ଋଣ ଛାଡ଼ ଟଙ୍କା ବ୍ୟାଙ୍କକୁ ଦିଅ

zisanmohammad
0

ନୂଆଦିଲ୍ଲୀ: ନିକଟରେ ଅନେକ ରାଜ୍ୟ କୃଷି ଓ ଅନ୍ୟାନ୍ୟ ଋଣ ଛାଡ଼ ଘୋଷଣା କରିଛନ୍ତି। ବଜେଟ୍‌ରେ ବ୍ୟବସ୍ଥା ନକରି କିଛି ରାଜ୍ୟ ଋଣ ଛାଡ଼ ବିଷୟରେ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନାବାର୍ଡ ପକ୍ଷରୁ ରାଜ୍ୟଗୁଡ଼ିକୁ ଏକ ଚିଠି ଲେଖାଯାଇଛି। ଋଣ ଛାଡ଼ ପରେ ବ୍ୟାଙ୍କର ଯେଉଁ ପ୍ରାପ୍ୟ ରହିଛି ତାହାକୁ ପଇଠ କରିବାକୁ ରାଜ୍ୟଗୁଡ଼ିକୁ ନାବାର୍ଡ ପରାମର୍ଶ ଦେଇଛି। ଚିଠିରେ ନାବାର୍ଡ ଲେଖିଛି ଯେ, ଯେଉଁ ବ୍ୟାଙ୍କଗୁଡ଼ିକ ଋଣ ଛାଡ଼ କରୁଛନ୍ତି, ସେମାନଙ୍କୁ ତାଙ୍କ ପ୍ରାପ୍ୟ ତୁରନ୍ତ ଦିଆଯାଉ। ଏହା ନହେଲେ ଋଣ ଆବଣ୍ଟନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଅତୀତରେ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ସରକାର ଋଣ ଛାଡ଼ ଘୋଷଣା କରିଥିଲେ। କିନ୍ତୁ ବ୍ୟାଙ୍କଗୁଡ଼ିକର ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ବାକି ପଡ଼ିଛି। ୨୦୧୬ରେ ତାମିଲନାଡୁ ପକ୍ଷରୁ ୬୦୦୦ କୋଟି ଟଙ୍କାର ଋଣ ଛାଡ଼ ଘୋଷଣା କରାଯାଇଥିଲା। କିନ୍ତୁ, ପାଞ୍ଚ ବର୍ଷରେ ସମବାୟ ସଂସ୍ଥାଗୁଡ଼ିକୁ ୩୨୦୦ କୋଟି ଟଙ୍କା ଦିଆଯିବ କୁହାଯାଇଛି। ରାଜ୍ୟଗୁଡ଼ିକ ଋଣ ଛାଡ଼ ବାବଦ ପ୍ରାପ୍ୟ ବ୍ୟାଙ୍କଗୁଡ଼ିକ ଠିକ୍ ସମୟରେ ଦେଉନଥିବା ଜଣାପଡ଼ିଛି। ରାଜ୍ୟଗୁଡ଼ିକ ଯଦି ଋଣ ଛାଡ଼ କରୁଥିବା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଟଙ୍କା ଠିକ୍ ସମୟରେ ନଫେରାଇବେ ତେବେ ସେମାନଙ୍କ ଋଣ ପ୍ରଦାନ କ୍ଷମତା ପ୍ରଭାବିତ ହେବ। ଏହା ହେଲେ ସେମାନେ ଚାଷୀଙ୍କୁ ଋଣ ଦେବାକୁ କୁଣ୍ଠା ପ୍ରକାଶ କରିବେ ବୋଲି ନାବାର୍ଡ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ବିଗତ ପାଞ୍ଚ ବର୍ଷରେ ୧୨ଟି ରାଜ୍ୟ ୨.୩ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ୨୦୧୪ରେ ଆନ୍ଧ୍ର ଓ ତେଲେଙ୍ଗାନା ପକ୍ଷରୁ ଯଥାକ୍ରମେ ୨୪ ହଜାର କୋଟି ଟଙ୍କା ଓ ୧୭ ହଜାର କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି। ୨୦୧୬ରେ ତାମିଲନାଡୁ ସରକାର ୬୦୦୦ କୋଟି ଟଙ୍କାର ଋଣ ଛାଡ଼ କରିଥିଲେ। ୨୦୧୭ରେ ମହାରାଷ୍ଟ୍ର (୩୪,୦୦୦ କୋଟି), ଉତ୍ତର ପ୍ରଦେଶ (୩୬,୦୦୦ କୋଟି) ଓ ପଞ୍ଜାବ (୧୦,୦୦୦ କୋଟି) ଋଣ ଛାଡ଼ କରିଥିଲେ। ୨୦୧୮ରେ ରାଜସ୍ଥାନ (୮୦୦୦ କୋଟି), କର୍ଣ୍ଣାଟକ (୩୪୦୦୦ କୋଟି), ମଧ୍ୟପ୍ରଦେଶ (୩୫-୩୮,୦୦୦ କୋଟି), ରାଜସ୍ଥାନ (୧୮,୦୦୦ କୋଟି), ଛତିଶଗଡ଼ (୬୦୦୦ କୋଟି) ଓ ଆସାମ (୬୦୦ କୋଟି) ଋଣ ଛାଡ଼ ଘୋଷଣା କରିଛନ୍ତି।



from ବାଣିଜ୍ୟ – Sambad http://bit.ly/2Cxurbr

Post a Comment

0Comments
Post a Comment (0)