ଓଲିଉଡର ଟପ୍‌ ନାୟିକା ଏଲିନା ଓ ତମନ୍ନାଙ୍କ ପରେ କିଏ?

zisanmohammad
0

ଭୁବନେଶ୍ୱର (ଶିବଶଙ୍କର ଓଝା): ଓଲିଉଡରେ ମୂଳରୁ ନାୟିକା ସଂକଟ କଥା କୁହାଯାଉଛି। ହେଲେ ବିଗତ କିଛି ବର୍ଷକୁ ଲକ୍ଷ୍ୟ କଲେ ଓଡ଼ିଆ ସିନେ ଜଗତରେ ସେଭଳି ସ୍ଥିତି ଆଉ ନାହିଁ ବୋଲି କୁହାଯାଇପାରେ। ଖାସ୍‌ କରି ଦୁଇଟି ଲୋକ୍ରପିୟ ମନୋରଂଜନ ଚାନେଲ ପକ୍ଷରୁ ରିଆଲିଟି ସୋ’ ଜରିଆରେ ନୂଆ ନାୟିକା ସନ୍ଧାନ କାମ ଆରମ୍ଭ ହେବାପରେ ନାୟିକା ସଂକଟ ସ୍ଥିତିରେ ସୁଧାର ଆସିଥିଲା।

ତରଙ୍ଗର ରିଆଲିଟି ସୋ’‘କିଏ ହେବ ମୋ’ ହିରୋଇନ୍‌’ର ପ୍ରଥମ ସିଜିନର ବିଜୟିନୀ ଥିଲେ ଏଲିନା ସାମନ୍ତ ରାୟ। ଏଲିନାଙ୍କଠାରୁ ଆରମ୍ଭ ହୋଇଥିଲା ଏହି ଟ୍ରେଣ୍ଡ। ସେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ସାଜି ‘ଇଶ୍କ ତୁ ହି ତୁ’(୨୦୧୫)ଜରିଆରେ ଓଲିିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରେ ହିଁ ନାୟିକା ଭାବେ ଏଲିନା ବେଶ୍‌ ଚର୍ଚ୍ଚିତା ହୋଇଥିଲେ। ତା’ପରେ ‘ଜଗା ହାତରେ ପଘା’ ଓ ‘ଲଭ୍‌ଷ୍ଟେସନ୍‌’ଭଳି ସିନେମାରେ ନାୟିକା ସାଜିବା ପରେ ଓଲିଉଡର ଟପ୍‌ ହିରୋଇନ୍‌ଭାବେ ପରିଗଣିତ ହୋଇଥିଲେ ଏଲିନା। ସତ କହିବାକୁ ଗଲେ ଏଭଳି ରିଆଲିଟି ସୋ’ର ପ୍ଲାଟଫର୍ମରୁ ଆସି ନାୟିକା ଭାବେ ଏଲିନା ଯେଉଁ ସଫଳତା ପାଇଛନ୍ତି,ତାହା ଏଯାବତ୍‌ ଅନ୍ୟ କାହାକୁ ମିଳି ନାହିଁ।

ଏଲିନାଙ୍କ ପରେ ‘ମୁଁ ବି ହିରୋଇନ୍‌ ହେବି’ରିଆଲିଟି ସୋ’ ଜରିଆରେ ସୂରମୟୀ,ମନୀଷା,ରୁପାଲି ଓ ଦେବସ୍ମିତା ,‘କିଏ ହେବ ମୋ ହିରୋଇନ୍‌’ଜରିଆରେ ନିହାରିକା,ସସ୍ମିତା ଓ ତମନ୍ନାଙ୍କ ଭଳି ପ୍ରତିଯୋଗିନୀ ମାନେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ।

