ନିଜ ଗାଁକୁ ଶବ ନେଲେ ପରିବାର

zisanmohammad
0

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପାଡୁଆ ଡିପି କ୍ୟାମ୍ପର ଏକ ଭଡ଼ା ଘରୁ ଜଣେ ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ପୁଲିସ ଆଜି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାପରେ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଶିକ୍ଷକଙ୍କ ଶବକୁ ନିଜ ଗାଁ ବାଲେଶ୍ବର ଜିଲ୍ଲାର ସୋର ଗ୍ରାମକୁ ନେଇଯାଇଛନ୍ତି। ଅନ୍ୟପଟେ ମୃତ ଶିକ୍ଷକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ଯୁବତୀଙ୍କ ଦାଦା ଏହାକୁ ବିରୋଧ କରିବା ସହ ଗାଳି ଗୁଲଜ କରିବା ପରେ ଶିକ୍ଷକ ଜଣକ ଆତ୍ମହତ୍ୟା କରିଥିବା ନେଇ ମୃତ ଶିକ୍ଷକଙ୍କ ଭାଇ ପାଡୁଆ ଥାନାରେ ଏତଲା ଦେଇଛନ୍ତି।
ପ୍ରକାଶ ଥାଉକି, ବାଲେଶ୍ବର ଜିଲ୍ଲା ସୋର ଗ୍ରାମର ବିକ୍ରମ ସାମଲ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର କୋନା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ କାର୍ଯ୍ୟରତ ଥିଲେ। ବିକ୍ରମ ପାଡୁ୍ଆ ଡିପି କ୍ୟାମ୍ପର ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତକାଲି ଅପରାହ୍ନରେ ବିକ୍ରମଙ୍କୁ ତାଙ୍କର କିଛି ସାଙ୍ଗ ଫୋନ କରିଥିଲେ। ବାରମ୍ବାର ଫୋନ କରିବା ପରେ ମଧ୍ୟ ବିକ୍ରମ କଲ୍ ନଉଠାଇବାରୁ ସାଙ୍ଗ ମାନେ ସ‌େନ୍ଦେହ କରି ସେ ରହୁଥିବା ଘରକୁ ଯାଇଥିଲେ। ଭିତର ପଟୁ କବାଟ ପଡିଥିବା ଦେଖିବା ପରେ ଝରକା ଓ କବାଟ ଭାଙ୍ଗି ଦେଖିବା ବେଳକୁ ବିକ୍ରମଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପାଡୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପାଡୁଆ ପୁଲିସ ଏନେଇ ଖବର ଦେବା ପରେ ମୃତ ବିକ୍ରମଙ୍କ ପରିବାର ଲୋକ ଆଜି ପାଡୁଆରେ ପହଞ୍ଚିଥିଲେ। ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପଟେ ମୃତ ବିକ୍ରମଙ୍କ ଭାଇ ବିଜୟ କେଶରୀ ସାମଲ ଆଜି ପାଡୁଆ ଥାନାରେ ଏକ ଏତଲା ଦେଇଛନ୍ତି। ବିକ୍ରମ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ଯୁବତୀଙ୍କ ଦାଦା ଏହାକୁ ବିରୋଧ କରିବା ସହ ବିକ୍ରମଙ୍କୁ ଗାଳିଗୁଲଜ କରୁଥିଲେ। ଗତକାଲି ମଧ୍ୟ ଯୁବତୀଙ୍କ ଦାଦା ଗାଳି କରିବା ପରେ ବିକ୍ରମ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଏହି ଏତଲାରେ ଉଲ୍ଲେଖ ରହିଛି। ଏପରିକି ବିକ୍ରମଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା, ପ୍ରେମିକାଙ୍କ ଭଉଣୀ, ଦାଦା ଓ ଖୁଡି ଦାୟୀ ବୋଲି ବିଜୟ ଏହି ଏତଲାରେ ଉଲ୍ଲେଖ କରିଛନ୍ତି। ଥାନାରେ ଅଭିଯୋଗ କରିବା ପରେ ପରିବାର ଲୋକ ବିକ୍ରମଙ୍କ ଶବ ନିଜ ଗାଁକୁ ନେଇ ଯାଇଛନ୍ତି। ପ୍ରକାଶ ଥାଉକି, ବିକ୍ରମଙ୍କ ବାପା ପୂର୍ବରୁ ମୃତ୍ୟୁବରଣ କରି ସାରିଛନ୍ତି। ଏହାପରେ ବିକ୍ରମଙ୍କ ରୋଜଗାରରେ ତାଙ୍କ ପରିବାର ଚଳୁଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ସଂପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଛନ୍ତି।



from ଜିଲ୍ଲା – Sambad http://bit.ly/2N8rohj

Post a Comment

0Comments
Post a Comment (0)