ଦୋହଲିଗଲା ବିଜେଡି ଦୁର୍ଗ : ପୁରୀ ଜିଲ୍ଲାର ୪ଟି ଆସନରେ ବିଜେଡି, ବିଜେପି ହାତକୁ ଗଲା ପୁରୀ ଓ ବ୍ରହ୍ମଗିରି, ହାରିଲେ ବିଜେଡ଼ି ହେଭିୱେଟ୍‌ ମହେଶ୍ବର, ସଂଜୟ

zisanmohammad
0

ପୁରୀ : ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ଶାସକ ବିଜେଡି ୪ଟିରେ ନିଜ ସ୍ଥିତି ଜାହିର ରଖିବାରେ ସଫଳ ହୋଇଛି। ପୁରୀ ସଦର ଓ ବ୍ରହ୍ମଗିରି ଭଳି ମର୍ଯ୍ୟାଦାଜନକ ଆସନରେ ପରାଜୟ ମୁହଁ ଦେଖିଛି ଦଳ। ଏହି ଦୁଇଟି ଆସନ ବିଜେପି ଛଡ଼ାଇ ନେଇଛି। ପ୍ରଥମ ଥର ପାଇଁ ପୁରୀ ବିଧାନସଭା କ୍ଷେତ୍ରରେ ବିଜେଡିର ଟାଣୁଆ ନେତା ମହେଶ୍ବର ମହାନ୍ତିଙ୍କୁ ଝଟ୍‌କା ଲାଗିଛି। ସେହିପରି ରାଜ୍ୟ ରାଜନୀତିରେ ବେଶ ପ୍ରଭାବ ରଖିଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବି ପ୍ରତ୍ୟାଖ୍ୟାତ ହୋଇଛନ୍ତି।

୨୦୧୯ ନିର୍ବାଚନ ଫଳାଫଳ ଅନୁସାରେ, କାକଟପୁର, ନିମାପଡ଼ା, ପିପିଲି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଣି ଥରେ ବିଜୟର ବାନା ଉଡ଼ାଇଛି। କାକଟପୁର ନିର୍ବାଚନ ମଣ୍ଡଳୀକୁ ବାଦ୍‌ ଦେଲେ ଅନ୍ୟ ୩ଟି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିକୁ ବିଜେପି ହିଁ କଡ଼ା ଟକ୍କର ଦେଇଛି। ଫଳାଫଳ ଅନୁଯାୟୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ୨୧୩୦ ଭୋଟ୍‌ ବ୍ୟବଧାନରେ ବି‌ଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପରାସ୍ତ କରିଛନ୍ତି। ସଂଜୟଙ୍କୁ ୮୬ ହଜାର ୧୨୬ ଭୋଟ୍‌ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଲଳିତେନ୍ଦୁଙ୍କୁ ମିଳିଛି ୮୮ ହଜାର ୨୫୬ ଭୋଟ୍‌। ସେହିପରି କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା କଂଗ୍ରେସର ବିଶ୍ବଭୂଷଣ ଦାସଙ୍କୁ ପରାସ୍ତ କରିଛନ୍ତି। ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୀର ରଞ୍ଜନ ଦାଶ ହାଟ୍ରିକ୍ ଅର୍ଥାତ୍ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଭାତୀ ପରିଡ଼ାଙ୍କୁ ପରାସ୍ତ କରିଛନ୍ତି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି।

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆରମ୍ଭରୁ କଡ଼ା ଟକ୍କର ଦେଇଥିଲେ ବିଜେପି ନେତା ଓମ୍‌ପ୍ରକାଶ ମିଶ୍ର। ତେବେ ଭୋଟ୍‌ ଗଣତି ବଢ଼ିବା ସହ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ଭୋଟ୍‌ ସଂଖ୍ୟା ବଢ଼ିଥିଲା। ଶେଷରେ ଉମାକାନ୍ତ ବିଜେପିର ଓମ୍‌ପ୍ରକାଶଙ୍କୁ ହରାଇ ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠାରୁ ଏହି ଆସନରେ କେବେ ବି ବିଜେଡି ଜିତିନଥିଲା। ୨୦୧୪ରେ ସ୍ବାଧୀନ ବିଧାୟକ ଭାବେ ଜିତିଥିବା ଉମାକାନ୍ତ ପରବର୍ତୀ ସମୟରେ ବିଜେଡିରେ େଯାଗଦେଇଥିଲେ। ଏଥର ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭରସା କରିଛନ୍ତି େଭାଟର।

ଚଳିତ ନିର୍ବାଚନରେ ସବୁଠୁ ରୋଚକ ସ୍ଥିତି ଦେଖିବାକୁ ମିଳିଛି ପୁରୀ ସଦର ନିର୍ବାଚନ ମଣ୍ଡଳୀରେ। ଏଠାରୁ ଲଗାତର ୫ ଥର ବିଜୟୀ ହୋଇଥିବା ବିଜେଡିର ହେଭିୱେଟ୍‌ ନେତା ମହେଶ୍ବର ମହାନ୍ତିଙ୍କୁ ହରାଇଛନ୍ତି ପୁରୀର ପୂର୍ବତନ ପୌରାଧ୍ୟକ୍ଷ ତଥା ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପି ଶିବିରରେ ସାମିଲ୍‌ ହୋଇଥିଲେ। ଗଲା ୨୫ ବର୍ଷ ଧରି ପୁରୀ ବିଧାନସଭା କ୍ଷେତ୍ର ବିଜେଡିର ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ହୋଇ ଆସୁଥିଲା।

ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଘଟିଛି ବିପର୍ଯ୍ୟୟ। ବିଜେଡିର ପୁରୁଖା ନେତା ସଞ୍ଜୟ ଦାସବର୍ମାଙ୍କୁ ହ୍ୟାଟ୍ରିକ୍‌ରୁ ଦୂରେଇ ଦେଇଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ସଞ୍ଜୟଙ୍କୁ ପରାସ୍ତ କରି ବ୍ରହ୍ମଗିରିରେ ପୁଣି ଥରେ ଲୁଲୁଙ୍କ ଉପସ୍ଥିତିକୁ ଜାହିର କରିଛନ୍ତି ଲଳିତେନ୍ଦୁ। ବିଜେପି ମଧ୍ୟ ବ୍ରହ୍ମଗିରିରେ ପ୍ରଥମ ଥର ପାଇଁ ବିଜୟର ବାନା ଉଡ଼ାଇଛି।



from ରାଜନୀତି – Sambad http://bit.ly/2VLgNYr

Post a Comment

0Comments
Post a Comment (0)