ଧିମେଇଛି ରଥ କାମ : ଅକ୍ଷୟ ତୃତୀୟାରୁ ମିଳିନି ମଜୁରି, ଆଶଙ୍କାରେ ଚକଡ଼େରା

zisanmohammad
0

ପୁରୀ : ବାତ୍ୟା ‘ଫନି’ ମାଡ଼ରୁ ଏପର୍ଯ୍ୟନ୍ତ ଉଧେଇ ପାରିନି ରଥଖଳା। କାମ ଧିମେଇଥିବା ବେଳେ ଆଉ ୫ ଦିନ ପରେ ହେବ ଚକଡେରା। ରଥ ନିର୍ମାଣ କାମ ପଛେଇଥିବାରୁ ଚକଡେରା ନେଇ ଦେଖା ଦେଇଛି ସନ୍ଦେହ। କାମ ତ୍ବରାନ୍ବିତ କରିବାକୁ ମହାରଣାମାନେ ଜେନେରେଟର ଦେବାକୁ ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି। ସେପଟେ କାମ ଆରମ୍ଭ ହେବା ଦିନଠୁ ମହାରଣା, ସହାୟକ ଓ ଭୋଇ ସେବକଙ୍କୁ ମଜୁରି ମିଳିନି। ଅଫିସରଙ୍କ ଟେବୁଲରେ ଫାଇଲ୍‌ ପଡ଼ିଛି। ଏହାକୁ ନେଇ ମନ ଊଣା କରିଛନ୍ତି ମହାରଣା ସେବକ।

ରଥଯାତ୍ରା ପାଖେଇ ଆସିଲାଣି। ହାତରେ ଆଉ ୪୫ ଦିନ। ହେଲେ ଯେଉଁଭଳି ଭାବେ ରଥ ନିର୍ମାଣ ଆଗେଇବା କଥା ତାହା ହୋଇନାହିଁ। ବଡ଼ ବାଧକ ସାଜିଛି ବିଜୁଳି। ବିଜୁଳି ଯୋଗାଣରେ ସ୍ଥିରତା ନଥିବାରୁ ରଥଖଳାରେ କାଠ କାଟିବା ସମ୍ଭବ ହେଉନାହିଁ। ତେଣୁ କାମ ପଛେଇ ଯାଇଛି। ଦିନେ ବିଜୁଳି ଆସିଲେ ଦିନେ ନାହିଁ। ଦୁଇ ଦିନ ବିଜୁଳି ରହିବାରୁ ସବୁ ତୁମ୍ବ କଟାଗଲା। ହେଲେ ଆଜି ସକାଳୁ ପୁଣି ବିଜୁଳି କଟାଯାଇଛି। ବିଜୁଳିର ଲୁଚକାଳି ଖେଳ ଭିତରେ ଆଉ ରିସ୍କ୍‌ ନେବାକୁ ଚାହୁଁନାହାନ୍ତି ମହାରଣା ସେବକ। ରଥ କାମ ତ୍ବରାନ୍ବିତ କରିବା ଲାଗି ଏକ ଜେନେରେଟର ଦେବାକୁ ସେମାନେ ଆଜି ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଜେନେରେଟର ଦେଲେ ମେସିନ୍‌ ଦ୍ବାରା ସବୁ କାମ ତ୍ବରିତ ବେଗରେ କରାଯିବ। ଏହି ପ୍ରସ୍ତାବକୁ ମନ୍ଦିର ପ୍ରଶାସନ ଗ୍ରହଣ କରିଛି, କିନ୍ତୁ ଜେନେରେଟର ସଂପର୍କରେ କିଛି ଜଣାଇନାହିଁ।

ତେଣେ ମହାରଣାମାନେ ଆଜିଠୁ ଅରକାଠ କାଟିବା ଆରମ୍ଭ କରିଛନ୍ତି। ଅରକାଠ ପ୍ରସ୍ତୁତ ହେଲେ ଚକ କାମ ଆଗେଇବ। ସେହିପରି ଏପର୍ଯ୍ୟନ୍ତ ପଇ ଯୋଡ଼ା, ଅଖ କାମ ଆରମ୍ଭ ହୋଇନାହିଁ। ଦେଖିବାକୁ ଗଲେ ରଥଖଳାରେ ଅନେକ କାମ ପଛେଇଛି। ଆସନ୍ତା ୨୬ ତାରିଖରେ ଭଉଁରୀ। ପରମ୍ପରା ଅନୁଯାୟୀ, ଭଉଁରୀ ଦିନ ତିନି ଠାକୁରଙ୍କ ତିନି ରଥର ଚକଡେରା ହେବ। ଅର୍ଥାତ୍‌ ପ୍ରତି ରଥର ୨ଟି ଲେଖା ଚକ ଗୋଟିଏ ଅଖରେ ସଂଯୋଗ ହେବ। ସେହି ନୀତି ପୂର୍ବରୁ ଆବଶ୍ୟକ ଚକ ଓ ଅଖ କାମ ସରିଯିବା କଥା, ଯାହା ଏବେ ସନ୍ଦେହ ରହିଛି। ଅନ୍ୟପକ୍ଷରେ ମହାରଣା, ସହାୟକ ଓ ଭୋଇ ସେବକମାନଙ୍କୁ ଅକ୍ଷୟତୃତୀୟାଠାରୁ ଏ ପର୍ଯ୍ୟନ୍ତ ମଜୁରି ମିଳିନାହିଁ। ମଜୁରୀ ବଢ଼ାଇ ଦିଆଯିବ ବୋଲି କୁହାଯାଇଥିଲେ ହେଁ କେତେ ବଢ଼ିବ ତାହା ଚୂଡ଼ାନ୍ତ କରିନାହିଁ ମନ୍ଦିର ପ୍ରଶାସନ। ମଜୁରି ଫାଇଲ୍‌ ଏବେ ଅଫିସରଙ୍କ ଟେବୁଲରେ ଲଟକିଛି। ବର୍ଦ୍ଧିତ ମଜୁରି ଅନୁମୋଦନ ହେବା ପରେ ହିଁ ପାଉଣା ମିଳିବ ବୋଲି ସୂଚନା ମିଳିଛି।



from ଜିଲ୍ଲା – Sambad http://bit.ly/2YCoK41

Post a Comment

0Comments
Post a Comment (0)