ଲିଲିମାଙ୍କ ଦେଢ଼ଶହ ମ୍ୟାଚ୍‌ ମାଇଲଖୁଣ୍ଟ

zisanmohammad
0

ଭୁବନେଶ୍ବର : ଭାରତୀୟ ମହିଳା ହକି ଦଳର ବରିଷ୍ଠ ସଦସ୍ୟା ତଥା ଓଡ଼ିଆ ଝିଅ ଲିଲିମା ମିଞ୍ଜ ବୁଧବାର ଦେଢ଼ ଶହତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଗୌରବ ପାଇଛନ୍ତି। ଟୋକିଓଠାରେ ଆୟୋଜିତ ଅଲିମ୍ପିକ୍‌ ହକି ଟେଷ୍ଟ୍‌ ଇଭେଣ୍ଟ୍‌ର ଫାଇନାଲ୍‌ ଖେଳି ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚ୍‌ ମଧ୍ୟ ଭାରତ ଜିତି ବିଜେତା ହୋଇଥିଲା। ଯାହାକି ତାଙ୍କର ଏହି ୧୫୦ତମ ମ୍ୟାଚ୍‌କୁ ଆହୁରି ସ୍ମରଣୀୟ କରି ଦେଇଛି। ସୁନ୍ଦରଗଡ଼ ଜିଲ୍ଲାର ବିହାବନ୍-ତନାତୋଲି ଗାଁରେ ଜନ୍ମଗ୍ରହଣ କରିଥିବା ୨୫ ବର୍ଷିୟା ଲିଲିମା ୨୦୧୧‌ରେ ଆର୍ଜେଣ୍ଟିନା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ମଧ୍ୟଭାଗ ଖେଳାଳି ୨୦୧୪ ରାଜ୍ୟଗୋ‌ଷ୍ଠୀ ସହ ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ଭାରତୀୟ ଦଳର ମଧ୍ୟ ସଦସ୍ୟା ରହିଥିଲେ। ସେ ମଧ୍ୟ ରିଓ ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ବ କରିଥିଲେ। ‌ଐତିହାସିକ ନବମ ମହିଳା ଏସିଆ କପ୍‌ (୨୦୧୭) ବିଜେତା ଦଳ ସହ ଗୋଲ୍ଡକୋ‌ଷ୍ଟ ରାଜ୍ୟଗୋ‌ଷ୍ଠୀ (୨୦୧୮, ଚତୁର୍ଥ), ପଞ୍ଚମ ଏସୀୟ ଚାମ୍ପିଅନ୍‌ସିପ୍‌ (୨୦୧୮, ରୌପ୍ୟ), ଭୁବନେଶ୍ବରରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ବିଶ୍ବକପ୍‌ (୨୦୧୮, କ୍ବାର୍ଟର ଫାଇନାଲ୍‌) ଏବଂ ଜାକର୍ତା ଏସିଆ କପ୍‌ (୨୦୧୮, ରୌପ୍ୟ) ଭାରତୀୟ ଦଳର ସଦସ୍ୟ ରହିଥିଲେ।

ଦେଶ ପାଇଁ ମୁଁ ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ପାରିଥିବାରୁ ଗର୍ବିତ। ରାଉରକେଲାସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ପରେ ମୋ ଖେଳ ଜୀବନ‌ରେ ପରିବର୍ତନ ଆସିଥିଲା। ଏହି ସଫଳତା ‌‌ଓଡ଼ିଶାର ପ୍ରଶିକ୍ଷକଙ୍କ ପାଇଁ ସମ୍ଭବ ହୋଇଛି। ଏଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେବି। ଏଥିସହ ଭାରତୀୟ ଦଳର ସମସ୍ତ ଅଧିକରୀ ଓ ‌ସାଥୀ ଖେଳାଳି ଏବଂ‌ ମୋ ପରିବାରକୁ ଧନ୍ୟବାଦ ଦେବି। ଆସନ୍ତା ବର୍ଷ ଅଲିମ୍ପିକ୍ସ ଥିବାରୁ ଭଲ କରିବାକୁ ଚେଷ୍ଠା କରିବୁ ବୋଲି ଲିଲିମା କହିଛନ୍ତି। ଏହି ସଫଳତା ଲାଗି ହକି ଇଣ୍ଡିଆ ସମେତ ଓଡ଼ିଶା ସରକାର ଏବଂ ବିଭିନ୍ନ କ୍ରୀଡ଼ା ସଂଗଠନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



from ଖେଳ – Sambad https://ift.tt/2Z836JD

Post a Comment

0Comments
Post a Comment (0)