ଜିଏସ୍‌ଟି ପାଇଁ ନୂଆ ନକ୍ସା

zisanmohammad
0

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ଆହୁରି ସରଳୀକରଣ କରିବାର ସଙ୍କେତ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ‌ ଜେଟ୍‌ଲି। ସେ ଜଣାଇଛନ୍ତି ଯେ, ଟିକସ ରାଜସ୍ବ ବଢ଼ିବା ସହିତ ଜିଏସ୍‌ଟି ଆହୁରି ସରଳ ହେବ ଓ ଭବିଷ୍ୟତ ଗୋଟିଏ ବର୍ଗର ଜିଏସ୍‌ଟି ଲାଗୁ କରାଯିବ। ଏଥିପାଇଁ କିଛି ସମୟ ଲାଗିପାରେ ବୋଲି ସେ କହିଛନ୍ତି। ବର୍ତ୍ତମାନ ୫%, ୧୨%, ୧୮% ଓ ୨୮% ଭଳି ଚାରିଟି ବର୍ଗରେ ଜିଏସ୍‌ଟି ଲାଗୁ କରାଯାଇଛି। ଏହା ବ୍ୟତୀତ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରାଯାଇନାହିଁ ବା ୦% ଜିଏସ୍‌ଟି ଲଗାଯାଇଛି।
ଫେସବୁକ୍‌ରେ ଏକ ଲେଖା ପୋଷ୍ଟ କରି ଜେଟ୍‌ଲି ଜଣାଇଛନ୍ତି ଯେ, ଭବିଷ୍ୟତରେ ୧୨% ଓ ୧୫% ବର୍ଗକୁ ମିଶାଇ ଦିଆଯିବ। ଅଧିକାଂଶ ନିତିଦିନିଆ ବ୍ୟବହାରଯୋଗ୍ୟ ସାମଗ୍ରୀ ସେହି ବର୍ଗରେ ରହିବ। ଏହା ବ୍ୟତୀତ କେବଳ ୦% ଓ ୫% ବର୍ଗ ରହିବ। କେବଳ ବିଳାସପୂର୍ଣ୍ଣ ଓ ଖରାପ ପ୍ରଭାବ ପକାଉଥିବା ସାମଗ୍ରୀଗୁଡ଼ିକ ଉପରେ ୨୮%ର ଜିଏସ୍‌ଟି ଲାଗୁ କରାଯାଇଛି।
‌ପ୍ରାୟ ୧୨୧୬ ପ୍ରକାର ସାମଗ୍ରୀ ମଧ୍ୟରୁ ୧୮୩ଟି ସାମଗ୍ରୀ ଉପରେ ୦% ଜିଏସ୍‌ଟି ଲଗାଯାଇଥିବା ବେଳେ ୩୦୫ଟି ସାମଗ୍ରୀ ୫% ବର୍ଗରେ ରହିଛି। ୧୭୮ଟି ସାମଗ୍ରୀ ଉପରେ ୧୨% ଓ ୫୧୭ଟି ସାମଗ୍ରୀ ଉପରେ ୧୮% ଜିଏସ୍‌ଟି ଲାଗୁ କରାଯାଇଛି। ୨୮% ବର୍ଗରେ ମାତ୍ର ୨୮ଟି ସାମଗ୍ରୀ ରହିଛି।
ଭବିଷ୍ୟତରେ ସରକାର ୨୮% ବର୍ଗକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେବେ। କେବଳ ବିଳାସପୂର୍ଣ୍ଣ ଓ ଖରାପ ପ୍ରଭାବ ପକାଉଥିବା ସାମଗ୍ରୀ ଉପରେ ଏହା ଲାଗୁ କରାଯାଇପାରେ। ଏବେ ଏସି, ସିମେଣ୍ଟ୍, ଗାଡ଼ି ପାର୍ଟସ୍‌ ଓ ଡିସ୍‌ୱାସର୍‌ ଭଳି ସାମଗ୍ରୀ ଏହି ଉଚ୍ଚ ବର୍ଗରେ ରହିଛି। ନିକଟ ଭବିଷ୍ୟତରେ ସିମେଣ୍ଟ୍‌ ଓ ଗାଡ଼ି ପାର୍ଟସ୍‌ ଉପରୁ ଟିକସ କମ୍ କରିବା ଉପରେ ସରକାର ଅଧିକ ଗୁରୁତ୍ବ ଦେବେ।
ଏହି ଲେଖାରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଜେଟ୍‌ଲି ଲେଖିଛନ୍ତି ଯେ, ଜିଏସ୍‌ଟି ଲାଗୁ ହେବା ୩୧% ଭଳି ଉଚ୍ଚ ହାରରେ ପରୋକ୍ଷ ଟିକସ ଲାଗୁ କରାଯାଇଥିଲା। ଯେଉଁମାନେ ୩୧% ହାରରେ ଟିକସ ଲାଗୁ କରିଥିଲେ ଓ ଜିଏସ୍‌ଟିକୁ ସମାଲୋଚନା କରୁଛନ୍ତି ସେମାନେ ଆତ୍ମ ସମୀକ୍ଷା କରିବା ଦରକାର ବୋଲି ଜେଟ୍‌ଲି ଜଣାଇଛନ୍ତି।
ଦେଶର ୬ଟି ରାଜ୍ୟ ଟିକସକୁ ନେଇ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ କରିଥିବା ବେଳେ ସାତଟି ରାଜ୍ୟ ଲକ୍ଷ୍ୟ ପାଖାପାଖି ଅଛନ୍ତି। ୧୮ଟି ରାଜ୍ୟ ଏବେବି ବହୁତ ପଛରେ ରହିଛନ୍ତି। ଯେଉଁ ରାଜ୍ୟଗୁଡ଼ିକର ଟିକସ ଆଦାୟ କମ୍ ରହିଛି ସେମାନଙ୍କୁ କେନ୍ଦ୍ର ସରକାର କ୍ଷତିପୂରଣ ପ୍ରଦାନ କରିୁଛନ୍ତି। ଜିଏସଟି ଲାଗୁ କରାଯିବାର ପ୍ରଥମ ବର୍ଷରେ ମାସିକ ହାରାହାରି ଆଦାୟ ପରିମାଣ ୮୯,୭୦୦ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷରେ ତାହା ୯୧,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ଜେଟ୍‌ଲି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଜିଏସ୍‌ଟି ପରିଷଦ ପକ୍ଷରୁ ୨୩ଟି ସାମଗ୍ରୀ ଉପରୁ ଟିକସ ପରିମାଣ କମ୍ କରାଯାଇଥିଲା।



from ବାଣିଜ୍ୟ – Sambad http://bit.ly/2TbIiK2

Post a Comment

0Comments
Post a Comment (0)