶେଷ ଭାଗରେ ନିରାଶ କରିଥିଲା। ଶ୍ରେୟସ ଗୋପାଳ (୪-୦-୨୧-୨), ଷ୍ଟୁଆର୍ଟ ବିନ୍ନି (୩-୦-୧୯-୧) ଏବଂ ଜୋଫ୍ରା ଆର୍ଚର (୪-୦-୨୨-୧)ଙ୍କ ମିତ୍ତବ୍ୟୟୀ ବୋଲିଂ ମୁମ୍ବାଇକୁ ୧୬୧/୫ରେ ସୀମିତ ରଖିଥିଲା।
ଜବାବରେ ସଂଜୁ ସାମସନ୍ (୩୫, ୧୯ ବଲ୍, ୬ ଚୌକା, ୧ ଛକା), ଷ୍ଟିଭେନ୍ ସ୍ମିଥ୍ (୫୯*, ୪୮ ବଲ୍, ୫ ଚୌକା, ୧ ଛକା) ଏବଂ ରିୟାନ୍ ପରାଗ (୪୩, ୨୯ ବଲ୍, ୫ ଚୌକା, ୧ ଛକା)ଙ୍କ ପାଳି ରାଜସ୍ଥାନ ରୟାଲ୍ସକୁ ୫ ବଲ୍ ପୂର୍ବରୁ ବିଜୟୀ କରାଇଥିଲା। ଚଳିତ ଋତୁରେ ଅଧିନାୟକ ଦାୟିତ୍ବ ନେବାର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲୀୟ ତାରକା ଷ୍ଟିଭେନ୍ ସ୍ମିଥ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୧/୫ (କ୍ବିଣ୍ଟନ୍ ଡି’କକ୍-୬୫, ସୂର୍ଯ୍ୟ କୁମାର ଯାଦବ-୩୪, ଶ୍ରେୟସ ଗୋପାଳ-୨/୨୧, ଷ୍ଟୁଆର୍ଟ ବିନ୍ନି-୧/୧୯, ଜୋଫ୍ରା ଆର୍ଚର-୧/୨୨, ଜୟଦେବ ଉନାଦକତ୍-୧/୪୬)। ରାଜସ୍ଥାନ ରୟାଲ୍ସ ୧୯.୧ ଓଭରରେ ୧୬୨/୫ (ଷ୍ଟିଭେନ୍ ସ୍ମିଥ୍-୫୯*, ରିୟାନ ପରାଗ-୪୩, ସଂଜୁ ସାମସନ୍-୩୫, ରାହୁଲ ଚହର-୩/୨୯, ଯଶ୍ପ୍ରୀତ୍ ବୁମରା-୧/୨୧)।
ରାହାଣେ ବହିଷ୍କୃତ; ସ୍ମିଥ୍ଙ୍କୁ ନେତୃତ୍ବ
ଜୟପୁର: ଚଳିତ ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ୮ ମ୍ୟାଚ୍ରୁ ୬ ପରାଜୟ ବରଣ କରିବା ପରେ ଅଧିନାୟକ ଆଜିଙ୍କ୍ୟ ରହାଣେଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି। ଫଳରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ରାହାଣେଙ୍କୁ ଦଳ ଅଧିନାୟକ ଦାୟିତ୍ବରୁ ବହିଷ୍କାର କରିଦେଇଛି। ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କୁ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ପାଇଁ ନେତୃ୍ତ୍ବ ଭାର ଅର୍ପଣ କରିଛି। ଗତ ୨୦୧୮ ସଂସ୍କରଣ ପ୍ରାରମ୍ଭରୁ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ସ୍ମିଥ୍ ରାଜସ୍ଥାନ ରୟାଲ୍ସର ନେତୃତ୍ବ ନେଇଥିଲେ। ହେଲେ ଦକ୍ଷିଣ ଆଫ୍ରିକାରେ ବଲ୍ ବିକୃତ ମାମଲାରେ ଛନ୍ଦି ହୋଇ ଗୋଟିଏ ବର୍ଷ ନିଲମ୍ବନ ଦଣ୍ଡ ପାଇଥିବାରୁ ରୟାଲ୍ସ ଦଳରୁ ବାହାରେ ରହିଥିଲେ। ଯେଉଁଥିପାଇଁ ଚଳିତ ଆଇପିଏଲ୍ ସଂସ୍କରଣ ଆରମ୍ଭରୁ ତାଙ୍କ ବଦଳରେ ରାହାଣେଙ୍କୁ ରୟାଲ୍ସ ଦଳର ଅଧିନାୟକ ମନୋନୀତ କରାଯାଇଥିଲା। ହେଲେ ରାହାଣେଙ୍କ ନେତୃତ୍ବରେ ରୟାଲ୍ସ ଚଳିତ ସଂସ୍କରଣରେ ୮ ମ୍ୟାଚ୍ ଖେଳି ମାତ୍ର ୨ ବିଜୟ ସହ ପଏଣ୍ଟ୍ ତାଲିକାର ସପ୍ତମ ସ୍ଥାନରେ ରହିଥିଲା। ଲିଗ୍ ପର୍ଯ୍ୟାୟରେ ଆଉ ୬ ମ୍ୟାଚ୍ ବାକିଥିବାରୁ ପ୍ଲେ-ଅଫ୍ ଆଶା ମଧ୍ୟ କ୍ଷୀଣ ହୋଇପଡ଼ିଥିଲା। ତଥାପି ଅବଶିଷ୍ଟ ମ୍ୟାଚ୍ ଜିତି ପ୍ଲେ-ଅଫ୍ରେ ସ୍ଥାନ ଅକ୍ତିଆର କରିବା ଆଶାରେ ରାହାଣେଙ୍କୁ ବହିଷ୍କାର କରି ଦଳ ସ୍ମିଥ୍ଙ୍କୁ ଅଧିନାୟକ ଦାୟିତ୍ବକୁ ଫେରାଇ ଆଣିଛି। ହେଲେ ସ୍ମିଥ୍ ମେ’ ୧ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଦଳ ସହ ରହିପାରିବେ। ଏହାପରେ ସେ ବିଶ୍ବକପ୍ ପ୍ରସ୍ତୁତି ପାଇଁ ସ୍ବଦେଶ ଫେରିଯିବେ। ତାଙ୍କ ବ୍ୟତୀତ ଦଳର ଦୁଇ ଇଂଲଣ୍ଡ ତାରକା ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟ୍ଟଲର୍ ମଧ୍ୟ ଆସନ୍ତା ସପ୍ତାହରେ ଆଇପିଏଲ୍ ଦଳ ଛାଡ଼ି ସ୍ବଦେଶ ଫେରିଯିବେ। ଏହାପରେ ରାଜସ୍ଥାନ ରୟାଲ୍ସର ଭାଗ୍ୟ କ’ଣ ହେବ ତାହା ସମୟ ହିଁ କହିବ।
from ଖେଳ – Sambad http://bit.ly/2ZqvF1y