
ନୂଆଦିଲ୍ଲୀ/ଶ୍ରୀନଗର : ଜମ୍ମୁ କଶ୍ମୀରରେ ସେନା ମୁତୟନ ବଢ଼ାଯିବା ଏବଂ ଅମରନାଥ ଯାତ୍ରାକୁ ଅଧାରୁ ବାତିଲ କରାଯିବା ନେଇ ନାନା ଆଶଙ୍କା ଲାଗି ରହିଥିବା ବେଳେ ପୁଲିସ ପ୍ରଶାସନ ଆଜି ଅଧରାତିରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଗିରଫ କରାଯାଉଛି। ଏହାସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି। ପିପୁଲ୍ସ ପାର୍ଟି ମୁଖ୍ୟ ସଜ୍ଜାଦ େଲାନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବାର ଖବର ମିଳିଛି। ତୀବ୍ର ଉତ୍ତେଜନା ପ୍ରକାଶ ପାଉଥିବାରୁ ଶ୍ରୀନଗରରେ ଅନିର୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ସବୁ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ମୋବାଇଲ ଏବଂ ଇଣ୍ଟରନେଟ୍ ସେବାକୁ ମଧ୍ୟ ସସପେଣ୍ଡ କରାଯାଇଛି।
ଆଜି ଏସଂପର୍କରେ ସୂଚନା ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଶ୍ରୀନଗରରେ କର୍ଫ୍ୟୁ ଜାରି କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି।
ନେତାମାନଙ୍କୁ ଘରୁ ବାହାରିବାକୁ ଦିଆଯିବ ନାହିଁ। ଲୋକମାନଙ୍କୁ ମଧ୍ୟ ଘରୁ ନବାହାରିବା ଲାଗି କୁହାଯାଇଛି। ସେନାବାହିନୀ ଶ୍ରୀନଗରକୁ ଘେରି ରହିଛନ୍ତି। ଯେକୌଣସି ପରିସ୍ଥିତିିର ମୁକାବିଲା ପାଇଁ ସାମରିକ ଯବାନମାନେ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଆଜି ଦିଲ୍ଳୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଗୁଇନ୍ଦା ବ୍ୟୁରୋ ମୁଖ୍ୟ ଅରବିନ୍ଦ କୁମାାର, ର’ ମୁଖ୍ୟ ସାମନ୍ତ ଗୋୟଲ, ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଚାରବିମର୍ଶ କରିଥିଲେ।
ଏଭଳି ସ୍ଥିତିରେ ସୋମବାର ସକାଳେ ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦୀ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସକାଳ ସାଢ଼େ ୯ଟାରେ କ୍ୟାବିନେଟ ବୈଠକ ଡକାଯାଇଥିବାରୁ ଏଥିରେ କଶ୍ମୀରକୁ ନେଇ କିଭଳି ନିଷ୍ପତ୍ତି ହେବ ସେ ନେଇ ନାନା କଳ୍ପନାଜଳ୍ପନା ଚାଲିଛି । ଆସନ୍ତାକାଲି କ୍ୟାବିନେଟ୍ ବୈଠକରେ ଚଳିତ ସଂସଦ ଅଧିବେଶନକୁ ଆଉ ଦୁଇ ଦିନ ବଢ଼ାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ଆସନ୍ତାକାଲି କଶ୍ମୀର ସ୍ଥିତିକୁ ନେଇ ସଂସଦରେ ସରଗରମ ସ୍ଥିତି ଉପୁଜିବା ଅନୁମାନ କରାଯାଉଛି । ଚଳିତ ଅଧିବେଶନର ଆଉ ବାକିଥିବା ଦୁଇ ଦିନରେ କୌଣସି ବଡ଼ ବିଲ୍ ଆଗତ ହେବାକୁ ନଥିବା ବେଳେ ସରକାର ଅଧିବେଶନ ବଢ଼ାଇବାକୁ ଯୋଜନା କରିବା ସମସ୍ତଙ୍କୁ ବିସ୍ମିତ କରିଛି। କେନ୍ଦ୍ର ସରକାର ସମସ୍ତ ଗୁଇନ୍ଦା ଓ ସୁରକ୍ଷା ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟରେ ରଖିଛନ୍ତି।
ଜମ୍ମୁ-କଶ୍ମୀରରେ ପ୍ରାୟ ୨୮ ହଜାର ଅତିରିକ୍ତ ଯବାନଙ୍କୁ ଗତ ୧୦ ଦିନ ମଧ୍ୟରେ ମୁତୟନ କରାଯାଇଛି ଏବଂ ପର୍ଯ୍ୟଟକ ଓ ବାହାର ଛାତ୍ରଛାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟରେ କଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକମାନଙ୍କୁ ସୁରକ୍ଷି ପଠାଯିବା ପାଇଁ ସରକାର ଆଜି କେତେକ ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ସଂସଦ ଅଧିବେଶନ ଶେଷ ହେବା ପରେ ୩ ଦିନ ପାଇଁ ଜମ୍ମୁ କଶ୍ମୀର ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।
from ଦେଶ- ବିଦେଶ – Sambad https://ift.tt/2YGlbOa