
ରାୟଗଡ଼ା : କିଛି ଦିନର ନିରବତା ପରେ ପୁଣି ରାୟଗଡ଼ା ମୁହାଁ ହୋଇଛନ୍ତି ମାଓବାଦୀ। ସଂଗଠନ ସଜାଡ଼ିବା ପାଇଁ ଆରମ୍ଭ କରିଛନ୍ତି ସଭ୍ୟସଂଗ୍ରହ ଅଭିଯାନ। ଜିଲ୍ଲାର ଗୁଡାରି-ଚନ୍ଦ୍ରପୁର ସୀମାନ୍ତରେ ପ୍ରଜାମେଳି କରି ଲୋକଙ୍କୁ ନିଜ ସପକ୍ଷରେ ପ୍ରବର୍ତାଇବାକୁ ଉଦ୍ୟମ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁଡାରି ଥାନାରୁ ୩୫ କିମି ଦୂର ଘଞ୍ଚ ଜଂଗଲକୁ ଲାଗିଥିବା ଟାଙ୍ଗରମା ଗ୍ରାମରେ ମାଓବାଦୀ ପ୍ରଜାମେଳିର ଆୟୋଜନ କରିଥିଲେ। ପ୍ରଥମେ ଗୁପ୍ତ ବୈଠକ କରିବା ପରେ ମାଓବାଦୀ ପ୍ରଜାମେଳିରେ ଗ୍ରାମବାସୀଙ୍କୁ ଭେଟି ସଂଗଠନରେ ସାମିଲ୍ ହେବା ଲାଗି ଆହ୍ବାନ ଦେଇଥିଲେ। କିନ୍ତୁ ଗ୍ରାମବାସୀଙ୍କ ପକ୍ଷରୁ ମାଓ ସଂଗଠନକୁ ପୂର୍ବ ଭଳି ସହାନୁଭୂତି ମିଳିନଥିବା ଜଣାପଡିଛି। ମାଓବାଦୀଙ୍କ ଗତିବିଧି ଓ ବୈଠକ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଜାମେଳି ଓ ମାଓବାଦୀ ଆଡ୍ଡା ଜମାଇଥିବା ସ୍ଥାନକୁ ଯିବା ପାଇଁ ଏକ ମୁହାଁ ରାସ୍ତା ଥିବାରୁ ଆମ୍ବୁସ୍ ଭୟରେ ଯବାନ ଆଗକୁ ବଢ଼ି ପାରିନଥିଲେ। ସେହିପରି ସୂଚନା ମିଳିବାରେ ବିଳମ୍ବ ଯୋଗୁ ମାଓବାଦୀ ଖସିଯିବାରେ ସକ୍ଷମ ହୋଇଥିଲେ ବୋଲି ସିଆରପିଏଫ୍ ଅଧିକାରୀ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ମାଓ ସଂଗଠନର ୭ ଜଣିଆ ଟିମ୍ ଚନ୍ଦ୍ରପୁର, ମୁନିଗୁଡା, କଲ୍ୟାଣସିଂହପୁର, ଗୁଡାରି ଇଲାକାରେ ବୁଲି ସଂଗଠନ ସୁଦୃଢ଼ ପାଇଁ ପ୍ରୟାସ ଜାରି ରଖିଥିବା ନେଇ ଗୁଇନ୍ଦା ସୂଚନା ପୁଲିସ୍ ତଥା ସିଆରପିଏଫ୍ ଯବାନଙ୍କ ନିକଟରେ ରହିଛି।
ଦୀର୍ଘଦିନ ହେଲା ରାୟଗଡା ଜିଲ୍ଲାରୁ ମାଓବାଦୀ ସଭ୍ୟ ସଂଗ୍ରହ କରିନଥିବାରୁ ଜିଲ୍ଲାରେ ମାଓ ସଂଗଠନ ଦୁର୍ଗ ଭୁଶୁଡିବାରେ ଲାଗିଛି। ଏଣୁ ରାୟଗଡାରୁ କିଛି ଯୁବକ, ଯୁବତୀଙ୍କୁ ସଂଗଠନରେ ସାମିଲ୍ କରି ନେଟୱର୍କ ବଢ଼ାଇବା ଲକ୍ଷ୍ୟରେ ରହିଛନ୍ତି ମାଓବାଦୀ। ଅନ୍ୟପକ୍ଷରେ ସ୍ବାଧୀନତା ଦିବସରେ ସୀମାନ୍ତ ଅଞ୍ଚଳର କିଛି ସ୍ଥାନରେ ମାଓବାଦୀ କଳା ପତାକା ଉଡାଇବା ନେଇ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍, ବିଏସ୍ଏଫ ଓ ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର୍ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ସହ କଳାହାଣ୍ଡି-କନ୍ଧମାଳ-କୋରାପୁଟ-ରାୟଗଡା ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛି ପୁଲିସ୍। ସମଗ୍ର ଅଞ୍ଚଳକୁ ନାକାବନ୍ଦୀ କରି ସର୍ଚ ଅପରେସନକୁ ଜୋରଦାର୍ କରାଯାଇଛି। ବିଶେଷକରି ଚନ୍ଦ୍ରପୁର, ଗୁଡାରି, କଲ୍ୟାଣସିଂହପୁର, କାଶୀପୁର, ମୁନିଗୁଡାର ଅପହଞ୍ଚ ଇଲାକାରେ କମ୍ବିଂ ଓ ସର୍ଚ ଅପରେସନକୁ ପୁଲିସ୍ ଗୁରୁତ୍ବ ଦେଇଥିବା ଜଣାପଡ଼ିଛି।
from ଜିଲ୍ଲା – Sambad https://ift.tt/2Z01DAg