
ମୁମ୍ବାଇ: ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ଖେଳିବାକୁ ନେଇ କେନ୍ଦ୍ର ସରକାର ଏବଂ ବିସିସିଆଇ ମଧ୍ୟରେ ଏକପ୍ରକାର ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ଖେଳିବା ନିଷ୍ପତ୍ତି ବିସିସିଆଇ ନେବ ବୋଲି ସରକାରଙ୍କ ତରଫରୁ କୁହାଯାଉଥିଲା ବେଳେ ଶୁକ୍ରବାର ଏହାର ସବୁ ଦାୟିତ୍ବ ବିସିସିଆଇ ସରକାରଙ୍କ ମୁଣ୍ଡରେ ଢାଳି ଦେଇଛି। ଶୁକ୍ରବାର ଏହି ମ୍ୟାଚ୍କୁ ନେଇ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ କହିଛନ୍ତି, ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ୍ରେ ଖେଳିବ କି ନାହିଁ ସେ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ। ଏଥିନେଇ ଆସନ୍ତା କିଛି ଦିନ ମଧ୍ୟରେ ସରକାରଙ୍କ ସହ ଆଲୋଚନା ଆରମ୍ଭ କରାଯିବ। ସଂପ୍ରତି ଆମ ପାଖରେ ତିନି ମାସର ସମୟ ଅଛି। ଗଭୀର ଚର୍ଚା ପରେ ଯାଇ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପତ୍ର ଜରିଆରେ ଆମେ ଆଇସିସିକୁ ବିସିସିଆଇର ଚିନ୍ତା ବିଷୟରେ ଅବଗତ କରିଦେଇଛୁ। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବା ପରେ ବିଶ୍ବକପ୍ରୁ ପାକିସ୍ତାନକୁ ବାସନ୍ଦ କରିବା ଲାଗି ବିସିସିଆଇ ଦାବି ଉପସ୍ଥାପନ କରିବ ବୋଲି ଚର୍ଚା ହେଉଥିଲା। ତେବେ ଏଭଳି ପଦକ୍ଷେପ ସାଂପ୍ରତିକ ପରିସ୍ଥିତିରେ ନନେଇ ଆଇସିସିକୁ ଭାରତୀୟ ଖେଳାଳିଙ୍କ ସୁରକ୍ଷା ତଥା ଅନ୍ୟାନ୍ୟ କେତେକ ବିଷୟ ନେଇ ପତ୍ର ଲେଖିବାକୁ ସିଓଏ ନିଷ୍ପତ୍ତି ନେଇଛି। ଏଣୁ ଆସନ୍ତା ୨୭ ତାରିଖରେ ବସିବାକୁ ଥିବା ଆଇସିସି ବୈଠକରେ ପାକିସ୍ତାନକୁ ବାସନ୍ଦ କରିବା ପରିବର୍ତେ ଭାରତର ଚିନ୍ତାକୁ ନେଇ ଆଲୋଚନା ହେବ। ସେପଟେ ଭାରତ ଯଦି ପାକିସ୍ତାନକୁ ବାସନ୍ଦ ପ୍ରସ୍ତାବ ଦିଏ, ତାହାଲେ ଏହି ପ୍ରସ୍ତାବ କାଟ ଖାଇବା ଏକ ପ୍ରକାର ନିଶ୍ଚିତ ବୋଲି ଆଇସିସି ଅଣଆନୁଷ୍ଠାନିକ ଭାବେ ଜଣାଇବା ପରେ ବିସିସିଆଇ ତା’ର ରଣନୀତି ବଦଳାଇଥିବା ଅନୁମାନ କରାଯାଉଛି। ଏବେ ପାକିସ୍ତାନକୁ କ୍ରିକେଟ୍ ଦୁନିଆରେ ଏକଘରିକିଆ କରିବାକୁ ବିସିସିଆଇ ପର୍ଯ୍ୟାୟକ୍ରମେ ବିଭିନ୍ନ ପଦକ୍ଷେପ ନେବ ବୋଲି ସଙ୍କେତ ଦେଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରବର୍ଗକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସିଓଏ ମଧ୍ୟ ଚଳିତ ବର୍ଷର ଆଇପିଏଲ୍ ଉଦ୍ଘାଟନୀ ଉତ୍ସବକୁ ବାତିଲ କରିଦେଇଛି।
ପାକିସ୍ତାନକୁ ୨ ପଏଣ୍ଟ୍ ଦେବା ପସନ୍ଦ ନୁହେଁ: ତେନ୍ଦୁଲକର

ଆତଙ୍କବାଦୀ ରାଷ୍ଟ୍ର ସହ କ୍ରିକେଟ୍ ସଂପର୍କ ତୁଟାଇବାକୁ
ସଦସ୍ୟଙ୍କୁ ଆହ୍ବାନ
