
ମୁମ୍ବାଇ: ଆଇସିସି ମହିଳା ଚାମ୍ପିଅନ୍ସିପ୍ ଅନ୍ତର୍ଗତ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ବୋଲରମାନେ ଭାରତକୁ ଦମ୍ଦାର ବିଜୟ ଭେଟି ଦେଇଛନ୍ତି। ବିଶେଷକରି ଏକ୍ତା ବିସ୍ତଙ୍କ ୪ ସାଙ୍ଗକୁ ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମାଙ୍କ ୨ ଲେଖାଏଁ ୱିକେଟ୍ ଦଖଲ ବଳରେ ଭାରତୀୟ ମହିଳା ଦଳ ଶୁକ୍ରବାର ପ୍ରଥମ ଦିନିକିଆରେ ବିଶ୍ବ ବିଜେତା ଇଂଲଣ୍ଡ ମହିଳା ଦଳକୁ ୬୬ ରନ୍ରେ ପରାସ୍ତ କରିଦେଇଛି। ୮-୦-୨୫-୪ର ବୋଲିଂ ଚିତ୍ର ପାଇଥିବା ଏକ୍ତା ବିସ୍ତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଆଉ ଏହି ବିଜୟରୁ ୨ ପଏଣ୍ଟ୍ କରାୟତ କରିଥିବା ଭାରତ ମଧ୍ୟ ମହିଳା ଚାମ୍ପିଅନ୍ସିପ୍ ପଏଣ୍ଟ୍ ତାଲିକାରେ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛି। ମହିଳା ଚାମ୍ପିଅନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ଖେଳିଥିବା ମୋଟ ୧୩ ମ୍ୟାଚ୍ରୁ ସପ୍ତମ ବିଜୟ ସହ ୧୪ ପଏଣ୍ଟ ପାଇଁ ଅଷ୍ଟ୍ରେଲିଆ ପଛକୁ ଦ୍ବିତୀୟରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ୧୦ ମ୍ୟାଚ୍ରୁ ୫ ଲେଖାଏଁ ବିଜୟ ଓ ପରାଜୟ ସହ ୧୦ ପଏଣ୍ଟ୍ ପାଇ ସପ୍ତମ ସ୍ଥାନରେ ରହିଛି।
ଶୁକ୍ରବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଘରୋଇ ଭାରତକୁ ବ୍ୟାଟିଂ ପାଇଁ ଡାକିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟର୍ ଜେମିମା ରୋଦ୍ରିଗୁଏଜ୍ (୪୮) ଓ ସ୍ମୃତି ମାନ୍ଧାନା (୨୪) ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ରେ ୬୯ ରନ୍ ଯୋଡ଼ି ଦୃଢ଼ ମୁଳଦୂଆ ପକାଇଥିଲେ। ହେଲେ ମଧ୍ୟକ୍ରମ ବିପର୍ଯ୍ୟୟ ଯୋଗୁଁ ଏକ ସମୟରେ ଦଳ ୯୫ ରନ୍ରେ ୫ ୱିକେଟ୍ ହରାଇ ସଂକଟରେ ପଡ଼ିଯାଇଥିଲା। ତେବେ ମଝିରେ ଅଧିନାୟିକା ମିତାଲି ରାଜ୍ ୪୪, ନିମ୍ନକ୍ରମରେ ତାନିଆ ଭାଟିଆ ୨୫, ଅଭିଜ୍ଞା ଝୁଲଣ ଗୋସ୍ବାମୀ ୩୦ ଓ ଶିଖା ପାଣ୍ଡେ ୧୧ ରନ୍ କରିବାରୁ ଭାରତ ୪୯.୪ ଓଭରରେ ୨୦୨ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଇଂଲଣ୍ଡ ପକ୍ଷରୁ ଏଲ୍ୱିସ୍, ସିଭର୍, ଏକ୍ଲେଷ୍ଟୋନ୍ ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ଦ୍ବିତୀୟ ଓଭରରୁ ଇଂଲଣ୍ଡର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ତଥାପି ଅଧିନାୟିକା ହିଦର ନାଇଟ୍ (୩୯*) ଏବଂ ସିଭର୍ (୪୪)ଙ୍କ ଲଢ଼ୁଆ ପାଳି ଯୋଗୁଁ ଏକ ସମୟରେ ୩ ୱିକେଟ୍ ବିନିମୟରେ ୧୧୧ ରନ୍ କରି ଇଂଲଣ୍ଡ୍ ବିଜୟ ଦିଗରେ ଅଗ୍ରସର ହୋଇଥିଲା। ହେଲେ ଏକ୍ତା ବିସ୍ତଙ୍କ ଘାତକ ବୋଲିଂ ସାଙ୍ଗକୁ ଶିଖା ପାଣ୍ଡେ (୨/୨୧) ଓ ଦୀପ୍ତି ଶର୍ମା (୨/୩୩)ଙ୍କ ଉପଯୋଗୀ ବୋଲିଂ ନିକଟରେ ତିଷ୍ଠିନପାରି ଇଂଲଣ୍ଡ ମାତ୍ର ୨୫ ରନ୍ରେ ଶେଷ ୭ ୱିକେଟ୍ ହରାଇ ପରାଜୟକୁ ଆଦରି ନେଇଥିଲା। ବିସ୍ତ ଗୋଟିଏ ଓଭରରେ ହିଁ ୩ ଜଣଙ୍କୁ ଖାତା ଖୋଲିବାକୁ ନ ଦେଇ ପ୍ୟାଭିଲିୟନ୍ ପଠାଇ ଦେବା ଭାରତ ବିଜୟର ମୁଖ୍ୟ ଆକର୍ଷଣ ଥିଲା। ଫଳରେ ୧୩୬ ରନ୍ରେ ୭ ୱିକେଟ୍ ହରାଇଥିବା ଇଂଲଣ୍ଡ ସେହି ସ୍କୋର୍ରେ ହିଁ ସଫା ହୋଇଗଲା। ପୂର୍ବରୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ହ୍ୟାଟ୍ରିକ୍ (ଲଗାତାର ୩ ୱିକେଟ୍) ଅର୍ଜନ କରିଥିବା ବିସ୍ତ ପ୍ରଥମ ଥର ଲାଗି ଦିନିକିଆ ଆନ୍ତର୍ଜାତିକରେ ଗୋଟିଏ ଓଭରରେ ୩ ୱିକେଟ୍ ନେଇଥିଲେ ମଧ୍ୟ ହ୍ୟାଟ୍ରିକ୍ରୁ ବଞ୍ଚିତ ହୋଇଥିଲେ।
from ଖେଳ – Sambad https://ift.tt/2BOM3yN