
ଭୁବନେଶ୍ବର: ରାଜ୍ୟ ବଜେଟ୍ରେ ସାମାଜିକ କ୍ଷେତ୍ରକୁ ଅଣଦେଖା କରାଯାଇଥିବା ନେଇ ବିଶେଷଜ୍ଞମାନେ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିବା ଯୋଜନାଗୁଡ଼ିକ ପାଇଁ ଅଧିକ ଅର୍ଥ ବରାଦ କରିବା ଯୋଗୁ ସାମାଜିକ କ୍ଷେତ୍ରକୁ କମ୍ ଟଙ୍କା ମିଳିଛି ବୋଲି ସେମାନେ କହିଛନ୍ତି। ପୂର୍ବ ଘୋଷିତ ଯୋଜନା ଯଥା କାଳିଆ ଯୋଜନା, ପାର୍ବତୀ ଗିରି ଉଠା ଜଳସେଚନ, ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ସଶକ୍ତୀକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବସୁଧା ଓ ପାନୀୟ ଜଳ ଯୋଗାଣ ଯୋଜନା ବଜେଟ୍ର ସିଂହ ଭାଗ ଅକ୍ତିଆର କରିଛି ବୋଲି ସେମାନେ କହିଛନ୍ତି।
ଆଜି ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ସିୱାଇଏସ୍ଡି ଓ ସମାଜ ତରଫରୁ ଆୟୋଜନ କରାଯାଇଥିବା ରାଜ୍ୟ ବଜେଟ୍ ସମ୍ପର୍କିତ ପ୍ୟାନେଲ୍ ଆଲୋଚନା କାର୍ଯ୍ୟକ୍ରମରେ ସାମାଜିକ କ୍ଷେତ୍ରକୁ କିଭଳି ବଜେଟ୍ରେ ଅଣଦେଖା କରାଯାଇଛି ସେ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ନିଜସ୍ବ ଟିକସ ବଢ଼ାଇବା ପାଇଁ ରାଜ୍ୟ ସରକାର କୌଣସି ନିର୍ଦିଷ୍ଟ ବ୍ୟବସ୍ଥା କରୁନଥିବା ନେଇ ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ବଜେଟ୍ ବ୍ୟୟବରାଦ ଓ ବାସ୍ତବ ଖର୍ଚରେ ରହୁଥିବା ବଡ଼ ଧରଣର ଅନ୍ତର ଓ ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ସରକାର ଅଣଦେଖା କରିଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ପାନୀୟ ଜଳ ଭିତ୍ତିଭୂମିର ପରିଚାଳନା ଓ ମରାମତି ପ୍ରତି ଯଥୋଚିତ ଧ୍ୟାନ ଦିଆଯାଇନାହିଁ। କୃଷି କ୍ଷେତ୍ର ପାଇଁ ୨୦୭୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ସେଥି ମଧ୍ୟରୁ ୫୬୧୧ କୋଟି ଟଙ୍କା କେବଳ କାଳିଆ ଯୋଜନାକୁ ପ୍ରଦାନ କରାଯାଇଛି। ଫଳରେ କୃଷି କ୍ଷେତ୍ରର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୫,୨୧୩ ଟଙ୍କା ରହିଯାଇଛି ଯାହା ଗତବର୍ଷର ୧୬,୭୬୫ କୋଟି ଟଙ୍କାରୁ କୃଷି ବଜେଟ୍ ଠାରୁ କମ୍ ବୋଲି ସେମାନେ କହିଛନ୍ତି।
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିନରେଗା)ରେ ୧୦୦ ଦିନର କାମ ପ୍ରଦାନ କରିବାର ବ୍ୟବସ୍ଥା ଥିବା ବେଳେ ରାଜ୍ୟରେ ହାରାହାରି ୧୫ ଦିନର କାମ ମିଳିଛି। ୨୦୧୮-୧୯ରେ ଏମ୍ଜିନରେଗାରେ ୨୩ ଲକ୍ଷ ୭୫ ହଜାର ପରିବାର କାମ ମାଗିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୭୧ ହଜାର ପରିବାରର ୩୯ ଲକ୍ଷ ୨୦ ହଜାର ଜଣଙ୍କୁ କାମ ମିଳିଥିଲା। ଏହି ସ୍କିମ୍ ପାଇଁ ସରକାର କେତେ ସଜାଗ ତାହା ଏଥିରୁ ଜଣାପଡ଼ୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ମାନବ ସମ୍ବଳ ନିୟୋଜନ ଓ ପିଲାମାନଙ୍କ ଶିକ୍ଷା ବିକାଶ ପ୍ରତି ଧ୍ୟାନ ଦେବା ଓ ଶିଶୁ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍ ଦରକାର ବୋଲି ସେମାନେ କହିଛନ୍ତି। ଆଜିର ପ୍ୟାନେଲ୍ ଆଲୋଚନାରେ ସିୱାଇଏସ୍ଡିର ଅଧ୍ୟକ୍ଷ ପି କେ ସାହୁ, ପୂର୍ବତନ ରାଜସ୍ବ ବୋର୍ଡ ସଦସ୍ୟ ଅରବିନ୍ଦ ବେହେରା, ଇନଷ୍ଟିଚ୍ୟୁଟ ଅଫ୍ ଫାଇନାନ୍ସର ନିର୍ଦେଶକ ପି କେ ବିଶ୍ବାଳ, ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଭାଗବତ ପାତ୍ର, ରାଜ୍ୟ ଅର୍ଥ ବିଭାଗର ଉପ ସଚିବ ସତ୍ୟପ୍ରିୟ ରଥ, ଆର୍ଡି ବିଶ୍ବବିଦ୍ୟାଳୟର ପ୍ରଫେସର ଡକ୍ଟର ଅପରାଜିତା ବିଶ୍ବାଳ ଓ ଓଡ଼ିଶା ବଜେଟ୍ ଆଣ୍ଡ୍ ଆକାଉଣ୍ଟାବିଲିଟି ସେଣ୍ଟର୍ (ଓବିଏସି)ର ବସନ୍ତ କୁମାର ନାୟକ ଉପସ୍ଥିତ ଥିଲେ।
from ବାଣିଜ୍ୟ – Sambad https://ift.tt/2JnDVIm