ପାକିସ୍ତାନକୁ ବାସନ୍ଦ କରିବା ଦାବିରୁ ଆପାତତଃ ଓହରିଥିଲେ ମଧ୍ୟ ବିସିସିଆଇ ଶୁକ୍ରବାର ଆଇସିସିକୁ ପତ୍ର ଲେଖି ବିଶ୍ବକପ୍ ମ୍ୟାଚ୍ ବେଳେ ଭାରତୀୟ ଖେଳାଳି, ଅଧିକାରୀ ଏବଂ ପ୍ରଶଂସକଙ୍କ ସୁରକ୍ଷା ନେଇ ଚିନ୍ତା ଜାହିର କରିଛି। ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ବିଶ୍ବକପ୍ ବେଳେ ଭାରତୀୟ ଦଳ ପ୍ରତି ବିପଦ ରହିଛି ବୋଲି ବିସିସିଆଇ ଏହି ପତ୍ରରେ ସ୍ପଷ୍ଟ କରି ଦେଇଛି। ପତ୍ରରେ ଅନ୍ତର୍ଜାତୀୟ ସମୁଦାୟ ବିଶେଷ କରି ଆଇସିସିର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆତଙ୍କବାଦୀ ଦେଶ ପାକିସ୍ତାନକୁ କ୍ରିକେଟ୍ ଦୁନିଆରେ ଏକଘରିକିଆ କରିବାକୁ ଆହ୍ବାନ କରାଯାଇଛି। ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଲେଖିଥିବା ପତ୍ରରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ଏବଂ ଏଥିରେ ୪୪ ଭାରତୀୟ ଯବାନ ସହିଦ ହୋଇଥିବା ଦର୍ଶାଯାଇଛି। ଏଥିରେ ଆହୁରି ଲେଖା ଯାଇଛି ଯେ ଏହି ଆକ୍ରମଣ ଘଟଣାକୁ ଇଂଲଣ୍ଡ ସମେତ ଆଇସିସିର ଅଧିକାଂଶ ସଦସ୍ୟ ନିନ୍ଦା କରିଛନ୍ତି। ଆଇସିସି ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ବିଶ୍ବକପ୍ ବେଳେ ଭାରତୀୟ ଖେଳାଳି, ପ୍ରଶଂସକ ଓ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବେ ବୋଲି ଆଶାକରୁଛୁ। ସେହିଭଳି ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର ବିସିସିଆଇର ରହିଛି ବୋଲି ପତ୍ରରେ କୁହାଯାଇଛି।
ଆଇଓସି କାଢ଼ିନେଲା ୨ ବନ୍ଧୁକଚାଳନା କୋଟା
ନୂଆଦିଲ୍ଲୀରେ ଚାଲିଥିବା ବନ୍ଧୁକ ଚାଳନା ବିଶ୍ବକପ୍ ଲାଗି ପାକିସ୍ତାନ ପ୍ରତିଯୋଗୀଙ୍କୁ ଭାରତୀୟ ଭିସା ନ ମିଳିବାରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ (ଆଇଓସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ବିଶ୍ବକପ୍ରେ ଥିବା ୧୬ ଅଲିମ୍ପିକ୍ସ କୋଟା ମଧ୍ୟରୁ ଦୁଇଟି କାଢ଼ି ନେବା ସହ ଭବିଷ୍ୟତରେ ଆଇଓସି ସ୍ବୀକୃତ ପ୍ରତିଯୋଗିତା ଆୟୋଜନ ନେଇ ଭାରତ ସହ ଚାଲିଥିବା ଆଲୋଚନାକୁ ସ୍ଥଗିତ ରଖିଛି। ବିଶ୍ବକପ୍ର ୨୫ ମିଟର ରୢାପିଡ୍ ଫାୟାର ପିସ୍ତଲ ବର୍ଗରେ ପାକିସ୍ତାନର ଦୁଇ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବାର ଥିଲା। ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଏହି ଦୁଇ ଜଣଙ୍କୁ ଭିସା ଦେବାକୁ ମନା କରି ଦେଇଥିଲେ। ଫଳରେ ବିଶ୍ବକପ୍ର ସମସ୍ତ ୧୬ ଅଲିମ୍ପିକ୍ସ କୋଟାକୁ ଆଇଓସି ବାତିଲ କରିବାର ଆଶଙ୍କା ଦେଖାଦେଇଥିଲା। ହେଲେ ମାତ୍ର ଦୁଇଟି କୋଟା ବାତିଲ ହୋଇଥିବାରୁ ଭାରତୀୟ ରାଇଫଲ ସଂଘ ଶାନ୍ତିର ନିଶ୍ବାସ ମାରିଛି।
from ଖେଳ – Sambad https://ift.tt/2U5j5BU
