ବ୍ରହ୍ମପୁର ପାଲଟିଛି ନକଲି ଗୁଟ୍‌ଖା ଖଣି, ସପ୍ତାହକରେ କୋଟିଏ ଟଙ୍କାର ଜବତ

zisanmohammad
0

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଏବେ ବେଆଇନ, ନକଲି କୁଟ୍‌ଖା ଖଣିରେ ପରିଣତ ହୋଇଛି। ପ୍ରଶାସନ ଆଖିରେ ଧୂଳି ଦେଇ ବେପାରୀ ମନଇଚ୍ଛା ବିଭିନ୍ନ କମ୍ପାନି ନାଁରେ ଗୁଟ୍‌ଖା ତିଆରି କରି ଚାଲାଣ କରୁଛନ୍ତି। ଏପରିକି ଅଣଓସାରିଆ ଗଳିରେ ଛୋଟିଆ କୋଠରିରେ ମେସିନ୍‌ ବସାଇ ଲକ୍ଷ ଲକ୍ଷ ଟଙ୍କାର ଗୁଟ୍‌ଖା ପାଉଚ୍‌ ପ୍ରସ୍ତୁତ ହୋଇ ବଜାରକୁ ଛଡ଼ାଯାଉଛି। ଯାହାକି ବିଗତ ଦିନରେ ପୁଲିସ ଚଢ଼ଉ ବେଳେ ସ୍ପଷ୍ଟ ହୋଇ ଯାଇଛି। ଧରପଗଡ଼ ଅଭିଯାନରେ ମାତ୍ର ସପ୍ତାହେ ଭିତରେ ୧କୋଟିରୁ ଉର୍ଧ୍ବ ଟଙ୍କାର ଗୁଟ୍‌ଖା, ପ୍ୟାକିଂ ମେସିନ୍ ଓ ଅନ୍ୟ ସରଞ୍ଜାମ ଜବତ ହେଲାଣି। ବିଶେଷ କରି ସଦର ଥାନା ଓ ବଡ଼ ବଜାର ଥାନା ଇଲାକାରେ ଅଧିକ ଗୁଟ୍‌ଖା କାରବାର ହେଉଛି। ପ୍ରଶାସନ ଓ ପୁଲିସକୁ ଠକିବା ପାଇଁ କେତେକ ବେପାରୀ ପାନମସଲା ଲାଇସେନ୍ସ ଆଣି ଜର୍ଦ୍ଦା ମିଶ୍ରିତ ଗୁଟ୍‌ଖା ତିଆରି କରୁଛନ୍ତି। ଏଭଳି ଗୁଟଖା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଉଥିବା ବେଳେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ବ୍ରହ୍ମପୁରରେ କୋଟି କୋଟି ଟଙ୍କାର ଗୁଟ୍‌ଖା ବେପାର ହେଉଛି।