ସୂରମୟୀ ‘ଭଲ ପାଏ ତତେ ୧୦୦ ରୁ ୧୦୦’,ରୁପାଲି,ମନୀଷା ଓ ଦେବସ୍ମିତା ‘ରଘୁପତି ରାଘବ ରାଜାରାମ’, ନିହାରିକା ‘ତୁ କହିବୁ ନା ମୁଁ’, ସସ୍ମିତା ‘ହାପି ଲକି’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଲେ। ଏମାନଙ୍କ ଭିତରୁ କେହି ବି ବିଶେଷ ସଫଳତା ଲାଭ କରି ନାହାଁନ୍ତି।ଏମାନେ ବିଶେଷ ଚର୍ଚ୍ଚାରେ ବି ନାହାନ୍ତି, କି ଏମାନେ ଏଲିନାଙ୍କ ପାଖାପାଖି ହୋଇପାରି ନାହାନ୍ତି ବୋଲି କହିଲେ ଭୁଲ ହେବ ନାହିଁ।

ତେବେ ଏଲିନାଙ୍କ ପରେ ରିଆଲିଟି ସୋ’ ପ୍ଲାଟଫର୍ମରୁ ସିନେମାରେ ସୁଯୋଗ ପାଇଥିବା ଜଣେ ନାୟିକା ଧୀରେ ଧୀରେ ଉପରକୁ ସଫଳତାର ଶିଡ଼ି ଚଢ଼ୁଛନ୍ତି। ସେ ହେଲେ ତମନ୍ନା। ତମନ୍ନାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍‌’ରେ ବ୍ରେକ୍‌ ଦେଇଥିଲେ ,କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା। ସେ ଯାହା ହେଉନା କାହିଁକି ତମନ୍ନା ଏବେ ଓଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି। ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’,‘ନିଝୁମ୍‌ ରାତିର ସାଥୀ’,‘ପ୍ରେମ କୁମାର’,‘ବ୍ଲାକମେଲ୍‌’ ଏବଂ ‘ଗୋଲମାଲ୍‌ ଲଭ୍‌’ ଆଦି ସିନେମାରେ ନାୟିକା ବନି ସାରିଲେଣି। ‘ଗୋଲମାଲ୍‌ ଲଭ୍‌’ପରେ ତମନ୍ନାଙ୍କୁ ଟପ୍‌ ନାୟିକା ଭାବେ ପରିଗଣିତ କରାଯାଉଛି।

ଏଲିନାଙ୍କ ପରେ ତମନ୍ନା ,ହେଲେ ତାଙ୍କ ପରେ କିଏ? ଏ ପ୍ରଶ୍ନ ଉଠୁଛି ଏବେ ସିନେ ପ୍ରେମୀଙ୍କ ମନରେ। ଏବେ ‘ମୁଁ ବି ହିରୋଇନ୍‌ ହେବି’ ଓ ‘କିଏ ହେବ ମୋ’ ହିରୋଇନ୍‌’ଭଳି ରିଆଲିଟି ସୋ’ ଆଉ ପ୍ରସାରିତ ହେଉ ନାହିଁ। ଏବେ କେବଳ ଜି ସାର୍ଥକରେ ଓଡ଼ିଶାର ବେଷ୍ଟ ସିନେଷ୍ଟାର୍‌ର ଖୋଜ୍‌’ର ପ୍ରସାରଣ ଚାଲିଛି। ଏଥିରେ ଯେଉଁ ପ୍ରତିଭାବାନ୍‌ ଅଭିନେତ୍ରୀ ବିଜୟିନୀ ହେବେ, ତାଙ୍କୁ କ’ଣ ବିଗ୍‌ ବ୍ରେକ୍‌ ମିଳିବ ଏବଂ ସେ କ’ଣ ଏଲିନା ଓ ତମନ୍ନାଙ୍କ ପରି ଆଗ ଧାଡ଼ିର ନାୟିକା ହୋଇ ପାରିବେ, ତାହା ସମୟ କହିବ।



from ମନୋରଞ୍ଜନ – Sambad https://ift.tt/2Zmwd8a

Post a Comment

0Comments
Post a Comment (0)