ଜାତୀୟ ବାଳକ ହକି ଫାଇନାଲ୍‌ରେ ଓଡ଼ିଶା

zisanmohammad
0

ଭୁବନେଶ୍ବର: ଛତିଶଗଡ଼ର ରାୟପୁରରେ ଚାଲିଥିବା ଜାତୀୟ ବାଳକ (ଉପକନିଷ୍ଠ) ହକି ପ୍ରତିଯୋଗିତାର ନବମ ସଂସ୍କରଣରେ ଓଡ଼ିଶା ଦମ୍‌ଦାର ପ୍ରଦର୍ଶନ ଜାରି ରଖି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛି। ରବିବାର କ୍ବାର୍ଟର ଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ମଙ୍ଗଳବାର ସେମିଫାଇନାଲ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ୨-୧ ଗୋଲ୍‌ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଉତ୍କଣ୍ଠାପୂର୍ଣ୍ଣ ପ୍ରଥମ ସେମିଫାଇନାଲ୍‌ର ପ୍ରଥମ ୩୮ ମିନିଟ୍‌ରେ ହିଁ ସାଇ ଉପରେ ଓଡ଼ିଶା ୨ଟି ଗୋଲ୍‌ ଲଦି ଦେଇଥିଲା। ରୋଶନ୍‌ କୁଜୁର ୧୬ ମିନିଟ୍‌ରେ ଚମତ୍କାର ଫିଲଡ୍‌ ଗୋଲ୍‌ ଜରିଆରେ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲା ବେଳେ ୩୮ ମିନିଟ୍‌ରେ ଅଧିନାୟକ ଲାବନ ଲୁଗୁନ୍‌ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌ ଜରିଆରେ ଗୋଲ୍‌ କରି ବ୍ୟବଧାନ ୨-୦ କରିଦେଇଥିଲେ। ଓଡ଼ିଶା ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ୪୩ ମିନିଟ୍‌ରେ ଆକାଶ ସୋରେଙ୍ଗ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ରୁପାନ୍ତରିତ କରି ସାଇ ପାଇଁ ବ୍ୟବଧାନ ୧-୨ କରିଥିଲେ। ତେବେ ନିର୍ଧାରିତ ସମୟ ମଧ୍ୟରେ ଅଧିକ ଗୋଲ୍‌ ଦେବାକୁ ଓଡ଼ିଶା ସମର୍ଥ ହୋଇନଥିଲେ ମଧ୍ୟ ପ୍ରତିପକ୍ଷକୁ ଗୋଲ୍‌ ଦେବାର ସୁଯୋଗ ମଧ୍ୟ ଦେଇନଥିଲେ। ଫଳରେ ମ୍ୟାଚ୍‌ ୨-୧ ଗୋଲ୍‌ରେ ଓଡ଼ିଶା ସପକ୍ଷରେ ରହିଥିଲା। ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେବା ପରେ ଓଡ଼ିଶା ଏବେ ଟ୍ରଫି ପାଇଁ ଉତ୍ତର ପ୍ରଦେଶ ସହ ଲଢ଼ିବ। ସ୍ବର୍ଣ୍ଣ ପଦକ ପାଇଁ ଆସନ୍ତାକାଲି (ବୁଧବାର) ଫାଇନାଲ୍‌ ମୁକାବିଲା ହେବ।
ମଙ୍ଗଳବାର ଅନ୍ୟ ଏକ ସେମିଫାଇନାଲ୍‌ରେ ଉତ୍ତର ପ୍ରଦେଶ ମଧ୍ୟ ସମାନ ୨-୧ ଗୋଲ୍‌ ବ୍ୟବଧାନରେ ଝାଡ଼ଖଣ୍ଡକୁ ପରାସ୍ତ କରିଦେଇଛି। ଅଜୟ ଯାଦବ (୧୪ ମିନିଟ୍‌) ଓ ସୁଜିତ କୁମାର (୫୦ ମିନିଟ୍‌) ବିଜୟୀ ଦଳ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଝାଡ଼ଖଣ୍ଡ ପକ୍ଷରୁ ୩୯ ମିନିଟ୍‌ରେ ଏକମାତ୍ର ଗୋଲ୍‌ ଶୁଝି ପାରିଥିଲେ ଜିତ୍‌ପନ ଭେଙ୍ଗ୍ରା। ଅନ୍ୟପକ୍ଷରେ ସେମିଫାଇନାଲ୍‌ର ଦୁଇ ପରାଜିତ ଦଳ ସାଇ ଓ ଝାଡ଼ଖଣ୍ଡ ଆସନ୍ତାକାଲି ତୃତୀୟ ସ୍ଥାନ ତଥା କାଂସ୍ୟ ପଦକ ପାଇଁ ମୁହାଁମୁହିଁ ହେବେ।



from ଖେଳ – Sambad http://bit.ly/2VXEG4b

Post a Comment

0Comments
Post a Comment (0)