ସରକାର ଗୁଟ୍‌ଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ତଥାପି ବଜାରରେ ବିଭିନ୍ନ ପ୍ରକାର ଗୁଟ୍‌ଖା ଉପଲବ୍ଧ ହେଉଛି। ବିଗତ ବର୍ଷରେ ପ୍ରଶାସନ ଓ ପୁଲିସ ତରଫରୁ ବ୍ୟାପକ ଚଢ଼ଉ କରି ବହୁ ଗୁଟଖା କମ୍ପାନି ବନ୍ଦ କରାଯାଇଥିଲା। ଏହାପରେ ଗୁଟ୍‌ଖା କାରବାର କରୁଥିବା ବ୍ୟବସାୟୀମାନେ ପୁଡ଼ିଆରୁ ଜର୍ଦ୍ଦାକୁ ଅଲଗା ପ୍ୟାକେଟ କରି ଲୁଚାଛପା ବିକ୍ରି କରିବା ଆରମ୍ଭ କରିଥିଲେ। ଫଳରେ ତାହା ଧରିବା କଷ୍ଟକର ହୋଇ ପଡ଼ିଥିଲା। ଏବେ ବ୍ରହ୍ମପୁରରେ ପୁଣିଥରେ ଜର୍ଦ୍ଦା ମିଶ୍ରିତ ଗୁଟ୍‌ଖା ବିକ୍ରି ଚାଲିଛି। ପ୍ରତିଦିନ ବିଭିନ୍ନ ସ୍ଥାନକୁ ବ୍ରହ୍ମପୁରରୁ ଗୁଟ୍‌ଖା ଚାଲାଣ ହେଉଛି। ବଡ଼ ବଜାର, ସଦର ଓ ବୈଦ୍ୟନାଥପୁର ଥାନା ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା। ଗତ ପ୍ରାୟ ସପ୍ତାହେ ମଧ୍ୟରେ ହୋଇଥିବା ଏଭଳି ଚଢ଼ାଉ ପରେ ବିଭିନ୍ନ ଥାନାରେ ମୋଟ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୨ଜଣଙ୍କୁ ଗିରଫ କରାଯାଇଛି। ସଦର ଥାନା ଅନ୍ତର୍ଗତ ବୋରିଗାଁ ଓ ଭୂତପପଲ୍ଲୀରେ ଚାଲିଥିବା କାରଖାନାରୁ ପ୍ରାୟ ୪ଟ୍ରକ୍‌ ଗୁଟ୍‌ଖା ଜବତ ହୋଇଥିଲା। ସେହିପରି ବଡ଼ ବଜାର ଥାନା ପୁଲିସ ଗତ ୩ତାରିଖରେ ଶାର୍ଗୁଣାସାହିରେ ଚଢ଼ଉ କରି ୪୦ବସ୍ତା ଗୁଟ୍‌ଖା ଜବତ କରିଥିଲା। ସେହିଭଳି ପାଣିଗ୍ରାହୀପେଣ୍ଠ ସାହିରୁ ଶହେ ବସ୍ତା ବିଭିନ୍ନ ପ୍ରକାର ଗୁଟ୍‌ଖା ଜବତ ହୋଇଥିଲା। ଏହି ଚଢ଼ଉ ବେଳେ ମିକ୍ସଚର୍‌ ଓ ପ୍ୟାକିଂ ମେସିନ୍‌ ସହିତ ବିଭିନ୍ନ କମ୍ପାନି ନାଁ ରହିଥିବା ପଲିଥିନ୍‌ ବଣ୍ଡଲ୍‌ ଜବତ କରାଯାଇଛି। ଗତକାଲି ବୈଦ୍ୟନାଥପୁର ଥାନା ପୁଲିସ ନୂଆବସଷ୍ଟାଣ୍ଡରେ ଚଢ଼ଉ କରି କୋଲକାତା ଚାଲାଣ ପାଇଁ ରଖାଯାଇଥିବା ୪୮ବସ୍ତା ଗୁଟ୍‌ଖା ଜବତ କରିଥିଲା। ଜବତ ହୋଇଥିବା ଗୁଟ୍‌ଖା ମଧ୍ୟରେ ମୋର୍‌, କିଷାନଜୀ ମାୱା ମସଲା, ସଫାରୀ, ଗୋକୁଳ ଡିଲକ୍ସମିକ୍ସ, ଚେତନ ଡିଲକ୍ସ, କେ.କେ ଡିଲକ୍ସ ପ୍ରଭୃତି କମ୍ପାନିର ଗୁଟ୍‌ଖା ରହିଛି। ଏବେ ବି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଏଭଳି ଗୁଟ୍‌ଖା ତିଆରି ଚାଲିଛି। ସେଗୁଡ଼ିକ ମଧ୍ୟ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।



from ଜିଲ୍ଲା – Sambad https://ift.tt/33n2DSB

Post a Comment

0Comments
Post a Comment (0)