ଅନ୍ଧବିଶ୍ବାସ ନେଲା ୨ ଜୀବନ : ସାପ କାମୁଡ଼ା ଗୁରୁତରଙ୍କୁ ମନ୍ଦିର, ଗାଁ ବଇଦ ଭରସାରେ ଛାଡ଼ିଲେ

zisanmohammad
0

ବୁଗୁଡ଼ା : ରାତି ପାହିଲେ ଦେଶ ପାଳିବ ୭୩ତମ ସ୍ବାଧୀନତା ଦିବସ। ଏହା ମଧ୍ୟରେ ଚିକିତ୍ସା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ‌କ୍ଷେତ୍ରରେ ଦେଶ ଢେର୍ ଆଗକୁ ଯାଇଥିଲେ ବି ମଣିଷ ଆଖିରୁ ଅନ୍ଧବିଶ୍ବାସର ପୁଟୁଳି ଫିଟିପାରିନି। ରୋଗ ଭଲ କରିବା ପାଇଁ କିଏ ଝଡ଼ାଫୁଙ୍କାର ସାହାରା ନେଉଛି ତ ଆଉ କିଏ ଗାଁ ବଇଦ, କ୍ବାକ୍‌ ଓ ଠାକୁରଙ୍କ ଶରଣ ପଶୁଛି। ପରିଣାମ ସ୍ବରୂପ ଠିକ୍‌ ସମୟରେ ଉଚିତ୍ ଚିକିତ୍ସା ନପାଇ ନିରୀହ ଜୀବନ ଦୀପ ଲିଭିଯାଉଛି। ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାରେ ଏଭଳି ପୃଥକ୍ ଦୁଇଟି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ‌ହୋଇ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଉଚିତ୍ ଚିକିତ୍ସା ମିଳି ନପାରିବାରୁ ସେମାନଙ୍କ ମୃତ୍ୟୁ ହୋଇଛି।

ସାପକାମୁଡ଼ାରେ ଗୁରୁତର ଜଣେ ଯୁବକଙ୍କ ଉପରେ ବଳଦେବ ମନ୍ଦିର‌ରେ ୮୨ ମାଠିଆ ପାଣି ଢାଳି ଚିକିତ୍ସା କରିବା ଓ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ହେଲେ ବୁଗୁଡ଼ା ଗୋଲା ସାହିର ଶିବ ପାତ୍ର। ମିଳିଥିବା ସୂଚନାନୁସାରେ, ଗତକାଲି ରାତିରେ ଶିବ ‌ବି.କରଡ଼ାବାଡ଼ି ଗ୍ରାମ ନିକଟରେ ଛେଳି ଗୋଠ ପକାଇ ବିଲମାଳରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। କିନ୍ତୁ କୌଣସି କୀଟ କାମୁଡ଼ିଥିବା ଭାବି ଆଘାତକୁ ଗୁରୁତ୍ବ ନଦେଇ ସେ ପୁଣି ‌ଶୋଇପଡ଼ିଥିଲେ। ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ସଂଗେ ସଂଗେ ସ୍ଥାନୀୟ ବଳଦେବ ମନ୍ଦିରକୁ ନେବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। ଶିବଙ୍କୁ ଘରେ ସ୍ନାନ କରାଯିବା ସହ ଏକ ନୂଆ ବସ୍ତ୍ର ପିନ୍ଧାଯାଇ ପୂର୍ବାହ୍ନ ପ୍ରାୟ ୭ଟା ସମୟରେ ତାଙ୍କୁ ମନ୍ଦିର ଅଣା ଯାଇଥିଲା। ନାମ ସଂକୀର୍ତ୍ତନ ସହ ପୂଜାରୀ ମାନେ ତାଙ୍କ ଶରୀର ଉପରେ ୪୧ ଯୋଡ଼ା(୮୨ ମାଠିଆ) ପାଣି ପିତ୍ତଳ ମାଠିଆରେ ଢାଳି ଥିଲେ। ତଥାପି ଶିବ ଉଠି ନଥିଲେ। ସେଠାରେ ବ୍ୟସ୍ତବ୍ୟବ୍ରତ ପରିବାର ଲୋକେ ଶିବଙ୍କୁ ବୁଗୁଡ଼ା ଡାକ୍ତରଖାନା ନେଇଥିବାବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣା ସାରା ସହରରେ ଶୋକର ଛାୟା ଖେଳାଇଦେଇଛି। ବୁଗୁଡ଼ା ଥାନାରେ କେସ ନମ୍ବର ୧୭ ଅନୁସାରେ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶିବଙ୍କ ପତ୍ନୀ ସମେତ ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

‌ସେହିପରି ଆଜି ଦିନ ୧୧ଟାରେ ସାପକାମୁଡ଼ାରେ ବୁଗୁଡ଼ା ଥାନା କାନସୁକା ଗ୍ରାମର ସୁଜତା ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଲିଙ୍ଗରାଜଙ୍କ ପତ୍ନୀ ସୁଜତା ବିଲକୁ ଯାଇଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପଙ୍କଳ ସାହି ଗ୍ରାମର ଜଣେ ବଇଦଙ୍କ ପାଖକୁ ସୁଜତାଙ୍କୁ ନିଆଯାଇଥିବା ବେଳେ ତାଙ୍କୁ ସେ ଭଲ କରି ପାରି ନଥିଲେ। ଶେ‌ଷରେ ସୁଜତାଙ୍କୁ ସଂକଟାପନ୍ନ ଅବସ୍ଥାରେ ବୁଗୁଡ଼ା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବୁଗୁଡ଼ା ଥାନାରେ କେସ ନମ୍ବର ୧୮ ଅନୁସାରେ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ ଆଜି ଏହି ଦୁଇଟି ଘଟଣାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡା.ପୀତାମ୍ବର ଦାଶ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ସାପକାମୁଡ଼ାରେ ଗୁରୁତରଙ୍କୁ ପାଣି ସଂକ୍ରମକ ହୋଇପାରେ ଅଥବା ନ ହୋଇ ପାରେ। କିନ୍ତୁ ପ୍ରାଥମିକ ଚିକିତ୍ସା ନିତାନ୍ତ ଆବଶ୍ୟକ। ସାପ କାମୁଡ଼ିଥିବା ସ୍ଥାନରୁ ରକ୍ତ ବାହାର କରାଯିବା ପରେ ଏହାକୁ ପରୀକ୍ଷା କରାଯାଇଥାଏ। ଯଦି ବିଷଧର ସାପର ବିଷ ଏଥିରେ ଜଣାପଡ଼େ ତେବେ ରୋଗୀଙ୍କୁ ଆଣ୍ଟି ସିରମ୍ ଭେନମ୍ (ଏଏସଭି) ଟୀକା ଦିଆଯାଏ। କିନ୍ତୁ ଲୋକେ ଅନ୍ଧବିଶ୍ବାସରରୁ ନିଜକୁ ଦୂରେଇ ରଖିବା ଦରକାର।

ସୂଚନା ଥାଉକି, ସାପକାମୁଡ଼ାରେ ଗଞ୍ଜାମ ଜିଲ୍ଲାରେ ୨୦୧୫ରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୬ରେ ୫୧, ୨୦୧୭ରେ ୮୧ ଓ ୨୦୧୮ରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି। ଚଳିତବର୍ଷ ଆଜି ସୁଦ୍ଧା ୨୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି।



from ଜିଲ୍ଲା – Sambad https://ift.tt/2YR3FaL

Post a Comment

0Comments
Post a Comment (0)