
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବିମାନ କଂପାନି ଇଣ୍ଡିଗୋର ଦୁଇ ପ୍ରତିଷ୍ଠାତା ରାହୁଲ ଭାଟିଆ ଓ ରାକେଶ ଗଙ୍ଗୱାଲଙ୍କ ଭିତରେ ଝଗଡ଼ା ଚାଲିଛି। ଏହା ପଛର ମୂଳ କାରଣ ହେଉଛି କଂପାନି ପରିଚାଳନା କ୍ଷମତା। ରାହୁଲଙ୍କ କଂପାନି ଇଣ୍ଟରଗ୍ଲୋବ୍ ଏଣ୍ଟରପ୍ରାଇଭେସ୍କୁ ଏଭଳି କିଛି କ୍ଷମତା ପ୍ରଦାନ କରାଯାଇଛି ଯାହାକୁ ରାକେଶ ସହ୍ୟ କରିପାରୁନାହାନ୍ତି। ଉଭୟ ରାହୁଲ ଓ ରାକେଶଙ୍କ ଇଣ୍ଡିଗୋରେ ପାଖାପାଖି ୩୮% ଲେଖାଏଁ ଅଂଶଧନ ରହିଛି। ଏଦୃଷ୍ଟିରୁ ଦୁଇ ଜଣଙ୍କ ପାଖରେ ସମାନ କ୍ଷମତା ରହିବା କଥା। ମାତ୍ର ନିକଟରେ କଂପାନିର ସେୟାରହୋଲ୍ଡର୍ ଏଗ୍ରିମେଣ୍ଟ୍ ବା ଅଂଶଧନକାରୀ ଚୁକ୍ତିରେ କେତେକ ସଂଶୋଧନ କରାଯିବା ପରେ ରାହୁଲ ଓ ରାକେଶଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଛି।
ସେୟାରହୋଲ୍ଡର୍ ଏଗ୍ରିମେଣ୍ଟ୍ରେ ହୋଇଥିବା ସଂଶୋଧନ ପରେ ରାହୁଲଙ୍କ କଂପାନି ଇଣ୍ଟର୍ଗ୍ଲୋବ୍କୁ କଂପାନିର ଅଧ୍ୟକ୍ଷ, ପରିଚାଳନା ନିର୍ଦେଶକ, ସିଇଓ ଏବଂ ସଭାପତି ନିଯୁକ୍ତ କରିବାର କ୍ଷମତା ମିଳିଛି। ଏହା ବ୍ୟତୀତ ତାଙ୍କ କଂପାନି ତିନି ଜଣ ଅଣ-ସ୍ବାଧୀନ ନିର୍ଦେଶକ ମଧ୍ୟ ନିଯୁକ୍ତ କରିପାରିବ। ସେହି ସମୟରେ ରାକେଶ ଗଙ୍ଗ୍ୱାରଙ୍କ କଂପାନି ‘ଆର୍ଜି ଗ୍ରୁପ୍’କୁ କେବଳ ଜଣେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦେଶକ ନିଯୁକ୍ତ କରିବାର କ୍ଷମତା ମିଳିଛି। ଇଣ୍ଡିଗୋରେ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଦୁଇ ମାଲିକଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଯାଇଛି। ମିଳିଥିବା ଏହି ଖବର ଯଦି ସତ ହୋଇଥାଏ ତେବେ ରାହୁଲଙ୍କ କଂପାନି ଇଣ୍ଟରଗ୍ଲୋବ୍ ପାଖରେ ମାତ୍ରାଧିକ କ୍ଷମତା ରହିଥିବା କଥାକୁ ଅସ୍ବୀକାର କରିହେବ ନାହିଁ। ରାହୁଲ ଓ ରାକେଶଙ୍କ ଭିତରେ ଲାଗି ରହିଥିବା ଝଗଡ଼ାକୁ ଦୂର କରିବା ପାଇଁ ଜେ ସାର ଆସୋସିଏଟସ୍ ଓ ଖୈତାନ୍ ଆଣ୍ଡ୍ କଂପାନି ନାମକ ଦୁଇଟି ଲ’ ଫାର୍ମ କାମ କରୁଛନ୍ତି।
ଝଗଡ଼ା ଥିବା ମାନିଲେ ସିଇଓ
ଇଣ୍ଡିଗୋର ମାଲିକଙ୍କ ଭିତରେ ଝଗଡ଼ା ଚାଲିଥିବା କଥାକୁ ଏହାର ସିଇଓ ରଣଜୟ ଦତ୍ତ ସ୍ବୀକାର କରିଛନ୍ତି। ସେ କହିଲେ କଂପାନିରେ ମତଭେଦ ରହିଛି। ଯଦି ତାହାର ସମାଧାନ ନହେବ ତେବେ କିଛିଦିନ ପରେ ତାହା ସାର୍ବଜନୀନ ହୋଇଯିବ। ଯେକୌଣସି ସୁଦୃଢ଼ ଓ ଭଲ ଭାବେ ପରିଚାଳିତ ହେଉଥିବା କଂପାନିରେ ସମସ୍ୟା ରହିଥାଏ ବୋଲି ସେ କହିବା ସହିତ ସମସ୍ୟାକୁ ଉଚିତ ଢଙ୍ଗରେ ସମାଧାନ କରିବାର ବହୁତ ଭଲ ଟ୍ରାକ୍ ରେକର୍ଡ ଇଣ୍ଡିଗୋର ରହିଛି ବୋଲି କହିଛନ୍ତି। କଂପାନିର ପରିଚାଳନା କତୃର୍ପକ୍ଷ ଟିମ୍ରେ ପରିବର୍ତ୍ତନ କରିବା ବେଳେ କେତେକ ସମସ୍ୟା ଦେଖାଦେଇଥିଲା ଯାହା ସ୍ବାଗତଯୋଗ୍ୟ ନଥିଲା ବୋଲି ସେ କହିଛନ୍ତି।
from ବାଣିଜ୍ୟ – Sambad http://bit.ly/30wQclJ