ଡାକ୍ତର ଆସିଲେନି, ଘଣ୍ଟା ଘଣ୍ଟା ବସିଲେ ରୋଗୀ:ଅଫିସରେ ତାଲା ପକାଇଲେ ଲୋକେ

zisanmohammad
0
ଡାକ୍ତର ଆସିଲେନି, ଘଣ୍ଟା ଘଣ୍ଟା ବସିଲେ ରୋଗୀ:ଅଫିସରେ ତାଲା ପକାଇଲେ ଲୋକେ

ହାଟଡିହି : ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁ ଆଜି ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଘଣ୍ଟାଘଣ୍ଟା ଜଗିବା ପରେ ବି ଡାକ୍ତର ନଆସିବାରୁ ସ୍ଥାନୀୟ ଲୋକେ ଡାକ୍ତରଖାନା କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ରୋଗୀଙ୍କ ସଂପର୍କୀୟ ଓ କିଛି ସ୍ଥାନୀୟ ଲୋକ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିଲେ। ସେମାନେ ଡାକ୍ତରଖାନା ଅଫିସରେ ତାଲା ପକାଇଦେବା ସହ ଡାକ୍ତରଖାନାର ଇନଚାର୍ଜ ଡାକ୍ତରଙ୍କୁ ଠେଲି ଠେଲି ଆଣି ଆଉଟ୍‌ଡୋର୍‌ରେ ବସାଇ ରୋଗୀ ସେବା କରାଇଥିଲେ। ଫଳରେ କର୍ମଚାରୀମାନେ ବାହାରେ ଘଣ୍ଟା ଘଣ୍ଟା ଧରି ଠିଆହୋଇ ରହିଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଶାଳଣିଆଁ ଡାକ୍ତରଖାନାରେ ଦୁଇଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି। ୩ଟି ଡାକ୍ତର ପଦବି ଖାଲି ପଡିଛି। ଇନଚାର୍ଜ ଅଫିସରଙ୍କ ସହିତ ଅନ୍ୟ ଜଣେ ସ୍ତ୍ରୀରୋଗ ବିଷେଶଜ୍ଞ ଡାକ୍ତର ଅଛନ୍ତି। ନିୟମିତ ଏହି ଦୁଇଜଣ ଡାକ୍ତର ଡାକ୍ତରଖାନାକୁ ଆସୁନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ସ୍ଥାନୀୟ ଲୋକଙ୍କ ଦାବିପରେ ସୋସୋ ଡାକ୍ତରଖାନାର ଡାକ୍ତର କୁଲଦୀପ ସେଠୀଙ୍କୁ ଏଠାକୁ ଡେପୁଟେସନରେ ଦିଆଯାଇଥିଲା। ସେ ସପ୍ତାହକୁ ଦୁଇଦିନ ଏଠାରେ ରୋଗୀ ସେବା କରୁଥିଲେ। ସେ ଯେଉଁଦିନ ଏଠାକୁ ଆସନ୍ତି ସେଦିନ ଶହଶହ ରୋଗୀ ଧାଡ଼ିବାନ୍ଧି ଅପେକ୍ଷା କରିଥାନ୍ତି। ଦୁଇ ସପ୍ତାହ ହେଲା ସେ ଆସୁନଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ଆଜି ସକାଳ ୯ଟାରେ ୨୦ରୁ ଊର୍ଦ୍ଧ୍ୱ ରୋଗୀ ଡାକ୍ତରଙ୍କୁ ଅପେକ୍ଷା କରି ବସିଥିଲେ ବି କେହି ଆଉଟଡୋରକୁ ଆସିନଥିଲେ। ଘଣ୍ଟା ଘଣ୍ଟା ଧରି ଏଭଳି ପରିସ୍ଥିତି ଲାଗିରହିବାରୁ ରୋଗୀଙ୍କ ସଂପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ସହ ସ୍ୱର ମିଳାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ କିଛି ଯୁବକ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାସ ଚନ୍ଦ୍ର ସାହୁଙ୍କୁ ଭେଟିବାରୁ ସେ ଅଫିସ କାମ କରୁଛି ଯାଇପାରିବିନି କହିଥିଲେ।

ଯୁବକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ଡାକ୍ତର ସାହୁଙ୍କୁ ଅଫିସରୁ ବାହାର କରିଦେଇ ଚାବି ପକାଇଦେବା ସହିତ ତାଙ୍କୁ ଠେଲିଠେଲି ଆଉଟଡୋରକୁ ଆଣି ବସାଇଥିଲେ। ସେ ରୋଗୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବାପରେ ଉତ୍ତେଜନା ହ୍ରାସ ପାଇଥିଲା। କିନ୍ତୁ ଡାକ୍ତର ନିଯୁକ୍ତି ନହେବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିିଁ ବୋଲି ଯୁବକମାନେ କହିଛନ୍ତି। ଏନେଇ ଡାକ୍ତର ପ୍ରଭାସ ସାହୁଙ୍କୁ ପଚାରିବାରେ ମାତ୍ର ଦୁଇଜଣ ଡାକ୍ତର ଥିବାରୁ ଏପରି ଅବସ୍ଥା ଉପୁଜୁଛି ବୋଲି କହିଛନ୍ତି। ଏ ସଂପର୍କରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ ବୋଲି ପ୍ରକାଶ କରିଛନ୍ତି। କେନ୍ଦୁଝର ସିଡିଏମଓଙ୍କୁ ପଚାରିବାରେ ସେ ସୋସୋ ଡାକ୍ତରଖାନାରୁ ଡେପୁଟେସନରେ ଦୁଇଦିନ ପାଇଁ ଯାଉଥିବା ଡାକ୍ତର ଜଣକ ପୂର୍ବପରି ଶାଳଣିଆଁ ସିଏଚସିକୁ ଯିବେ, ତେଣୁ କିଛିମାତ୍ରାରେ ଲୋକମାନେ ରୋଗୀସେବା ପାଇ ପାରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।



from ଜିଲ୍ଲା – Sambad https://ift.tt/2LTH1r1

Post a Comment

0Comments
Post a Comment (0)