ସେମିରେ ସିନ୍ଧୁ; ସାଇନା, ଶ୍ରୀକାନ୍ତ ବିଦା

zisanmohammad
0

ସିଙ୍ଗାପୁର: ଭାରତୀୟ ଲଳନା ପିଭି ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ହେଲେ ମହିଳା ଏକକରେ ଭାରତକୁ ମିଶ୍ର ଫଳ ମିଳିଥିଲା। ସିନ୍ଧୁ ମହିଳା ଏକକ ଟ୍ରଫି ଦିଗରେ ଗୋଟିଏ ପାଦ ବଢ଼ାଇଥିଲା ବେଳେ ସାଇନା ନେହ୍ବାଲ କିନ୍ତୁ ପରାଜୟର ସାମ୍‌ନା କରିଥିଲେ। ଚତୁର୍ଥ ମାନ୍ୟତା ତଥା ରିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ସିନ୍ଧୁ ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ପ୍ରବଳ ସଂଘର୍ଷ କରିବା ପରେ ବିଶ୍ବ ମାନ୍ୟତାର ଅଷ୍ଟାଦଶ ତଥା ୨୦୧୭ ବିଶ୍ବ କନିଷ୍ଠ ପ୍ରତିଯୋଗିତାର କାଂସ୍ୟ ବିଜୟିନୀ ଚୀନ୍‌ର କାଇ ୟାନ୍ୟାନ୍‌ଙ୍କୁ ୨୧-୧୩, ୧୭-୨୧ ଓ ୨୧-୧୪ରେ ପରାସ୍ତ କରିଛନ୍ତି। ଗତ ମାସରେ ଇଣ୍ଡିଆନ୍‌ ଓପନ୍‌ ପରେ ଚଳିତ ଋତୁରେ ସିନ୍ଧୁଙ୍କର ଏହା ଦ୍ବିତୀୟ ସେମିଫାଇନାଲ୍‌ ପ୍ରବେଶ। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ପୂର୍ବତନ ବିଶ୍ବ ବିଜୟିନୀ ଜାପାନର ନାଜୋମୀ ଓକୁହରାଙ୍କ ସହ ହେବ। ଦ୍ବିତୀୟ ମାନ୍ୟତା ଓକୁହରା ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ଷଷ୍ଠ ମାନ୍ୟତା ତଥା ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲଙ୍କ ବିପକ୍ଷରେ ସହଜ ବିଜୟ ହାତେଇ ‌ନେଇଥିଲେ। ଓକୁହରା ସିଧାସଳଖ ‌ଗେମ୍‌ ୨୧-୮ ଓ ୨୧-୧୩ରେ ସାଇନାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ। ପୂର୍ବରୁ ଶେଷ ତିନିଥର ମୁହାଁମୁହିଁରେ ଓକୁହରାଙ୍କୁ ପରାସ୍ତ କରି ବିଜୟ ବ୍ୟବଧାନ ୯-୪ ନିଜ ପକ୍ଷରେ ରଖିଥିବା ସାଇନା ଏଠାରେ ଅଟକିଗଲେ। ଫଳରେ ପତି ପରୁପଲ୍ଲୀ କାଶ୍ୟପଙ୍କ ପରେ ପତ୍ନୀ ସାଇନା ମଧ୍ୟ ପଛକୁ ପଛ ବିଦାୟ ନେଇଗଲେ।

ଅନ୍ୟପକ୍ଷରେ ପୁରୁଷ ଏକକରେ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଥିବା ଦୁଇ ଭାରତୀୟ କିଦାମ୍ବି ଶ୍ରିକାନ୍ତ ଓ ସମୀର ବର୍ମା ପରାଜୟ ସହ ବିଦାୟ ନେଇଛନ୍ତି। ଶୁକ୍ରବାର ମୁକାବିଲାରେ ସମୀର ୧୦-୨୧, ୨୧-୧୫ ଓ ୧୫-୨୧‌ରେ ଚାଇନିଜ୍‌ ତାଇପେ ଖେଳାଳି ଚୌ ତିନ୍‌ ଚେନ୍‌ଙ୍କ ନିକଟରୁ ହାରି ଯାଇଥିଲା ବେଳେ ଷଷ୍ଠ ମାନ୍ୟତା ଶ୍ରୀକାନ୍ତ କିନ୍ତୁ ସଂଘର୍ଷ କରି ଶୀର୍ଷ ମାନ୍ୟତା ଜାପାନର କେଣ୍ଟୋ ମୋମୋଟାଙ୍କ ନିକଟରୁ ୧୮-୨୧, ୨୧-୧୯ ଓ ୯-୨୧ରେ ହାର୍‌ ମାନିଥିଲେ।



from ଖେଳ – Sambad http://bit.ly/2GjXRvF

Post a Comment

0Comments
Post a Comment (0)