ଜାପାନକୁ ମାତ୍‌ ଦେଇ ମହିଳା ବିଜେତା

zisanmohammad
0

ପୁରୁଷଙ୍କ ସହ ସମାନ ତାଳ ଦେଇ ବିଶ୍ବ ମାନ୍ୟତାର ଦଶମ ଭାରତୀୟ ମହିଳା ଦଳ ମଧ୍ୟ ଚଳିତ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ଫଳରେ ଭାରତକୁ ଯୁଗଳ ଟ୍ରଫି ମିଳିଯାଇଛି। ରାଉଣ୍ଡ ରବିନ୍‌ ପର୍ଯ୍ୟାୟରେ ଅପରାଜେୟ ରହି ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ସହ ଫାଇନାଲ୍‌ ପ୍ରବେଶ କରିଥିବା ଭାରତୀୟ ମହିଳା ଦଳ ବୁଧବାର ଟ୍ରଫି କବ୍‌ଜା କରିବାରେ ତ୍ରୁଟି କରିନଥିଲା। ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରିବା ପରେ ଦ୍ବିତୀୟ ମ୍ୟାଚ୍‌କୁ ଶକ୍ତିଶାଳୀ ତଥା ବିଶ୍ବ ମାନ୍ୟତାର ଦ୍ବିତୀୟ ଅଷ୍ଟ୍ରେଲିଆ ସହ ୨-୨ରେ ଅମୀମାଂସିତ ରଖିଥିଲା। ଏହାପରେ ମଙ୍ଗଳବାର ବିଶ୍ବ ମାନ୍ୟତାର ଏକାଦଶ ଚୀନ୍‌ ସହ ମ୍ୟାଚ୍‌କୁ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରଖି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଶେଷରେ ବୁଧବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଆୟୋଜକ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା। ନଭ୍‌ଜୋତ୍‌ କୌର (୧୧ ମିନିଟ୍‌) ପ୍ରଥମ କ୍ବାର୍ଟରରେ ଭାରତ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିବା ପରେ ଲାଲ୍‌ରେମ୍‌ସିଆମି (୩୩ ମିନିଟ୍‌) ତୃତୀୟ କ୍ବାର୍ଟରରେ ଗୋଲ୍‌ କରି ଭାରତ ବିଜୟର ନାୟିକା ବନି ଯାଇଥିଲେ। ମିନାମି ସିମିଜୁ ଦ୍ବାଦଶ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ପ୍ରଥମ କ୍ବାର୍ଟରରେ ସ୍ଥିତି ସମାନ କରିଦେଇଥିଲେ ମଧ୍ୟ ଜାପାନ ନିର୍ଧାରିତ ସମୟ ମଧ୍ୟରେ ଆଉ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା। ଅବଶ୍ୟ ଉଭୟ ଦଳ ଶେଷ ଦୁଇ କ୍ବାର୍ଟରରେ ଏକାଧିକ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଡ୍ରାଗ୍‌ ଫ୍ଲିକର ଗୁର୍‌ଜିତ୍‌ କୌର ୩୩ ମିନିଟ୍‌ରେ ଦଳ ପାଇଥିବା ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ କରିବାରେ ବିଫଳ ହୋଇଥିଲେ। ତେଣୁ ଭାରତ ୩-୧ ବ୍ୟବଧାନରୁ ବଞ୍ଚିତ ହୋଇଥିଲା। ଅନ୍ୟପକ୍ଷରେ ଜାପାନ ଶେଷ କ୍ବାର୍ଟରରେ ଲାଗ ଲାଗ ଦୁଇଟି ପେନାଲ୍‌ଟି କର୍ନର ପାଇଥିଲେ ମଧ୍ୟ ଗୋଲ୍‌ରକ୍ଷିକା ସବିତା ଉଭୟ ପ୍ରୟାସକୁ ଭଣ୍ଡୁର କରି ଭାରତକୁ ବିଜେତା ହେବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ଏଥି ସହିତ ଚଳିତ ପ୍ରତିଯୋଗିତାରେ ଆୟୋଜକ ଜାପାନ ବିପକ୍ଷରେ ଭାରତର ଏହା ଦ୍ବିତୀୟ ବିଜୟ ଥିଲା। ଲିଗ୍‌ ପର୍ଯ୍ୟାୟ ସଫଳତାକୁ ଦୋହରାଇ ଭାରତ ଟ୍ରଫି ଜିତିନେଲା।



from ଖେଳ – Sambad https://ift.tt/2NkDrq9

Post a Comment

0Comments
Post a Comment (0)